ନୂଆଦିଲ୍ଲୀ,୧୦।୮: ଜିମ୍ବାଓ୍ବେ ନାମରେ ଟେଷ୍ଟ କ୍ରିକେଟ ଇତିହାସରେ ସବୁଠାରୁ ଲଜ୍ଜାଜନକ ରେକର୍ଡ ଯୋଡି ହୋଇଛି। ଏହି ରେକର୍ଡ ଏତେ ଦୁଲର୍ଭ ଯେ ଟେଷ୍ଟ କ୍ରିକେଟ ଇତିହାସରେ ୧୨୯ ବର୍ଷ ପରେ ଏଭଳି ଦେଖିବାକୁ ମିଳିଛି। ନିକଟରେ ଜିମ୍ବାଓ୍ବେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଖେଳିଥିଲା। ଏହି ସିରିଜରେ ଆୟୋଜକ ଟିମ୍‌କୁ ସମ୍ପୂର୍ଣ୍ଣ ଭାବରେ ପରାଜୟର ସାମନା କରିବାକୁ ପଡିଥିଲା। ଜିମ୍ବାଓ୍ବେ ଏହି ଟେଷ୍ଟ ସିରିଜ ୦-୨ ବ୍ୟବଧାନରେ ହାରିଛି। ପ୍ରଥମ ମ୍ୟାଚ୍‌ରେ ୯ ଓ୍ବିକେଟ୍ ଏବଂ ଦ୍ବିତୀୟ ମ୍ୟାଚ୍‌ରେ ୩୫୯ ରନ୍‌ରେ ହାରିଥିଲା। ଏବେ ଆପଣ ଭାବୁଥିବେ ଏଥିରେ କ’ଣ ରେକର୍ଡ ? ନ୍ୟୁଜିଲାଣ୍ଡ ଭଳି ବଡ ଟିମ୍‌ର ସାମନା ଜିମ୍ବାଓ୍ବେ ଭଳି ଛୋଟ ଟିମ୍ ସହ ହେଲେ ରେଜଲ୍ଟ ତ ଏଭଳି ଆସିବ। ହେଲେ ଏଥିରେ ଗୋଟେ ଟ୍ବିଷ୍ଟ ଅଛି। 

ଜିମ୍ବାଓ୍ବେ ଟିମ୍ ନ୍ୟୁଜିଲାଣ୍ଡ ବିପକ୍ଷ ଚାରୋଟି ଇନିଂସରେ କ୍ରମଶଃ ୧୪୯,୧୬୫, ୧୨୫ ଓ ୧୧୭ ରନ୍ ସ୍କୋରରେ ଆଉଟ ହୋଇଯାଇଥିଲା। ଏହି ସ୍କୋର ଦେଖି ଜଣାପଡୁଛି ଯେ, ଜିମ୍ବାଓ୍ବେ ଟିମ୍‌ର କୌଣସି ବି ବ୍ୟାଟର ଶତକ କରିପାରିନଥିଲେ। ଆଶ୍ଚର୍ଯ୍ୟର କଥା ହେଲା ଏହି ସିରିଜ ବେଳେ କୌଣସି ବ୍ୟାଟର ୫୦ ରନ୍ କରିପାରିନଥିଲେ। 

ପ୍ରଥମ ଟେଷ୍ଟରେ ସିନ୍ ଓ୍ବିଲିୟମ୍ସ ୪୯ ରନ୍‌ର ଇନିଂସ ଖେଳି ଏହି ସିରିଜରେ ଜିମ୍ବାଓ୍ବେ ଟିମ୍‌ର କୌଣସି ବ୍ୟାଟରଙ୍କ ଦ୍ବାରା ସବୁଠାରୁ ବଡ଼ ଇନିଂସ ଖେଳିଛନ୍ତି। ଏଏନ୍‌ଆଇର ରିପୋର୍ଟ ଅନୁସାରେ, ଟେଷ୍ଟ କ୍ରିକେଟ ଇତିହାସରେ ଏହା କେବଳ ଷଷ୍ଠ ଥର, ଯେତେବେଳେ କି ଅତି କମ୍‌ରେ ଦୁଇଟି ମ୍ୟାଚ୍‌ରେ ଟେଷ୍ଟ ସିରିଜରେ କୌଣସି ଟିମ୍‌ର କେହି ବ୍ୟାଟର ୫୦ ରନ୍‌ର ଟାର୍ଗେଟ ଛୁଇଁ ପାରିନଥିଲେ। ଶେଷଥର ଏଭଳି ହୋଇଛି ଯେତେବେଳେ ୧୮୯୫-୯୬ ସିଜିନ୍‌ରେ ହୋଇଥିଲା। ଯେତେବେଳେ ସାଉଥ୍ ଆଫ୍ରିକାର ବାର୍ବରଟନ୍‌ ହଲିଭେଲ ୪୧ ରନ୍‌ରେ ଇଂଲଣ୍ଡ ବିରୋଧରେ ତିନୋଟି ମ୍ୟାଚ୍‌ର ଘରୋଇ ସିରିଜରେ ସବୁଠାରୁ ବଡ ଇନିଂସ ଖେଳୁଥିବା ବ୍ୟାଟର ଥିଲେ।