ହାଇଦ୍ରାବାଦ,୨୭/୦୨: ତେଲଙ୍ଗାନାର ହାଇଦ୍ରାବାଦରେ ଜଣେ ୟୁଟ୍ୟୁବରଙ୍କ ମୃତଦେହ ତାଙ୍କ ଫ୍ଲାଟ୍‌ରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତକ ହେଲେ ୨୧ ବର୍ଷୀୟା ବୋନୁ କୋମଲି । ସେ ଆନ୍ଧ୍ରପ୍ରଦେଶ ବିଶାଖାପଟ୍ଟନମ୍‌ର ମୂଳ ବାସିନ୍ଦା । ପ୍ରାୟ ୧୧ ମାସ ହେଲା ହାଇଦ୍ରାବାଦରେ ରହି ଏକ ଘରୋଇ କଲେଜରେ ବିଏସ୍‌ସି ପଢ଼ୁଥିଲେ । ଏଥିସହ ୟୁଟ୍ୟୁବରେ ଜୀବନଶୈଳୀ ସଂପର୍କିତ ଭିଡିଓ ପୋଷ୍ଟ କରୁଥିଲେ ।

ପୁଲିସ ମୁତାବକ, କୋମଲିଙ୍କ ମା ବି.ବରଲକ୍ଷ୍ମୀ କୁଏତରେ କାମ କରନ୍ତି । ସୋମବାର ସକାଳେ ସେ ମା’ଙ୍କୁ ଏକ ମେସେଜ୍ ପଠାଇଥିଲେ । ସେଥିରେ ‘ଆଇ ଲଭ୍ ୟୁ ମମ୍ମି, ସାନ ଭାଇର ଧ୍ୟାନ ରଖିବ’ ବୋଲି ଲେଖାଥିଲା । ମେସେଜର କିଛି ସମୟ ପରେ ତାଙ୍କ ଫୋନ୍ ବନ୍ଦ ହୋଇଯାଇଥିଲା । ତେଣୁ ତାଙ୍କ ମା’ ଜଣେ ବନ୍ଧୁଙ୍କୁ ଫ୍ଲାଟ୍‌କୁ ଯାଇ ଘଟଣା କ’ଣ ଦେଖିବାକୁ କହିଥିଲେ । ବନ୍ଧୁଜଣକ କୋମଲିଙ୍କ ଫ୍ଲାଟ୍‌ରେ ପହଞ୍ଚିବାପରେ କେହି ଦ୍ୱାର ଖୋଲିନଥିଲେ । ଏହାପରେ ସେ କବାଟ ଭାଙ୍ଗି ଭିତରକୁ ପଶିଥିଲେ । ଭିତରେ କୋମଲିଙ୍କ ଶବ ଝୁଲନ୍ତା ଅବସ୍ଥାରେ ଥିଲା । ଘଟଣାସ୍ଥଳରୁ ଏକ ସିଡି ଏବଂ ଶାଢ଼ି ଜବତ ହୋଇଛି । ପୁଲିସକୁ ସେହି ଫ୍ଲାଟ୍‌ରୁ ଏକ ଡାଏରୀ ଏବଂ ଅନ୍ୟ କିଛି କାଗଜପତ୍ର ମଧ୍ୟ ମିଳିଛି । ଡାଏରୀର ଶେଷ ପୃଷ୍ଠାରେ କୋମଲି ନିଜ ବ୍ରେକଅପ୍ କଥା ଉଲ୍ଲେଖ କରିଥିଲେ ।

ସେ ଲେଖିଥିଲେ ଯେ, ଆଗକୁ ବଢ଼ିବାକୁ ଡର ଲାଗୁଛି । ଯଦି ସେ ପୁଣି ଫେରିଆସେ ତେବେ କ’ଣ ହେବ । ତାକୁ ଛାଡିଦେବା ଉଚିତ୍ ବୋଲି ମୁଁ ଜାଣିଛି । କିନ୍ତୁ ମୋ’ ଭିତରର ଏକ ଅଂଶ ଏବେ ବି ତାକୁ ଅପେକ୍ଷା କରିଛି । ପ୍ରାୟ ୩ ବର୍ଷ ହେଲା କୋମଲିଙ୍କର ଜଣେ ୨୭ ବର୍ଷୀୟ ସଫ୍ଟୱେର ଇଞ୍ଜିନିୟର ତଥା ସାଥୀ ୟୁଟ୍ୟୁବରଙ୍କ ସହ ପ୍ରେମ ସଂପର୍କ ରହିଥିଲା ।