ନୂଆଦିଲ୍ଲୀ,୧୩।୧: ସାରା ଦେଶରେ ଗିଗ୍ ଓ୍ବାକର୍ସର ଆନ୍ଦୋଳନ ସଫଳ ହୋଇଛି। ସରକାର ଡେଲିଭରି ବୟଙ୍କ ସୁରକ୍ଷାକୁ ନେଇ ଗ୍ରହଣ କରିଛନ୍ତି ବଡ଼ ପଦକ୍ଷେପ। ସରକାରଙ୍କ ହସ୍ତକ୍ଷେପ ପରେ ଅନଲାଇନ୍ ଅଡର୍ସରୁ ୧୦ ମିନିଟ୍ ଡେଲିଭରି ନିୟମ ହଟାଇ ଦିଆଯାଇଛି। ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ହସ୍ତକ୍ଷେପ ପରେ, ବ୍ଲିଙ୍କିଟ୍ ଏହାର ସମସ୍ତ ବ୍ରାଣ୍ଡରୁ ୧୦ ମିନିଟ୍ ଡେଲିଭରି ଦାବିକୁ ହଟାଇ ଦେଇଛି।
ସରକାରଙ୍କ ହସ୍ତକ୍ଷେପ
କେନ୍ଦ୍ର ମନ୍ତ୍ରୀ ବ୍ଲିଙ୍କିଟ୍, ଜେପ୍ଟୋ, ସ୍ୱିଗି ଏବଂ ଜୋମାଟୋର ଅଧିକାରୀଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ। ବୈଠକରେ ଡେଲିଭରି ପାର୍ଟନରଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ଏବଂ ସମୟ ସୀମା ହଟାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
'ଡେଲିଭରି ବୟଙ୍କ ଜୀବନକୁ ବିପଦରେ ପକାଇବା ଉଚିତ୍ ନୁହେଁ’
ସରକାର କମ୍ପାନୀଗୁଡ଼ିକୁ ଏକ ସ୍ପଷ୍ଟ ବାର୍ତ୍ତା ପଠାଇଥିଲେ ଯେ ଡେଲିଭରି ବୟଙ୍କ ଜୀବନକୁ ବିପଦରେ ପକାଇବା ଉଚିତ୍ ନୁହେଁ। ଏହାପରେ ସବୁ କମ୍ପାନୀ ଆଶ୍ବାସନା ଦେଇଥିଲେ ଯେ,ସେମାନେ ତାଙ୍କର ବ୍ରାଣ୍ଡର ବିଜ୍ଞାପନ ଏବଂ ସୋସିଆଲ ମିଡିଆ ପୋଷ୍ଟରୁ ଡେଲିଭରିର ସମୟ ହଟାଇବେ।
କାହିଁକି ନିଆଯାଇଥିଲା ଏହି ନିଷ୍ପତ୍ତି?
୧୦ ମିନିଟ୍ ସମୟ ସୀମା ଡେଲିଭରି ବୟମାନଙ୍କ ଉପରେ ଦୃତ ଡେଲିଭରି କରିବା ପାଇଁ ଚାପ ବଢାଉଥିଲା। ସଡ଼କ ଦୁର୍ଘଟଣା ଏବଂ ସୁରକ୍ଷା ବିପଦର ଆଶଙ୍କା ଥିଲା। ଇଣ୍ଡିଆନ୍ ଫେଡେରେସନ୍ ଅଫ୍ ଆପ୍-ବେସ୍ଡ୍ ଟ୍ରାନ୍ସପୋର୍ଟ ୱାର୍କର୍ସ (IFAT) ଏବଂ ତେଲେଙ୍ଗାନା ଗିଗ୍ ଆଣ୍ଡ୍ ପ୍ଲାଟଫର୍ମ ୱାର୍କର୍ସ ୟୁନିଅନ୍ (TGPWU) ନୂତନ ବର୍ଷ ଦିନ ଧର୍ମଘଟ ଡାକରା ଦେଇଥିଲେ। ଦେଶରେ ଗିଗ୍ ଅର୍ଥନୀତି ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସ୍ୱିଗି, ଜୋମାଟୋ ଏବଂ ବ୍ଲିଙ୍କିଟ୍ ଭଳି ପ୍ଲାଟଫର୍ମଗୁଡ଼ିକ ବିକଶିତ ହେଉଛନ୍ତି। ସେମାନଙ୍କ ପାଇଁ କାମ କରୁଥିବା ଲୋକଙ୍କ ଅବସ୍ଥା ଅପରିବର୍ତ୍ତିତ ରହିଛି। ସେମାନେ ନିରନ୍ତର କାର୍ଯ୍ୟଭାର, ଅନିଶ୍ଚିତ ଆୟ, ଦୀର୍ଘ କାର୍ଯ୍ୟ ସୂଚୀ ଏବଂ ୧୦-ମିନିଟ୍ ଡେଲିଭରି ଭଳି ଅସୁରକ୍ଷିତ ଲକ୍ଷ୍ୟର ସମ୍ମୁଖୀନ ହେଉଛନ୍ତି। ଠିକ୍ ସମୟରେ ଡେଲିଭରି ନକଲେ ଆଇଡି ବ୍ଲକ୍ ଏବଂ ଦଣ୍ଡ ପରି ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି। ଏହି କ୍ଷେତ୍ରର ଶ୍ରମିକମାନଙ୍କ ପାଖରେ ସ୍ୱାସ୍ଥ୍ୟ ବୀମା, ପେନସନ୍ ଏବଂ ଛୁଟିର ଅଭାବ ଅଛି, ନା ସେମାନଙ୍କୁ ସଡ଼କ ଦୁର୍ଘଟଣା ପାଇଁ କ୍ଷତିପୂରଣ ଦିଆଯାଉଛି। ଗିଗ୍ କର୍ମଚାରୀମାନେ ଉତ୍ତମ ମଜୁରୀ, ସୁରକ୍ଷା ଏବଂ ସମ୍ମାନ ଦାବି କରୁଛନ୍ତି।
ଗିଗ୍ କର୍ମଚାରୀମାନେ ଡିସେମ୍ବର ୩୧ ରାତିରେ ଧର୍ମଘଟ ମଧ୍ୟ କରିଥିଲେ। ଡେଲିଭରି ବୟମାନେ ସରକାରଙ୍କୁ ସେମାନଙ୍କର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ଏହା ପରେ, ସରକାର କମ୍ପାନୀଗୁଡ଼ିକ ସହିତ କଥା ହୋଇ ନିଷ୍ପତ୍ତି ନେଇଥିଲେ ଯେ ସୁରକ୍ଷା ପ୍ରଥମେ। ଇ-କମର୍ସ କମ୍ପାନୀଗୁଡ଼ିକ ୧୦ ମିନିଟ୍ ମଧ୍ୟରେ ସାମଗ୍ରୀ ପହଞ୍ଚାଇବାର ଦାବି ଯୋଗୁଁ ଡେଲିଭରି ବୟ ପ୍ରବଳ ଚାପରେ ପଡ଼ିଥାନ୍ତି। କେତେକ ସମୟରେ, ଏହି ଚାପ ଦୁର୍ଘଟଣାର କାରଣ ହୋଇଥାଏ। ଗିଗ୍ କର୍ମଚାରୀମାନେ ପ୍ରାୟତଃ ତରବରିଆ ଅବସ୍ଥାରେ ଥାଆନ୍ତି ଏବଂ ତରବରିଆ ଭାବରେ ଯିବା ଆସିବା ତାଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରେ। କମ୍ପାନୀଗୁଡ଼ିକ ଉପରେ ଏପରି ଚାପ ଦିଆଯାଉଛି ଯେ,ଏଭଳି ଦାବି ସହିତ ଆପଣ ଡେଲିଭରି ବୟମାନଙ୍କୁ ପଠାନ୍ତୁ ନାହିଁ। ସବୁଠାରୁ ପ୍ରଥମେ ବ୍ଲିଙ୍କିଟ୍ ଏଥିରେ ପରିବର୍ତ୍ତନ ଆଣି ଏହାର ବ୍ରାଣ୍ଡ ମେସେଜ୍ ପରିବର୍ତ୍ତନ କରିଥିଲା। ପୂର୍ବରୁ, କମ୍ପାନୀ କହୁଥିଲା ‘୧୦ ହଜାରରୁ ଅଧିକ ପ୍ରଡକ୍ଟ ୧୦ ମିନିଟ୍ରେ ଡେଲିଭରି’ ହୁଏ। କିନ୍ତୁ ଏବେ ଏହାକୁ ୩୦ ହଜାରରୁ ଅଧିକ ପ୍ରଡକ୍ଟ ଆପଣଙ୍କ ଦ୍ୱାରରେ ପହଞ୍ଚାଯାଏ' ବୋଲି ପରିବର୍ତ୍ତନ କରାଯାଇଛି।