ଜମୁଛି ନୀଳଗିରି ୟୁଥ୍ ଫେଷ୍ଟ, ମାଲଖମ ନୃତ୍ୟ ଓ କୁଳଦୀପଙ୍କ କଣ୍ଠରେ ଝୁମିଲେ ଅଞ୍ଚଳବାସୀ

ନୀଳଗିରି,୨/୪: ନୀଳଗିରି କେସିହାଇସ୍କୁଲ ପଡ଼ିଆରେ ଜମୁଛି ୟୁଥଫେଷ୍ଟ । ମୁଖ୍ୟ ଆକର୍ଷଣ ପାଲଟିଛି ମାଲଖମ ଓ ସୁନାମଧନ୍ୟ ଯୁବ କଣ୍ଠଶିଳ୍ପୀଙ୍କ କଳା ପ୍ରଦର୍ଶନ । ଗତକାଲି ଦ୍ୱିତୀୟ ଦିନ ସନ୍ଧ୍ୟାରେ ହଜାର ହଜାର ଅଞ୍ଚଳବାସୀ ଏହି ଉତ୍ସବକୁ ବେଶ୍ ମନଭରି ଉପଭୋଗ କରିଛନ୍ତି । ଆଜିର ଦ୍ୱିତୀୟ ଦିବସର ଉତ୍ସବକୁ ମୁଖ୍ୟ ଅତିଥିଭାବେ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ, ମୁଖ୍ୟବକ୍ତା ଭାବେ ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ, ସମ୍ମାନ୍ନିତ ଅତିଥି ଭାବେ ଇଟାଲୀର ମହିଳା ଯେକି ଓଡ଼ିଶାରେ ୪୧ ବର୍ଷ ରହି ଓଡ଼ିଶୀନୃତ୍ୟ ଶିଳ୍ପୀ ଇଲିଆନା ସୀଟାରିଷ୍ଟ ମଞ୍ଚାସୀନ ହୋଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଭଳି ଉତ୍ସବକୁ ନୀଳଗିରିର ଯୁବ ସମାଜ ଦଳମତ ନିର୍ବିଶେଷରେ ଆୟୋଜନ କରି ସମାଜକୁ ଏକ ନୂତନ ଦିଗଦର୍ଶନ ଦେଇଥିବା ଅତିଥିମାନେ କହିଥିଲେ ।
ଅତିଥିମାନେ ପ୍ରତିଯୋଗିତା କ୍ଷେତ୍ରରେ ଅଙ୍କିତା ବେହେରା, ସୁଦର୍ଶନ ପାଢ଼ୀ, ଅନାମିକା ପ୍ରିୟଦର୍ଶନୀ ପ୍ରଧାନ, ସିଧେଶ୍ୱରୀ ଦାସ, ମଧୁସ୍ମିତା ବେହେରା, ଅଭିରାମ ବେହେରା ସମ୍ମାନ୍ନିତ କରିଥିବା ବେଳେ ନୀଳଗିରି ମାଟିର ପୁଅ ଯେକି ଆମେରିକାର କର୍କଟ ରୋଗର ଗବେଷକ ଭାବେ କାର୍ଯ୍ୟରତ ଥିବାବେଳେ ଡ଼ଃ ଚନ୍ଦନକାନ୍ତ ଦାସଙ୍କୁ ଓ କଟକ ବଡ଼ ଡାକ୍ତରଖାନାରେ କାର୍ଯ୍ୟରତ ଡ଼ଃ ଶଲ୍ୟରୋଗ ବିଶେଷଜ୍ଞ ନୀଳଗିରି ମାଟିର ପୁଅ ବିଦ୍ୟାପତି ଆଚାର୍ଯ୍ୟଙ୍କୁ ମଧ୍ୟ ଅତିଥିମାନେ ସମର୍ଦ୍ଧିତ କରିଥିଲେ । ପରେ କୁନିକୁନି ପିଲାମାନେ ନିଜର ନୃତ୍ୟ ପରିବେଷଣ କରିଥିଲେ । ଏପରିକି ରାଜ୍ୟ ସରକାରଙ୍କ ତରଫରୁ କୁନିକୁନି ପିଲାମାନେ ମାଲଖମ କଳା ପରିବେଷଣ କରି ସମସ୍ତଙ୍କ ହୃଦୟ ଜିତିଥିଲେ । କଣ୍ଠଶିଳ୍ପୀ କୁଳଦୀପ ପଟ୍ଟନାୟକ ଓ ଜେଲିସଙ୍କ ସୁମଧୁର କଣ୍ଠରୁ ଗୀତ ଶୁଣି ଅଞ୍ଚଳବାସୀ ବେଶ୍ ଝୁମି ଉଠିଥିଲେ । ପଡ଼ିଆରେ ମିନାବଜାର ଓ ବିଭିନ୍ନ ପ୍ରଦର୍ଶନ ବୁଲିବା ସହ ମାର୍କେଟିଂର ମଜା ଉଠାଇବା ସହ ଆୟୋଜକଙ୍କୁ ଅଞ୍ଚଳବାସୀ ବେଶ ପ୍ରଶଂସା କରିଥିଲେ ।