ନୂଆଦିଲ୍ଲୀ: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ)କୁ ନେଇ ଏବେ ସମଗ୍ର ବିଶ୍ବରେ ଚର୍ଚ୍ଚା । ଏସବୁ ଭିତରେ ଏଆଇ ଆଇପିଏଲକୁ ନେଇ ମଧ୍ୟ ଅନୁମାନ ଲଗାଇଛି । ସବୁଠୁ ରୋଚକ କଥା ହେଉଛି, ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)କୁ କେବେ ସଫଳତା ମିଳିବ ତାହା ଏକ ଅସମାହିତ ପ୍ରଶ୍ନ । ବିରାଟ କୋହଲିଙ୍କ ଟିମକୁ କେବେ ଟ୍ରଫି ମିଳିବ ତାକୁ ନେଇ ଆରସିବି ଫ୍ୟାନଙ୍କ ମଧ୍ୟରେ ଆଶା ଆଶଙ୍କା ଲାଗିରହିଛି । ହେଲେ ଏଆଇ ଏହି ଆଶଙ୍କାକୁ ଦୂର କରିଛି । ଯଦିଓ ଆରସିବି ଟ୍ରଫି ଜିତିବ କିନ୍ତୁ ଏଥିପାଇଁ ଫ୍ୟାନଙ୍କୁ ଆହୁରି ଅପେକ୍ଷା କରିବାକୁ ପଡ଼ିବ । କାରଣ ଏଆଇ ଅନୁସାରେ, ଆରସିବି ୨୦୨୯ରେ ଆଇପିଏଲ ଟ୍ରଫି ହାତେଇବ ।
ଆହୁରି ୫ ବର୍ଷ ପରେ ଆରସିବି ଆଇପିଏଲ କପ୍ ନେବ ବୋଲି ଚାଟ୍ଜିପିଟି ଉତ୍ତର ଦେଇଛି । ଏଆଇର ଭବିଷ୍ୟବାଣୀକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଆରସିବି ଆଇପିଏଲ କପ୍ ଜିତିବି କି ନାହିଁ ଏହା ୧୭ ବର୍ଷ ହେଲା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ସେପଟେ ୨୦୨୯ରେ ଆରସିବି ଯଦି ଆଇପିଏଲ ଟ୍ରଫି ଜିତେ ତେବେ ସେତେବେଳକୁ ହୁଏତ ବିରାଟ କୋହଲି ଟିମ୍ରେ ନଥିବେ । ଚଳିତ ଆଇପିଏଲ ସିଜନ୍ କଥା ଦେଖିଲେ, ଆରସିବି ପଏଣ୍ଟ ଟେବୁଲ୍ର ସବୁଠୁ ତଳେ ରହିଛି । ଏବେ ଆଗକୁ ଯିବାକୁ ହେଲେ ଟିମକୁ ସବୁ ମ୍ୟାଚ୍ ଜିତିବାକୁ ହେବ । ୭ଟି ମ୍ୟାଚ୍ ଖେଳିସାରିଥିବା ଆରସିବି କେବଳ ଗୋଟିଏ ମ୍ୟାଚ୍ରେ ବିଜୟୀ ହୋଇଛି ।
ଆରସିବି ୨୦୨୦ରୁ ୨୦୨୨ ପର୍ଯ୍ୟନ୍ତ ଲଗାତାର ପ୍ଲେଅଫ୍ରେ ପହଞ୍ଚିଥିଲା । ହେଲେ ଆଇପିଏଲ ଟ୍ରଫି ହାତେଇ ପାରିନାହିଁ । ୨୦୨୩ରେ ପ୍ଲେଅଫରେ ପ୍ରବେଶ କରିପାରି ନଥିବା ଆରସିବି ଏଥର ମଧ୍ୟ ସମାନ ଦଶା ଭୋଗିପାରେ । ତେବେ ଏଆଇ ଦ୍ବାରା କରାଯାଇଥିବା ଭବିଷ୍ୟବାଣୀ ଅନୁସାରେ, ୨୦୨୪ରେ ଗୁଜରାଟ ଆଇପିଏଲ ଟ୍ରଫି ଜିତିବ । ସେହିଭଳି ୨୦୨୫ରେ ଆଇପିଏଲ ଫାଇନାଲରେ ବିଜୟ ହାସଲ କରିବ ଚେନ୍ନାଇ ସୁପର କିଙ୍ଗ୍ସ । ଏହା ବ୍ୟତୀତ ୨୦୨୬ରେ ମୁମ୍ବାଇ, ୨୦୨୭ରେ ହାଇଦ୍ରାବାଦ, ୨୦୨୮ରେ ପଞ୍ଜାବ, ୨୦୨୯ରେ ଆରସିବି, ୨୦୨୩୦ରେ ଡିସି, ୨୦୩୧ରେ କେକେଆର ଆଇପିଏଲ ଟ୍ରଫି ହାସଲ କରିବେ । ୨୦୪୩ ଯାଏ ବିଜେତା ଟିମ୍ଙ୍କ ତାଲିକା ପ୍ରକାଶ କରିଛି ଏଆଇ ।