ପାପଡାହାଣ୍ଡି,୨୭/୧୨: ପରିବାର ପ୍ରତିପୋଷଣ କରିବା ପାଇଁ ବାହାର ରାଜ୍ୟକୁ କାମ କରିବାକୁ ଯାଇଥିଲେ ଯୁବକ। ହଠାତ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକକଙ୍କର ଶବ ଫେରିବା ବାଟକୁ ଚାହିଁ ବସିଛନ୍ତି ପରିବାର ଲୋକ। ଏ ନେଇ ଡାବୁଗାଁ ଥାନାକୁ ମଧ୍ୟ ସୂଚନା ଦେଇଛନ୍ତି। ପାପଡାହାଣ୍ଡି ବ୍ଲକ ପାତ୍ରୀ ପଂଚାୟତ କୁମ୍ଭାର ମୁଣ୍ଡାଗୁଡା ଗ୍ରାମର ବୈକୁଣ୍ଠ ନାୟକ ତାମିଲନାଡୁର ଏକ କମ୍ପାନୀରେ ଇଲେକ୍ଟ୍ରିସିଆନ ଭାବେ କାମ କରୁଥିଲେ। ଶନିବାର ସକାଳ ୮.୩୦ ସମୟରେ ତାଙ୍କର ହଠାତ ମୃତ୍ୟୁ ହୋଇଛି। ପରିବାର ଲୋକଙ୍କ କହିବା ଅନୁଯାୟୀ ସେ ସିକିଲିନ ରୋଗରେ ଆକ୍ରାନ୍ତ ଥିଲେ। ଯୁକ୍ତ ଦୁଇ ପାସ କରିବା ପରେ ଅଞ୍ଚଳରେ ଇଲେକ୍ଟ୍ରିସିଆନ ଭାବେ କାମ କରୁଥିଲେ। ଭଲ ରୋଜଗାରକ୍ଷମ ହୋଇ ପରବାର ପ୍ରତିପୋଷଣ ଲାଗି ତାମିଲନାଡୁ ରାଜ୍ୟକୁ କାମ କରିବାକୁ ଯାଇଥିଲେ। ସେଠାରେ ଏକ କମ୍ପାନୀରେ ଇଲେକ୍ଟ୍ରିସିଆନ ଭାବେ ଗତ ୨ ବର୍ଷରୁ ଅଧିକ ସମୟ ହେବ କାମ କରୁଥିଲେ।
ଗତ ବର୍ଷା ଦିନରେ ଚାଷ କାମ ପାଇଁ ସେ ଘରକୁ ଆସିଥିଲେ କିନ୍ତୁ କାମ ସାରି ତାମିଲନାଡୁ ଫେରିଯାଇଥିଲେ। ଶୁକ୍ରବାର ସନ୍ଧ୍ୟାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିଲା କିନ୍ତୁ ଶନିବାର ସକାଳୁ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ ନିକଟସ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ବୈକୁଣ୍ଠଙ୍କ ସାଂଗ ଏ ନେଇ ଫୋନରେ ପରିବାର ଲୋକଙ୍କୁ ଜଣାଇବା ପରେ ଗାଁ'ରେ ଶୋକାକୁଳ ପରିବେଶ ଦେଖାଦେଇଛି। ପରିବାରର ରୋଜଗାରକ୍ଷମ ସଦସ୍ୟଙ୍କୁ ହରାଇ ମାଆ ଓ ବଡ଼ ଭାଇ ମର୍ମାହତ ହୋଇ ପଡିଛନ୍ତି। ଶୀଘ୍ର ବୈକୁଣ୍ଠଙ୍କ ଶବ ଗ୍ରାମକୁ ଫେରାଇ ଆଣିବା ଲାଗି ନିବେଦନ କରିଛନ୍ତି। ତାମିଲନାଡୁରେ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି କମ୍ପାନୀ ତରଫରୁ ସୂଚନା ଦିଆଯାଇଥିବା ପରିବାର ଲୋକେ କହିଛନ୍ତି।