ଓ୍ବାଶିଂଟନ୍,୧୪।୧୦: ପାଖେଇ ଆସିଲାଣି ଆମେରିକା ରାଷ୍ଟ୍ରପତି ନିର୍ବାଚନ। ଜୋରସୋରରେ ଚାଲିଛି ପ୍ରଚାର । ନିର୍ବାଚନ ପୂର୍ବରୁ କମଲା ହାରିସ ଏବଂ ଡୋନାଲ୍ଡ ଟ୍ରମ୍ପ ଲଗାତର ପ୍ରଚାର କରୁଛନ୍ତି। ଏହି ସମୟ ମଧ୍ୟରେ ତୃତୀୟ ଥର ପାଇଁ ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ ହୋଇଛି। ପୁଣି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରାଯାଇଛି ଟାର୍ଗେଟ। ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଉଦ୍ୟମ ହୋଇଥିଲେ ମଧ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏହି ମାମଲାରେ ଆମେରିକା ପୁଲିସ ଶନିବାର ଜଣେ ସନ୍ଦିଗ୍ଧ ବ୍ୟକ୍ତିକୁ ଗିରଫ କରିଛି। ଉକ୍ତ ବ୍ୟକ୍ତିଙ୍କ ନିକଟରୁ ନକଲି ପାସ୍ ଓ ବନ୍ଧୁକ ଜବତ ହୋଇଛି। ଟ୍ରମ୍ପଙ୍କ ଉପରେ ଆକ୍ରମଣ କରିବାକୁ ଆସିଥିବା ଦୁର୍ବୃତ୍ତ ଟ୍ରମ୍ପଙ୍କ ରାଲିର ସ୍ଥାନଠାରୁ କିଛି ଦୂରରେ ଧରାପଡ଼ିଛି।
ପୋଲିସ ୱେମ ମିଲର ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ସେ ଲସଭେଗାସର ବାସିନ୍ଦା। ତାଙ୍କୁ ରାଲିର ଏଣ୍ଟ୍ରି ଗେଟ୍ଠାରୁ ଅଧ ମାଇଲ ଦୂରରେ ଥିବା ଏକ ଚେକପଏଣ୍ଟରୁ ଗିରଫ କରାଯାଇଛି। ଉକ୍ତ ବ୍ୟକ୍ତିଙ୍କ ନିକଟରେ ଫେକ୍ ପ୍ରେସ୍ କାର୍ଡ ଓ ଭିଭିଆଇପି ପାସ୍ ଥିଲା। କେବଳ ସେତିକି ନୁହେଁ ତାଙ୍କ ନିକଟରୁ ଏକ ବନ୍ଧୁକ ମଧ୍ୟ ଜବତ ହୋଇଛି। ଏଥିଲାଗି ବ୍ୟକ୍ତି ଜଣକ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଆସିଥିବା ପୁଲିସ ସନ୍ଦେହ କରୁଛି। ତେବେ ଗିରଫ କରିବାର କିଛି ଘଣ୍ଟା ଭିତରେ ଓ୍ବେମ୍ ମିଲରଙ୍କୁ ଜାମିନ୍ ମିଳିଯାଇଥିଲା।
ସୂଚନାଯୋଗ୍ୟ, ପୂର୍ବରୁ ଦୁଇଥର ଟ୍ରମ୍ପଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରାଯାଇଛି। ଏହାପୂର୍ବରୁ ଜୁଲାଇ ୧୩ରେ ମାଥ୍ୟୁ କ୍ରୁକ୍ସ ପେନ୍ସିଲଭାନିଆର ବଟଲର ଟ୍ରମ୍ପଙ୍କ ଉପରକୁ ଗୁଳି ଚଳାଇଥିଲେ। ତେବେ ସୁରକ୍ଷାକର୍ମୀମାନେ ତାଙ୍କୁ ଗୁଳିକରି ହତ୍ୟା କରିଦେଇଥିଲେ। ଏହା ପରେ ସେପ୍ଟେମ୍ବରରେ ଦ୍ୱିତୀୟ ଥର ପାଇଁ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରାଯାଇଥିଲା। ଗଲ୍ଫ କୋର୍ସରେ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ କରୁଥିବା ବେଳେ ରିୟାନ ଓ୍ୱେସଲି ରାଓ୍ୱଥ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା।