ଆଡିସ୍ ଆବାବା,୩୧/୧୨: କେତେ ଖୁସିରେ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ । ହେଲେ ଶୋକରେ ବଦଳି ଗଲା ବିବାହ ଉତ୍ସବ । ହେଲେ ବାଟରେ ମୃତ୍ୟୁ ଜଗି ବସିଥିଲା କାହାକୁ ବା ଜଣାଥିଲା । ବର୍ଷର ଶେଷ ଦିନରେ ଭୟଙ୍କର ସଡକ ଦୁର୍ଘଟଣା । ଚାଲିଗଲା ୭୧ ଜୀବନ । ଦକ୍ଷିଣ ଇଥିଓପିଆରେ ଏକ ନଦୀରେ ଟ୍ରକ ଖସି ପଡିବାରୁ ୭୧ଜଣଙ୍କର ମୃତ୍ୟୁ ହୋଇଛି ।

ସିଦାମା ଅଞ୍ଚଳ ଦେଇ ଯାଉଥିବା ଟ୍ରକଟି ନଦୀକୁ ଖସି ପଡିଥିଲା । ଟ୍ରକରେ ଥିବା ଯାତ୍ରୀମାନେ ଏକ ବିବାହ କାର୍ଯ୍ୟକ୍ରମର ଅତିଥି ଥିଲେ । ଟ୍ରକରେ ଓଭରଲୋଡ ହୋଇଥିବା ଅଞ୍ଚଳର ଟ୍ରାଫିକ ପୋଲିସ ସୂଚନା ଦେଇଛନ୍ତି । ତେଣୁ ଏହା କାରଣରୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ମୃତକଙ୍କ ମଧ୍ୟରେ ୬୮ଜଣ ପୁରୁଷ ଓ ୩ଜଣ ମହିଳା ଥିବା ସିଦାମା ପୋଲିସ କମିସନ ଟ୍ରାଫିକ ନିବାରଣ ଓ ନୟନ୍ତ୍ରଣ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ମିଳିଛି । ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ହସଖୁସିରେ ଗାଡିରେ ଯାତ୍ରା କରୁଥିଲେ । ହେଲେ କିଏ ଜାଣିଥିଲା ବାଟରେ ମୃତ୍ୟୁ ଜଗି ବସିଛି ।

ଇଥୋପିଆରେ ପ୍ରାୟ ସମୟରେ ସଡକ ଦୁର୍ଘଟଣା ଘଟୁଛି । ଏଥିରେ ଅନେକଙ୍କର ମୃତ୍ୟୁ ହେଉଛି । ଏଥିପାଇଁ ଦ୍ରୁତ ଗତିରେ ଗାଡି ଚଳାଇବା ଏବଂ ଟ୍ରାଫିକ ନିୟମକୁ ଅଣଦେଖା କରିବାକୁ ଅନେକ ସମୟରେ ଦାୟୀ କରାଯାଇଥାଏ । ଉକ୍ତ ବ୍ରିଜରେ ପ୍ରାୟ ସମୟରେ ଦୁର୍ଘଟଣା ଘଟୁଛି । ବ୍ରିଜର ସ୍ଥିତି ଭଲ ନଥିବାରୁ ସଡକ ଦୁର୍ଘଟଣା କାରଣ ହୋଇଛି । ମରାମତି ପାଇଁ ସ୍ଥାନୀୟ ଲୋକ ପ୍ରଶାସନକୁ କହିଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇ ନଥିବା ସ୍ଥାନୀୟ ଲୋକ କହିଛନ୍ତି ।