ପୁରୀ, ୩୧।୮ : ପୁଣି ପୁରୀରେ ବୁଲିଲା ଖଣ୍ଡା। ଦିନ ଦ୍ବିପହରରେ ବିଚ୍ ରାସ୍ତାରେ ଖଣ୍ଡା ବୁଲାଇ ଆତଙ୍କ ଖେଳାଇଲେ ଦୁର୍ବୃତ୍ତ। ସମୁଦ୍ର କୂଳ ଥାନା ଅନ୍ତର୍ଗତ ବାଲିନୋଳିଆ ସାହିରେ ଦେଖିବାକୁ ମିଳିଛି ଏଭଳି ଘଟଣା। ତେବେ ଦୁର୍ବୃତ୍ତ ଜଣକର ଖଣ୍ଡା ବୁଲା ଦେଖି ଭୟରେ ଥରହର ହେଲେ ସ୍ଥାନୀୟ ଲୋକେ ଏବଂ ପର୍ଯ୍ୟଟକ। କେବଳ ସେତିକି ନୁହେଁ ସମ୍ପୃକ୍ତ ଦୁର୍ବୃତ୍ତ ଜଣକ ଦୁଇଜଣ ବ୍ୟକ୍ତିଙ୍କୁ ଖଣ୍ଡାରେ ଆକ୍ରମଣ କରିବା ପାଇଁ ଉଦ୍ୟମ କରୁଥିବା ସିସିଟିଭିରେ ଦେଖିବାକୁ ମିଳିଛି। ସମ୍ପୃକ୍ତ ଦୁର୍ବୃତ୍ତଙ୍କୁ କିଛି ବ୍ୟକ୍ତି ବୁଝାସୁଝା କରୁଥିବା ବେଳେ କୌଶଳ କ୍ରମେ ତା ହାତରୁ ଖଣ୍ଡା ଛଡାଇବା ପାଇଁ ଉଦ୍ୟମ କରୁଥିବା ମଧ୍ୟ ଦେଖିବାକୁ ମିଳିଛି।
ଖବରପାଇ ସମୁଦ୍ର କୂଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲେ ମଧ୍ୟ ଦୁର୍ବୃତ୍ତ ଜଣକ ସେଠାରୁ ଚମ୍ପଟ ମାରିଛି। ଦୁର୍ବୃତ୍ତ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ଚଢାଉ ଜାରି ରଖିଛି। ସେପଟେ ସମୁଦ୍ର କୂଳ ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ ଦୁର୍ବୃତ୍ତ ଜଣକ ବାଲି ନୋଳିଆ ସାହି କ୍ଲବ ଘରେ ନିଶା ସେବନ କରି ଶୋଇଥିଲା। ତେବେ କ୍ଲବ ଘର ପାଖରେ ଥିବା ଏକ ମନ୍ଦିରରୁ ଦୁର୍ବୃତ୍ତ ଜଣକ ହଠାତ୍ ହାତରେ ଖଣ୍ଡା ଧରି ସ୍ଥାନୀୟ ଲୋକଙ୍କୁ ଭୟଭୀତ କରାଇବା ସହ ଆକ୍ରମଣ କରିବା ପାଇଁ ଉଦ୍ୟମ କରୁଥିଲା। ଘଟଣାକୁ ନେଇ ପୋଲିସ ତଦନ୍ତ କରୁଥିବା ବେଳେ ଖୁବଶୀଘ୍ର ତାକୁ ଗିରଫ କରାଯିବ ବୋଲି ସମୁଦ୍ର କୂଳ ଥାନା ଅଧିକାରୀ ସୂଚନା ଦେଇଛନ୍ତି।