ନୂଆଦିଲ୍ଲୀ,୦୨/୦୯: କ୍ରିକେଟର ସବୁଠୁ ଛୋଟ ଫର୍ମାଟ ଟି-ଟ୍ୱେଣ୍ଟିରୁ ଅବସର ଘୋଷଣା କରିଛନ୍ତି ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ । ବାମହାତୀ ବୋଲର ମିଚେଲ ଷ୍ଟାର୍କ ଅଷ୍ଟ୍ରେଲିଆ ପାଇଁ ୬୫ଟି ଟି-ଟ୍ୱେଣ୍ଟି ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିବା ପରେ ସନ୍ନ୍ୟାସ ନେବାକୁ ନିଷ୍ପତ୍ତି ନେଇଛନ୍ତି । ୨୦୧୨ରେ ଟି-ଟ୍ୱେଣ୍ଟିରେ ଡେବ୍ୟୁ କରିଥିଲେ । ୧୩ ବର୍ଷର ଟି-ଟ୍ୱେଣ୍ଟି କ୍ୟାରିୟରକୁ ବାଏ ବାଏ କହିଛନ୍ତି ଷ୍ଟାର୍କ । ସେ ତାଙ୍କ ଶେଷ ଟି-ଟ୍ୱେଣ୍ଟି ମ୍ୟାଚ ୨୦୨୪ ଜୁନ୍‌ରେ ଭାରତ ବିପକ୍ଷରେ ଖେଳିଥିଲେ ।

କାହିଁକି ହଠାତ୍ ଅବସର ନିଷ୍ପତ୍ତି ? ମିଚେଲ ଷ୍ଟାର୍କଙ୍କ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାର ଖବର ଏମିତି ସମୟରେ ଆସିଛି ଯେତେବେଳେ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିଥିଲା । କ୍ରିକେଟ ଅଷ୍ଟ୍ରେଲିଆ ତାର ସୋସିଆଲ ମିଡିଆରେ ଷ୍ଟାର୍କଙ୍କ ଅବସର ନେଇ ସୂଚନା ଦେଇଛି । ଏବେ ପ୍ରଶ୍ନ କାହିଁକି ମିଚେଲ ଷ୍ଟାର୍କ ହଠାତ୍ ତାଙ୍କ ଟି-୨୦ ଆନ୍ତର୍ଜାତୀୟ କ୍ୟାରିୟରକୁ ବିଦାୟ ଦେବାକୁ ନିଷ୍ପତ୍ତି ନେଲେ ? ନିଷ୍ପତ୍ତି ପଛରେ କାରଣ କ'ଣ ? ଏହାର ଉତ୍ତର କ୍ରିକେଟର ଦୁଇଟି ଲମ୍ବା ଫର୍ମାଟ ସହିତ ଜଡିତ । କୁହାଯାଉଛି କି,  ଷ୍ଟାର୍କ ଏବେ ଟେଷ୍ଟ ଏବଂ  ଦିନିକିଆ ଫର୍ମାଟ ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି । ତେଣୁ ସେ ଟି-୨୦ ଆନ୍ତର୍ଜାତୀୟରୁ ଅବସର ଘୋଷଣା କରିଛନ୍ତି । ୩୫ ବର୍ଷୀୟ ଷ୍ଟାର୍କ ୨୦୨୭ରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ ବିଶ୍ୱକପ ଉପରେ ଫୋକସ କରୁଛନ୍ତି ।

ଅଧିକ ପଢନ୍ତୁ...ହକି ଏସିଆ କପ୍‌ ୨୦୨୫: ଲଗାତାର ଦ୍ବିତୀୟ ବିଜୟ, ଜାପାନକୁ ୩-୨ ଗୋଲରେ ହରାଇଲା ଭାରତ

ପାକିସ୍ତାନରୁ ଆରମ୍ଭ, ଭାରତରେ ଶେଷ... ଷ୍ଟାର୍କଙ୍କ ଟି-୨୦ ଆନ୍ତର୍ଜାତୀୟ କ୍ୟାରିୟର- ଷ୍ଟାର୍କଙ୍କ ଟି-୨୦ ଆନ୍ତର୍ଜାତୀୟ କ୍ୟାରିୟର ବିଷୟରେ କହିବାକୁ ଗଲେ, ଏହା ୨୦୧୨ରେ ପାକିସ୍ତାନ ବିପକ୍ଷରେ ଡେବ୍ୟୁ ସହିତ ଆରମ୍ଭ ହୋଇଥିଲା । ଜୁନ୍ ୨୦୨୪ରେ ଭାରତ ବିପକ୍ଷରେ ଖେଳାଯାଇଥିବା ଶେଷ ମ୍ୟାଚ୍ ସହିତ ଶେଷ ହୋଇଛି । ସେ ୬୫ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଯେଉଁଥିରେ ସେ ୭୯ ୱିକେଟ୍ ନେଇଛନ୍ତି ।

ଟି-୨୦ରେ ଅଷ୍ଟ୍ରେଲିଆର ଦ୍ୱିତୀୟ ସଫଳ ବୋଲର ମିଚେଲ୍ ଷ୍ଟାର୍କ ଦ୍ୱିତୀୟ ସର୍ବାଧିକ ୱିକେଟ୍ ନେଇଥିବା ଦ୍ରୁତ ବୋଲର । ବାମହାତୀ ଦ୍ରୁତ ବୋଲର ଷ୍ଟାର୍କଙ୍କ ଛଡ଼ା କେବଳ ସ୍ପିନର ଆଡାମ ଜାମ୍ପା ଟି-୨୦ ଆନ୍ତର୍ଜାତୀୟରେ ଅଷ୍ଟ୍ରେଲିଆ ପାଇଁ ଅଧିକ ୱିକେଟ୍ ନେଇଛନ୍ତି । ଜାମ୍ପା ଏପର୍ଯ୍ୟନ୍ତ ୧୩୦ ୱିକେଟ୍ ନେଇଛନ୍ତି । ଷ୍ଟାର୍କଙ୍କ ଟି-୨୦ ଆନ୍ତର୍ଜାତୀୟ କ୍ୟାରିୟରର ସବୁଠାରୁ ବଡ଼ ସଫଳତା ଥିଲା ୨୦୨୧ ଟି-ଟ୍ୱେଣ୍ଟି ବିଶ୍ୱକପ ବିଜୟ । ଏହି ଫର୍ମାଟରେ ଅଷ୍ଟ୍ରେଲିଆର ଏହା ପ୍ରଥମ ଟ୍ରଫି ଥିଲା ।