ନୂଆଦିଲ୍ଲୀ : ଯଦି ଆପଣ ଘରେ ବସି ଜୋମାଟୋ ଆପ୍ ମାଧ୍ୟମରେ ଖାଦ୍ୟ ମଗାଇବାକୁ ଭଲ ପାଆନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଦେଶର ଅଗ୍ରଣୀ ଫୁଡ୍ ଡେଲିଭରି କମ୍ପାନୀ ଜୋମାଟୋ ଏହାର ପ୍ଲାଟଫର୍ମ ଫି’ରେ ପାଖାପାଖି ୨୦ ପ୍ରତିଶତ ବୃଦ୍ଧି କରିଛି। ଶୁକ୍ରବାର, ୨୦ ମାର୍ଚ୍ଚ ୨୦୨୬ରୁ ଏହି ନୂତନ ଦର ଲାଗୁ ହୋଇଛି।

କେତେ ବଢ଼ିଲା ଶୁଳ୍କ ?

ଜୋମାଟୋ ଏହାର ପ୍ଲାଟଫର୍ମ ଫି’କୁ ୧୨.୫୦ ଟଙ୍କାରୁ ବଢ଼ାଇ ୧୪.୯୦ ଟଙ୍କା କରି ଦେଇଛି। ଅର୍ଥାତ୍ ପ୍ରତି ଅର୍ଡର ପିଛା ଗ୍ରାହକଙ୍କୁ ଏବେ ୨.୪୦ ଟଙ୍କା ଅଧିକ ଦେବାକୁ ପଡ଼ିବ। ଏହି ବର୍ଦ୍ଧିତ ଶୁଳ୍କ ଜୋମାଟୋ ଗୋଲ୍ଡ ସଦସ୍ୟଙ୍କ ପାଇଁ ମଧ୍ୟ ଲାଗୁ ହେବ। ଏହି ପରିବର୍ତ୍ତନ ୟୁଜରଙ୍କ ବଜେଟକୁ ପ୍ରଭାବିତ କରିବ। ଏବେ ପ୍ଲାଟଫର୍ମ ଫି’ ବୃଦ୍ଧିରେ ମୋଟ୍ ବିଲ୍ ଆହୁରି ଅଧିକ ହୋଇଯିବ। ଅର୍ଥାତ୍ ଯେଉଁ ଖାଦ୍ୟ ପୂର୍ବରୁ ୩୦୦-୪୦୦ ଟଙ୍କାରେ ମିଳି ଯାଉ ଥିଲା , ତାହା ଏବେ କିଛି ମହଙ୍ଗା ଅନୁଭବ ହେବ।

ସୂଚନା ଯେ, ଏହି ପ୍ଲାଟଫର୍ମ ଫି’ ଜିଏସଟି (GST), ରେଷ୍ଟୁରାଣ୍ଟ ଚାର୍ଜ ଏବଂ ଡେଲିଭରି ଫି’ ଠାରୁ ସମ୍ପୂର୍ଣ୍ଣ ଅଲଗା ରହିବ। ଏହି ୧୪.୯୦ ଟଙ୍କା ଉପରେ ପୁଣି ୧୮% ଜିଏସଟି ଲାଗିବା ପରେ ଗ୍ରାହକଙ୍କୁ ପ୍ରାୟ ୧୭.୫୮ ଟଙ୍କା କେବଳ ପ୍ଲାଟଫର୍ମ ଫି’ ବାବଦରେ ଦେବାକୁ ପଡ଼ିବ।

ବଜାର ବିଶେଷଜ୍ଞଙ୍କ ଅନୁଯାୟୀ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁଁ ଡେଲିଭରି ଖର୍ଚ୍ଚ ବଢ଼ିଛି। ଏହା ବ୍ୟତୀତ କମ୍ପାନୀ ନିଜର ମାର୍ଜିନ ଏବଂ ପ୍ରଫିଟ୍କୁ ସୁଧାରିବା ପାଇଁ ଏହି ନିଷ୍ପତ୍ତି ନେଇଛି। ଜୋମାଟୋ ଦୈନିକ ପ୍ରାୟ ୨୨ ରୁ ୨୫ ଲକ୍ଷ ଅର୍ଡର ପାଇଥାଏ, ତେଣୁ ମାତ୍ର ୨ ଟଙ୍କାର ବୃଦ୍ଧି କମ୍ପାନୀ ପାଇଁ ମାସିକ କୋଟି କୋଟି ଟଙ୍କାର ଅତିରିକ୍ତ ରାଜସ୍ୱ ଆଣି ପାରିବ।

ଜୋମାଟୋ ପ୍ରଥମ କରି ଅଗଷ୍ଟ ୨୦୨୩ରେ ମାତ୍ର ୨ ଟଙ୍କା ପ୍ଲାଟଫର୍ମ ଫି’ ଆଦାୟ ଆରମ୍ଭ କରି ଥିଲା। ଏହା ପରେ ବିଭିନ୍ନ ସମୟରେ ଏହି ଦର ବୃଦ୍ଧି ପାଇଛି। ଅଗଷ୍ଟ ୨୦୨୩ରୁ ୨ଟଙ୍କାରୁ ଆରମ୍ଭ ହୋଇ ଜାନୁଆରୀ ୨୦୨୪ରେ ୪ଟଙ୍କା ବଢିଥିଲା। ଅକ୍ଟୋବର ୨୦୨୪ରେ ୧୦ଟଙ୍କା (ପର୍ବପର୍ବାଣୀ ସମୟରେ), ସେପ୍ଟେମ୍ବର ୨୦୨୫ ରେ ୧୨ଟଙ୍କା୫୦ ପଇସା ଓ ମାର୍ଚ୍ଚ ୨୦୨୬ରେ ୧୪ ଟଙ୍କା ୯୦ ପଇସା ବୃଦ୍ଧି ହୋଇଛି।

ଆହୁରି ମଧ୍ୟ ପଢନ୍ତୁ :  ତୈଳ ଦର ଉପରେ ଇରାନ ଯୁଦ୍ଧର ପ୍ରଥମ ପ୍ରଭାବ , ଦୁଇ ଟଙ୍କାରୁ ଅଧିକ ମହଙ୍ଗା ହେଲା ପ୍ରିମିୟମ ପେଟ୍ରୋଲ