• ରୁଷିଆ ୟୁକ୍ରେନ୍‌ ଯୁଦ୍ଧ
  • ସର୍ତ୍ତରେ ରାଜି ହେବାକୁ ଆମେରିକାର ଚାପ
  • ୩୦ ଦେଶ ସହ ଜେଲେନସ୍କିଙ୍କ ମିଟିଂ
  • ୟୁକ୍ରେନ ପାଇଁ ୟୁରୋପୀୟ ସମର୍ଥନର ପ୍ରୟାସ

ନୂଆଦିଲ୍ଲୀ – ରୁଷ୍‌ ସହ ବୁଝାମଣା ପାଇଁ ଆମେରିକୀୟ ଚାପ ବୃଦ୍ଧି ମଧ୍ୟରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କୌଣସି ବି କ୍ଷେତ୍ରକୁ ଛାଡ଼ିବାକୁ ସ୍ପଷ୍ଟ ମନା କରି ଦେଇଛନ୍ତି। ୟୁକ୍ରେନ ପାଇଁ ୟୁରୋପୀୟ ସମର୍ଥନ ସଂଗ୍ରହ କରିବାକୁ ପ୍ରୟାସ କରୁଥିବା ଜେଲେନସ୍କି ଗୁରୁବାର କହିଛନ୍ତି ଯେ, ୟୁକ୍ରେନ ଏହି ଲଢେଇ ଏଥିପାଇଁ ଲଢୁଛି , କାରଣ ସେ ନିଜର କୌଣସି ବି କ୍ଷେତ୍ର ରୁଷକୁ ଦେବାକୁ ଚାହୁଁ ନାହିଁ। ଏହି ମଧ୍ୟରେ ଜେଲେନସ୍କି ଗୁରୁବାର ପାଖାପାଖି ୩୦ଟି ଦେଶର ନେତା ଓ ଅଧିକାରୀଙ୍କ ସହ ଅର୍ଜେଣ୍ଟ ମିଟିଂ ଡାକିଛନ୍ତି।

ଉକ୍ତ ବୈଠକରେ ଜର୍ମାନୀ , ବ୍ରିଟେନ  ଓ ଫ୍ରାନ୍ସ ସହ ୟୁକ୍ରେନର ଅନେକ ସହଯୋଗୀଙ୍କ ସାମିଲ ହେବାର ଆଶା ରହିଛି। ଅନେକ ଦେଶ ବୈଠକରେ ଭିଡ଼ିଓ ଲିଙ୍କ୍‌ ମାଧ୍ୟମରେ ଭାଗ ନେବାକୁ ସହମତି ପ୍ରକାଶ କରିଛନ୍ତି। ବୈଠକକୁ ‘ କୋଏଲିସନ ଅଫ୍‌ ଦ ୱିଲିଂ’ର ନାଁ ଦିଆ ଯାଇଛି। ଜେଲେନସ୍କି ସଙ୍କେତ ଦେଇଛନ୍ତି ଯେ, ଏହି କଥାବାର୍ତ୍ତା ତରବରରେ ଆୟୋଜିତ କରାଯାଇଛି, କାରଣ ଟ୍ରମ୍ପଙ୍କ ଚାପ ବଢିବାରେ ଲାଗିଛି। ସୂଚନା ମୁତାବିକ ୟୁକ୍ରେନର ଅଧିକାରୀ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏହି ଚାପ ପାଇଁ କୌଣସି ଉପାୟ ବାହାର କରିବାକୁ ଚେଷ୍ଟା କରୁଛନ୍ତି।

ଏହା ପୂର୍ବରୁ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର କହିଛନ୍ତି ଯେ, ସେ ଓ ୟୁରୋପୀୟ ନେତାମାନେ ଫୋନ୍‌ରେ ଖୁବ୍‌ କଡ଼ା ଶବ୍ଦରେ ନୂଆ ପ୍ରସ୍ତାବ ଉପରେ ଆଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଜେଲେନସ୍କିଙ୍କୁ ଶାନ୍ତି ଯୋଜନା ଉପରେ ନିଜ ଦେଶର ସ୍ଥିତି ବିଷୟରେ ଯଥାର୍ଥବାଦୀ ହେବାକୁ ପଡ଼ିବ ଏବଂ ୟୁକ୍ରେନୀ ଅଞ୍ଚଳ ରୁଷ୍‌କୁ ପ୍ରଦାନ କରିବାକୁ ହେବ।

ଉଲ୍ଲେଖନୀୟ ଯେ, ଆମେରିକା ନିକଟରେ ରୁଷ୍‌ ଓ ୟୁକ୍ରେନ ଯୁଦ୍ଧରେ ବୁଝାମଣା କରାଇବା ଚେଷ୍ଟାରେ ଏକ ନୂଆ ପ୍ରସ୍ତାବ ଉପସ୍ଥାପନ କରିଛି। ଏହି ପ୍ରସ୍ତାବରେ ୟୁକ୍ରେନକୁ ଡୋନବାସ ସହ ଅନେକ ଅଞ୍ଚଳକୁ ଛାଡ଼ିବା କଥା କୁହାଯାଇଛି। ଏହାସହ ଆମେରିକା କ୍ରିମିଆ ସହ ଏହିସବୁ କ୍ଷେତ୍ରକୁ ରୁଷ୍‌ର ଅଂଶ ଭାବେ ସରକାରୀ ମାନ୍ୟତା ମଧ୍ୟ ଦେବ। ହେଲେ ୟୁକ୍ରେନ ଏହି ସର୍ତ୍ତରେ ରାଜି ନୁହେଁ। ହେଲେ ଟ୍ରମ୍ପ ୟୁକ୍ରେନ ଉପରେ ଏହି ବୁଝାମଣାରେ ରାଜି କରାଇବାକୁ ଚାପ ପକାଉଛି। ବର୍ତ୍ତମାନ ଜେଲେନସ୍କି ନିଜର ୟୁରୋପୀୟ ସାଥୀଙ୍କ ଶରଣରେ ଅଛି ଏବଂ ତାଙ୍କ ସହ କଥାବାର୍ତ୍ତା ଜାରି ରହିଛି।