କଳାହାଣ୍ଡି, ୦୮/୦୮ : ସାମାନ୍ୟ ବଚସାରୁ ଯୁବକଙ୍କୁ ଛୁରୀ ଭୁସି ହତ୍ୟା। ଗୁରୁବାର ବିଳମ୍ଵିତ ରାତିରେ କଳାହାଣ୍ଡି ଭବାନୀପାଟଣା ସହର ବସଷ୍ଟାଣ୍ଡ ନିକଟ ଘୋଡ଼ାଘାଟ ଛକରେ ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦେବାନସାଏ ପଡାର ୪ଜଣ ଯୁବକଙ୍କୁ ଅଟକ ରଖି ପୁଲିସ ତଦନ୍ତ ଆରମ୍ଭ କରିଛି ।
ସୂଚନାନୁଯାୟୀ, ନିଶାସକ୍ତ ଅବସ୍ଥାରେ ଥିବା ଦେବାନସାଏ ପଡ଼ାର ୪ଜଣ ଯୁବକଙ୍କ ସହ ବିବିସିପଡାର ସତ୍ୟନାରାୟଣ ରଏ ନାମକ ଯୁବକଙ୍କ ସହ ସାମାନ୍ୟ ବଚସା ହୋଇଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ସତ୍ୟନାରାୟଣଙ୍କୁ ପଛପଟୁ ଛୁରୀ ଭୁସି ଫେରାର୍ ହୋଇଯାଇ ଥିଲେ। ଖବର ପାଇ ଛୁରାମାଡ଼ ହୋଇଥିବା ଯୁବକଙ୍କ ସାଙ୍ଗମାନେ ଆସି ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ହେଲେ ସେତେବେଳକୁ ସତ୍ୟନାରାୟଣଙ୍କ ମୃତ୍ୟୁ ହୋଇ ସାରିଥିଲା। ଏନେଇ ମୃତକଙ୍କ ପରିବାର ଲୋକେ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ସାଇଣ୍ଟିଫିକ୍ ଟିମ୍, ଡଗ୍ ସ୍କ୍ଵାଡ୍ ସହିତ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦେବାନସାଏ ପଡାର ୪ ଜଣ ଯୁବକଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଥିବା ସୂଚନା ମିଳିଛି।