ଭୁବନେଶ୍ୱର,୧୩/୧୨: ଆଜି ଜାତୀୟ ଅଶ୍ୱ ଦିବସ । ଓୟୁଏଟିରେ ପାଳନ ହେଉଛି ଏହି ଦିବସ । ଆଜିକାଲି ନୁହେଁ, ୫୬ ବର୍ଷ ହେଲାଣି  ଏଠି ଘୋଡା ଚାଳନା ପ୍ରଶିକ୍ଷଣ ଦିଆଯାଉଛି । ଘୋଡା ଚଢ଼ୁଥିବା ପ୍ରତ୍ୟେକ ଯୁବକ ଯୁବତୀଙ୍କ ଲକ୍ଷ୍ୟ କିଭଳି  ସେନାରେ ଯୋଗଦେବେ । ଦେଶ ସେବା କରିବେ ।  ଶତ୍ରୁଙ୍କ ସହ ଲଢ଼ିବେ । ସେଥିପାଇଁ ପ୍ରତିଦିନ ସକାଳୁ  ସକାଳୁ ଓୟୁଏଟି ଏନ୍‌ସିସି ପଡ଼ିଆରେ ପ୍ରଶିକ୍ଷକଙ୍କ  ଲମ୍ବା ଲାଇନ୍‌ ଲାଗୁଛି । ଯୁବପିଢ଼ିଙ୍କ ମଧ୍ୟରେ  ଦେଶପ୍ରେମ ଜାଗ୍ରତ କରିବା ପାଇଁ ଘୋଡ଼ା ସାଜିଛି  ଏକ ମାଧ୍ୟମ । ଭୁବନେଶ୍ୱରର ‘୧ ଓଡ଼ିଶା ଆର ଆଣ୍ଡ୍‌  ଭି (ରିମୋଟ ଭେଟେରିନାରୀ)ସ୍କ୍ୱାର୍ଡନ୍‌ ଏନସିସି’  ଜରିଆରେ ଦକ୍ଷ ଘୋଡା ଚାଳକ(ଅଶ୍ୱାରୋହୀ)  ହେବାର ତାଲିମ ନେଇ ଦେଶସେବାର ସୁଯୋଗ  ପାଉଛନ୍ତି ଯୁବଗୋଷ୍ଠୀ । 

ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ  (ଓୟୁଏଟି) ସ୍ଥିତ ଭେଟେରିନାରି ମହାବିଦ୍ୟାଳୟ  କ୍ୟାମ୍ପସରେ ରହିଛି ‘୧ ଓଡ଼ିଶା ଆର ଆଣ୍ଡି ଭି  ସ୍କ୍ୱାର୍ଡନ୍‌ ଏନସିସି’ର ମୁଖ୍ୟାଳୟ । ଏହି ଅଫିସ  ୧୯୬୬-୬୭ରେ ସ୍ଥାପନ ହୋଇଥିଲା । ସେହିଦିନଠୁ  ଭାରତୀୟ ସେନା ଏଠାରେ ଘୋଡ଼ା ସବାରୀ ପାଇଁ  ତାଲିମ କେନ୍ଦ୍ର ଖୋଲିଛି । ଯାହା ସାରା ଓଡ଼ିଶାରେ  ଏକମାତ୍ର ଓ ସାରା ଦେଶରେ ୧୫ତମ କେନ୍ଦ୍ର ।  ଯେଉଁମାନେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ  ସହ ଜଡ଼ିତ ସେମାନେ କେବଳ ଘୋଡ଼ା ଚାଳନା  ପ୍ରଶିକ୍ଷଣ ନେଉଛନ୍ତି । ସେଥିପାଇଁ ସେନା ପକ୍ଷରୁ  ବର୍ତ୍ତମାନ ଓୟୁଏଟି ଏନସିସିରେ ମୋଟ ୧୨ଟି ଘୋଡ଼ା  ଅଛନ୍ତି । ସେମାନଙ୍କ ନାମ ହେଲା ଭୋଦକା, ତିତଲି,  ଗେଲେକ୍ସି, ଟ୍ରଷ୍ଟମି, ତେହଲକା, ବିକ୍ରାନ୍ତ, ତାର୍ଜନ,  ଗଗନ, ଆରଜୁ, ଭିକ୍ଟର, ବିଜୟ ଓ ଟିକଲା । ସବୁ  ଘୋଡ଼ା ଭାରତୀୟ ଓ ଥୋରୋ ପ୍ରଜାତିର । ମୁଖ୍ୟାଳୟ  ପରିସରରେ ଏକ ଘୋଡ଼ା ଶାଳ ରହିଛି । ଏଠି ସବୁ  ଘୋଡ଼ା ସାଙ୍ଗ ହୋଇ ରହୁଛନ୍ତି । ସେଠାରେ ତାଙ୍କର  ଖାଦ୍ୟ, ପାଣି, ଔଷଧର ବ୍ୟବସ୍ଥା ସେନା କରିଛି।

ପ୍ରତିବର୍ଷ ୨୦୦ ଛାତ୍ରଛାତ୍ରୀ ଏନସିସିରେ  ଅଂଶଗ୍ରହଣ କରୁଛନ୍ତି । ସେମାନଙ୍କ ମଧ୍ୟରୁ ୧୫୦  ଏନସିସି କ୍ୟାଡେଟ୍‌ ଘୋଡ଼ା ଚାଳନା ତାଲିମ ନେଉଛନ୍ତି । ମୋଟ ୩ବର୍ଷ ଏମାନେ ତାଲିମ  ନେଉଛନ୍ତି । ପ୍ରତିଦିନ ଭୋର ୫ଟାରୁ ୭ ପର୍ଯ୍ୟନ୍ତ  ଘୋଡ଼ା ଚାଳନା ତାଲିମ ଦିଆଯାଉଛି । 

ପ୍ରତିବର୍ଷ ଭୁବନେଶ୍ୱରର ଏନସିସି ୟୁନିଟରୁ  ମୋଟ ୫ ଜଣ କ୍ୟାଡେଟ୍‌(୩ ପୁଅ, ୨ଜଣ ଝିଅ)  ରାଜଧାନୀ ଦିଲ୍ଲୀରେ ପାଳନ ହେଉଥିବା ଗଣତନ୍ତ୍ର  ଦିବସର ପରେଡ୍‌ରେ ଭାଗ ନିଅନ୍ତି । ଅଦ୍ୟାବଧି  ଏହି ୟୁନିଟ୍‌ ୨୭ ସ୍ୱର୍ଣ୍ଣ, ୨୧ ରୌପ୍ୟ ଓ ୧୫  ବ୍ରୋଞ୍ଜ ପଦକ ଜିତିଛି । ଆଜି ପର୍ଯ୍ୟନ୍ତ ୩୭ ଜଣ  କ୍ୟାଡେଟ୍‌ ଭାରତୀୟ ସେନାରେ ଯୋଗଦେଇଛନ୍ତି ।  ସେମାନଙ୍କ ମଧ୍ୟରେ ଭେଟେରିନାରୀ ଡାକ୍ତର,  ଆସିଷ୍ଟାଣ୍ଟ ସେକ୍ରେଟାରୀ ଅଫ୍‌ ଡିଫେନ୍ସ ଫର୍‌  ସ୍ପେଶାଲ ଅପରେସନ ଓ ଆରଟିଆଇ(ସୂଚନା)  ଅଧିକାରୀ ରହିଛନ୍ତି । ସେହିପରି ଅଧିକାଂଶ କ୍ୟାଡେଟ୍‌  ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇଛନ୍ତି ।  ମୁଖ୍ୟାଳୟର ମୁଖ୍ୟ କମାଣ୍ଡିଂ ଅଫିସର କର୍ଣ୍ଣେଲ ପି.  ଦୀନାଥାୟାଲନ୍‌ କହିଛନ୍ତି, ଘୋଡ଼ାମାନେ ବହୁତ ଶାନ୍ତ  ଓ ବନ୍ଧୁତ୍ୱ ସ୍ୱଭାବର । ଏମାନଙ୍କ ଖାଇବା, ପିଇବା ଓ  ରକ୍ଷଣାବେକ୍ଷଣ ଖର୍ଚ୍ଚ ସେନା ବୁଝେ ।