ରାଉରକେଲା,୦୭/୦୬: ସରଣ୍ଡା ଜଙ୍ଗଲର ତିରିଲିପୋଷି ଓ ବିଟିକିଲିସୋୟା ମଝିରେ ଥିବା ଏକ ସ୍ଥାନରୁ ୧ କୁଇଣ୍ଟାଲ ବିସ୍ଫୋରକ ଜବତ ହୋଇଛି । ମାଓବାଦୀମାନେ ଏହି ବିସ୍ଫୋରକକୁ ସରଣ୍ଡା ଜଙ୍ଗଲରେ ଲୁଚାଇ ରଖିଥିଲେ । ସୁରକ୍ଷାବାହିନୀର ଯବାନମାନେ ଶନିବାର ଭୋରୁ ସର୍ଚ୍ଚ ଅପରେସନ କରି ଜବତ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୪ଟନରୁ ଉର୍ଦ୍ଧ୍ୱ ବିସ୍ଫୋରକ ଜବତ ହେଲାଣି ।
ସୂଚନା ମୁତାବକ, ଶୁକ୍ରବାର ସନ୍ଧ୍ୟାରୁ ଓଡ଼ିଶା ଓ ଝାଡ଼ଖଣ୍ଡ ସୀମାରେ ସିଆରପିଏଫ୍, କୋବ୍ରା, ଏସଓଜି ଏବଂ ଡିଭିଏଫ୍ ଯବାନମାନେ ସନ୍ଧାନୀ କୁକୁର ସହାୟତାରେ ମିଳିତ ଭାବେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ଶନିବାର ଭୋର ସମୟରେ ତିରିଲିପୋଷି ଓ ବିଟିକିଲିସୋୟା ମଝିରେ ଥିବା ଘଞ୍ଚ ଜଙ୍ଗଲରେ ମାଟି ତଳେ ବିସ୍ଫୋରକ ସାମଗ୍ରୀ ଲୁଚାଇ ରଖାଯାଇଥିବା ସନ୍ଧାନ ପାଇଥିଲେ । ବିସ୍ଫୋରକ ଜବତ ହୋଇଥିବା ସ୍ଥାନର ଆଖପାଖ ଅଞ୍ଚଳରେ ସୁରକ୍ଷା ବାହିନୀ ସର୍ଚ୍ଚ ଅଭିଯାନ ଚଳାଇଛି । ଜବତ ବିସ୍ଫୋରକ ପ୍ରାୟ ୧ କୁଇଣ୍ଟାଲ ହେବ ବୋଲି ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି । କହିରଖୁ କି, ଗତ ମାସ ୨୭ ତାରିଖରେ ମାଓବାଦୀମାନେ କେ. ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ପଥର ଖାଦାନରୁ ୫ ଟନ୍ ବିସ୍ଫୋରକ ଲୁଟି ନେଇଥିଲେ । ବର୍ତ୍ତମାନ ସୁଦ୍ଧା ୪ ଟନରୁ ଉର୍ଦ୍ଧ୍ୱ ବିସ୍ଫୋରକ ଜବତ ହେଲାଣି।