ସମ୍ବଲପୁର, ୧୮/୦୩: ସମ୍ବଲପୁର ଜିଲ୍ଲା ହୀରାକୁଦ ଥାନାରେ ହାଜତ ମୃତ୍ୟୁ !  ଚୋରି ଅଭିଯୋଗରେ ଥାନାରେ ଅଟକ ବ୍ୟକ୍ତିଙ୍କୁ ପୁଲିସ୍‌ ପିଟିପିଟି ହତ୍ୟା କରିଥିବା  ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ସୋମବାର ସନ୍ଧ୍ୟାରେ ଥାନା ଘେରିଛନ୍ତି  ଉତ୍ତ୍ୟକ୍ତ ଲୋକେ । ପୁଲିସ୍‌ ସେମାନଙ୍କୁ ଧମକ ଚମକ ଦେଇ ହଟାଇବାକୁ ଚେଷ୍ଟା  କରୁଥିବା ମୃତକଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗକୁ ଖଣ୍ଡନ କରିଛି ପୋଲିସ। 

ଅଭିଯୋଗ ଅନୁଯାୟୀ, ଗତ ରବିବାର ହୀରାକୁଦ ଝାଙ୍କରପଡ଼ାସ୍ଥିତ ଗୋଦାମରୁ  ଚୋରି କରୁଥିବାବେଳେ ଧରାପଡ଼ିଥିଲେ ଖ୍ରୀଷ୍ଟିଆନ୍‌ପଡ଼ାର ମହମ୍ମଦ କାଦିର ଶେଖ  (୨୭) । ସ୍ଥାନୀୟ ଲୋକେ ତାଙ୍କୁ ଧରି  ପୁଲିସ୍‌ ଜିମା ଦେଇଥିଲେ । ଗିରଫ ପରେ  ତାକୁ ପୁଲିସ୍‌ କୋର୍ଟ ଚାଲାଣ କରୁଥିଲା ।  ହେଲେ କୋର୍ଟ ନେବା ବାଟରେ ମହମ୍ମଦଙ୍କ  ଦେହ ଅସୁସ୍ଥ ହୋଇପଡ଼ିଥିଲା । ତାଙ୍କୁ  ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା  ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ୍‌  ହେପାଜତରେ ଥିବା ବେଳେ ଏଭଳି ଘଟଣା ଘଟିଥିବା ଏସଡିପିଓ ବାଲେଶ୍ୱର ଗିଦ୍ଧି ସୂଚନା  ଦେଇଛନ୍ତି । ଅନ୍ୟପଟେ ପୁଲିସ୍‌ ହେପାଜତରେ ମହମ୍ମଦ କାଦିରଙ୍କ ମୃତ୍ୟୁକୁ ସହଜରେ  ଗ୍ରହଣ କରିପାରୁନାହାନ୍ତି ପରିବାର ସଦସ୍ୟ ଓ ସ୍ଥାନୀୟ ବାସିନ୍ଦା । ଏହା ହାଜତ ମୃତ୍ୟୁ ବୋଲି  ଅଭିଯୋଗ କରିଛନ୍ତି । ପ୍ରବଳ ମାଡ଼ ହୋଇଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ସେମାନେ  କହୁଛନ୍ତି । ଥାନାର ସିସିଟିଭି ଯାଞ୍ଚ ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ।