ଡାମାସ୍‌କସ୍‌,୨୯/୧୧: ସିରିଆରେ  ବିଦ୍ରୋହୀ ଗୋଷ୍ଠୀ ସେନା ଘାଟି ଉପରେ ବୁଧବାର ଅଚାନକ ଆକ୍ରମଣ କରିଛନ୍ତି ।  ଏଥିରେ ଅନ୍ୟୁନ ୧୩୯ ଜଣଙ୍କ ମୃତ୍ୟୁ ଘଟିଛି ।  ସେମାନଙ୍କ ମଧ୍ୟରେ ବିଦ୍ରୋହୀ ଗୋଷ୍ଠୀର ୧୩୨  ଜଣ ରହିଛନ୍ତି । ଗତ ୪ ବର୍ଷରେ ବିଦ୍ରୋହୀଙ୍କ  ପକ୍ଷରୁ ଏହା ସବୁଠୁ ବଡ଼ ଧରଣର ଆକ୍ରମଣ  ବୋଲି କୁହାଯାଉଛି । 

ବିଦ୍ରୋହୀ ଗୋଷ୍ଠୀ ସିରିଆର  ଏକ ସେନା ଘାଟିକୁ କବ୍‌ଜା ମଧ୍ୟ କରିଛନ୍ତି ।  ଏହି ଗୋଷ୍ଠୀଗଡ଼ିକ ମଧ୍ୟରୁ ହୟାତ୍‌ ତହରିର୍‌  ଅଲ୍‌-ସମ୍‌ ନାମକ ଏକ ଗୋଷ୍ଠୀ ଉପରେ  ଅଲ୍‌-କାଏଦାର ସମର୍ଥନ ରହିଛି । ଏହି  ଆତଙ୍କବାଦୀ ସଙ୍ଗଠନ ସିରିଆର ଅନ୍ୟତମ  ପ୍ରମୁଖ ସହର ଆଲେପ୍ପୋରେ ପ୍ରାୟ ୧୦ କିମି  ଭିତରକୁ ପଶିଯାଇଛନ୍ତି । ଆତଙ୍କୀମାନେ  ବଶର ଅଲ୍‌ ଅସଦ୍‌ଙ୍କ ସରକାରକୁ ସମର୍ଥନ  କରୁଥିବା ସେନାର ଅସ୍ତ୍ରଶସ୍ତ୍ର ଏବଂ ବାହନକୁ  ମଧ୍ୟ କବ୍‌ଜା କରିଛନ୍ତି ।

ବିଦ୍ରୋହୀ ଗୋଷ୍ଠୀ ପକ୍ଷରୁ ଟେଲିଗ୍ରାମ  ପୋଷ୍ଟରେ ଦାବି କରାଯାଇଛି ଯେ, ସେମାନେ  ସିରିଆ ସରକାରଙ୍କ ବେସ୍‌-୪୬କୁ ନିଜ  ଅକ୍ତିଆରକୁ ନେଇଛନ୍ତି । କେବଳ ୧୦ ଘଣ୍ଟା  ଭିତରେ ଆଲେପ୍ପା ସହରର ଅନେକ ଗ୍ରାମକୁ  ନିଜ ନିୟନ୍ତ୍ରଣକୁ ନେଇଛନ୍ତି । ତେବେ ଏହି  ଦାବି ଉପରେ ସିରିଆ ସରକାରଙ୍କ ପକ୍ଷରୁ  କିଛି କୁହାଯାଇନାହିଁ । ୨୦୨୦ରେ ତୁର୍କୀର  ସହଯୋଗରେ ବିଦ୍ରୋହୀ ଏବଂ ଅସଦ  ସରକାରଙ୍କ ଭିତରେ ଏକ ବୁଝାମଣା  ହୋଇଥିଲା । ଏଥିଯୋଗୁ ବିଦ୍ରୋହୀଙ୍କ ପକ୍ଷରୁ  ଆକ୍ରମଣ କମିଥିଲା । ୨୦୧୧ରେ ଆରବ କ୍ରାନ୍ତି  ସହ ସିରିଆରେ ଗୃହଯୁଦ୍ଧ ଆରମ୍ଭ ହୋଇଥିଲା ।  

୨୦୦୦ ମସିହାରୁ ସିରିଆରେ କ୍ଷମତାରେ ଥିବା  ବଶର ଅଲ୍‌ ଅସଦ୍‌ଙ୍କ ଏକଛତ୍ରବାଦ ଶାସନକୁ  ବିରୋଧ କରି ଗଣତନ୍ତ୍ର ସମର୍ଥକମାନେ ବିରୋଧ ପ୍ରଦର୍ଶନ ଆରମ୍ଭ କରିଥିଲେ । ଏହା  ପରେ ଫ୍ରି ସିରିଆନ୍‌ ଆର୍ମି ନାମରେ ଏକ  ବିଦ୍ରୋହୀ ଗୋଷ୍ଠୀ ଗଠନ ହୋଇଥିଲା । ଏହି ଗୋଷ୍ଠୀ ବନିବା ପରେ ସିରିଆରେ ଗୃହଯୁଦ୍ଧ  ଆରମ୍ଭ ହୋଇଯାଇଥିଲା । ଏଥିରେ ଆମେରିକା,  ରୁଷ୍‌, ଇରାନ, ସାଉଦି ଆରବ ଆଦି ସାମିଲ ହେବା ପରେ ସଂଘର୍ଷ ଆହୁରି ବଢ଼ିଗଲା ।  ଏହା ଭିତରେ ଆଇଏସ୍‌ଆଇଏସ୍‌ ଆତଙ୍କବାଦୀ  ସଙ୍ଗଠନର ପ୍ରସାର ହୋଇଥିଲା । ଜାତିସଂଘ ରିପୋର୍ଟ ଅନୁସାରେ, ପ୍ରାୟ ଏକ ଦଶନ୍ଧି ଧରି  ସିରିଆ ଗୃହଯୁଦ୍ଧରେ ୩ ଲକ୍ଷରୁ ଊଦ୍ଧ୍ୱର୍ ଲୋକଙ୍କ  ମୃତ୍ୟୁ ଘଟିଥିଲା । ଲକ୍ଷ ଲକ୍ଷ ଲୋକଙ୍କୁ ଘରଦ୍ୱାର  ଛାଡ଼ି ବିସ୍ଥାପିତ ହେବାକୁ ପଡ଼ିଥିଲା।