ନୂଆଦିଲ୍ଲୀ ୩୦/୦୩: ଉତ୍ତରପ୍ରଦେଶ ମୈନପୁରୀ ଜିଲ୍ଲାର ଜଣେ ମହିଳାଙ୍କ ସାଧୁତା ସଂପର୍କରେ ଏବେ ସବୁଆଡ଼େ ଚର୍ଚ୍ଚା । ନିକଟରେ ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ପ୍ରାୟ ୧୦ କୋଟି ଟଙ୍କା ଭୁଲ୍‌ରେ କ୍ରେଡିଟ୍ ହୋଇଯାଇଥିଲା । କିନ୍ତୁ ମହିଳା ସେଥିରୁ ଟଙ୍କାଟିଏ ବି ଖର୍ଚ୍ଚ କରିନଥିଲେ । ଓଲଟା ଟଙ୍କା ତାଙ୍କର ହୋଇନଥିବା କହି ତାକୁ ଫେରାଇ ନେବାକୁ ସେ ବ୍ୟାଙ୍କ୍‌ର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି ।

ରିପୋର୍ଟ ଅନୁସାରେ, ମୈନପୁରୀ ଜିଲ୍ଲା ଦେବଗଞ୍ଜ ଗାଁର ପାରସଭାନ ବହେଲିଆଙ୍କ ପରିବାର ଚାଷ କରି ଚଳନ୍ତି । ଗତ ଗୁରୁବାର ପାରସଭାନଙ୍କ ପତ୍ନୀ ରୀତା ସ୍ଥାନୀୟ ଏକ ବ୍ୟାଙ୍କ୍‌କୁ ଟଙ୍କା ଉଠାଇବାକୁ ଯାଇଥିଲେ । କିନ୍ତୁ ସେତେବେଳକୁ ବ୍ୟାଙ୍କ୍ ବନ୍ଦ ହୋଇସାରିଥିଲା । ଏହାପରେ ସେ ନିକଟରେ ଥିବା ଏକ ଏଟିଏମ୍‌କୁ ଯାଇଥିଲେ । ସେଠାରେ ଟଙ୍କା ଉଠାଣ ପୂର୍ବରୁ ବାଲାନ୍ସ ଚେକ୍ କରିଥିଲେ । ଏହି ସମୟରେ ସ୍କ୍ରିନ୍‌ରେ ବାଲାନ୍ସ ଆକାରରେ ଯେତିକି ଅର୍ଥ ଦେଖାଇଲା ତାକୁ ଦେଖି ତାଙ୍କର ହୋସ୍ ଉଡିଗଲା । ତାଙ୍କର ବ୍ୟାଙ୍କ ଅଫ୍ ଇଣ୍ଡିଆ ଆକାଉଣ୍ଟକୁ ୯ କୋଟି ୯୯ ଲକ୍ଷ ୪୯ ହଜାର ୫୮୮ ଟଙ୍କା ଆସିଥିଲା । ଆକାଉଣ୍ଟରେ ଏତେ ଟଙ୍କା ଦେଖି ତାଙ୍କୁ ହଠାତ୍ ବିଶ୍ୱାସ ଆସିଲା ନାହିଁ । ତେଣୁ ସେ ଅନ୍ୟ ଏକ ଏଟିଏମ୍‌ରେ ବାଲାନ୍ସ ଚେକ୍ କଲେ ।

ସେଠାରେ ବି ସମାନ ବାଲାନ୍ସ ଦେଖାଇଲା । ତେବେ ରୀତା ଲୋଭଗ୍ରସ୍ତ ହୋଇ ସେଥିରୁ ଟଙ୍କାଟିଏ ବି ଉଠାଇଲେ ନାହିଁ । ପରଦିନ ସ୍ୱାମୀଙ୍କ ସହ ଘଟଣା ସଂପର୍କରେ ବୁଝିବାକୁ ବ୍ୟାଙ୍କ୍ ଗଲେ । ସେଦିନ ମଧ୍ୟ ବ୍ୟାଙ୍କ ବନ୍ଦ ଥିଲା । ଏହାପରେ ସେ ବ୍ୟାଙ୍କ ମ୍ୟାନେଜର ରିଶିକାନ୍ତ ପାଣ୍ଡେଙ୍କ ସହ ଯୋଗାଯୋଗ କଲେ । ପାଣ୍ଡେ କହିଛନ୍ତି, ଏଭଳି ଘଟଣା ବୈଷୟିକ ତ୍ରୁଟି କାରଣରୁ ହୋଇଥାଇପାରେ । ସୋମବାର ବ୍ୟାଙ୍କ୍ ଖୋଲିଲେ ଏହି ସମସ୍ୟାର ସମାଧାନ କରାଯିବ । ସେପଟେ ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଜଣେ ସ୍ଥାନୀୟ ବ୍ୟକ୍ତି ଏହି କାହାଣୀକୁ ସୋସିଆଲ୍ ମିଡିଆରେ ପୋଷ୍ଟ କରିବା ପରେ ଅନେକ ରୀତାଙ୍କୁ ପ୍ରଂଶସା କରୁଛନ୍ତି ।

ଆହୁରି ପଢ଼ନ୍ତୁ...ସ୍କୁଲ, ଅଫିସକୁ ବୋମା ଧମକ ଦେଇ ଖେଳାଇଥିଲା ଆତଙ୍କ, ମହିଶୂରରୁ ମାଡ଼ି ବସିଲା ଦିଲ୍ଲୀ ପୁଲିସ୍