ନୂଆଦିଲ୍ଲୀ,୩୦/୦୩; ବିଭିନ୍ନ ହାଇକୋର୍ଟ, ସ୍କୁଲ ଏବଂ ସରକାରୀ ଅଫିସକୁ ଧମକପୂର୍ଣ୍ଣ ମେସେଜ୍ ଆସୁଥିଲା । ବୋମାରେ ଉଡ଼ାଇ ଦେବାକୁ ଧମକ ଦେଇ ଆତଙ୍କ ଖେଳାଉଥିଲେ ଜଣେ ବ୍ୟକ୍ତି । ଏବେ ତାଙ୍କର ଖେଳ ସରିଛି । ଦିଲ୍ଲୀ ପୁଲିସ କର୍ଣ୍ଣାଟକର ମହିଶୂରରୁ ଅଭିଯୁକ୍ତ ବ୍ୟକ୍ତିକୁ ଗିରଫ କରିଛି । ୪୭ ବର୍ଷୀୟ ଶ୍ରୀନିବାସ ଲୁଇସଙ୍କୁ ମାଡ଼ି ବସିଛି ପୁଲିସ୍ । କର୍ଣ୍ଣାଟକ ପୁଲିସ ସହାୟତାରେ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତଙ୍କଠାରୁ ଏକ ଲାପଟପ୍ ଏବଂ ଅନେକ ସିମ୍ କାର୍ଡ ଜବତ କରାଯାଇଛି । ଦିଲ୍ଲୀ ସମେତ ଅନେକ ରାଜ୍ୟର ସ୍କୁଲ, ହାଇକୋର୍ଟ ଏବଂ ସରକାରୀ କାର୍ଯ୍ୟାଳୟରେ ଆତଙ୍କ ସୃଷ୍ଟି କରିବାକୁ ଧମକ ଦେଇଥିବା ଅଭିଯୋଗରେ ଗିରଫ କରାଯାଇଛି । ୧୦୦୦ରୁ ଅଧିକ ମିଥ୍ୟା ମେସେଜ୍ ପଠାଇବା ଅଭିଯୋଗରେ ଗିରଫ ହୋଇଛନ୍ତି ଶ୍ରୀନିବାସ ।
ଅଭିଯୁକ୍ତକୁ ଗିରଫ କରିବା ପରେ ପୁଲିସ ତାଙ୍କୁ ମହିଶୂର କୋର୍ଟରେ ହାଜର କରିଥିବା ଜଣାପଡିଛି । ଯେଉଁଠାରୁ ତାଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଦିଲ୍ଲୀ ଅଣାଯାଉଛି । ଅଭିଯୁକ୍ତଙ୍କୁ ଦିଲ୍ଲୀରେ ଅଧିକ ପଚରାଉଚରା କରାଯିବ। ଅଭିଯୁକ୍ତ ଏକା ଏହି କାର୍ଯ୍ୟ କରିଛି କି ନାହିଁ କିମ୍ବା ତାଙ୍କର କୌଣସି ସହଯୋଗୀ ଏଥିରେ ସାମିଲ ଅଛନ୍ତି କି ନାହିଁ ତାହା ମଧ୍ୟ ପୁଲିସ ତଦନ୍ତ କରୁଛି । ଦିଲ୍ଲୀ ପୁଲିସର କହିବା ଅନୁଯାୟୀ, ଅଭିଯୁକ୍ତଙ୍କ ଲାପଟପ୍ ଯାଞ୍ଚ କରାଯାଉଛି । ଏପର୍ଯ୍ୟନ୍ତ ତଦନ୍ତରେ ୧୧୦୦ ଟି ଇମେଲ୍ ପଠାଇବା କଥା ସାମ୍ନାକୁ ଆସିଛି । ଅଭିଯୁକ୍ତ ଏହି ଇମେଲ୍ କାହିଁକି ପଠାଇଥିଲେ, ଏହା ପଛରେ ତାଙ୍କର ଉଦ୍ଦେଶ୍ୟ କ'ଣ ଥିଲା ? ଏହି ଏବଂ ଅନ୍ୟାନ୍ୟ ପ୍ରଶ୍ନର ଉତ୍ତର ପାଇଁ, ଅଭିଯୁକ୍ତକୁ ପଚରାଉଚରା କରାଯିବ ।
ଏହା ବି ପଢନ୍ତୁ...ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଆଉ ଜଣେ ଭାରତୀୟଙ୍କ ମୃତ୍ୟୁ, କୁଏତରେ ଇରାନ ଆକ୍ରମଣର ହେଲେ ଶିକାର
ଅଭିଯୁକ୍ତ ଜଣକ ଗ୍ରାଜୁଏଟ ଏବେ ବେରୋଜଗାର- ପୁଲିସ ତଦନ୍ତରୁ ଜଣାପଡିଛି ଯେ, ବେଙ୍ଗାଲୁରୁ ବାସିନ୍ଦା ଶ୍ରୀନିବାସ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ସେ ବର୍ତ୍ତମାନ ବେକାର ଏବଂ ତାଙ୍କ ମାଆ, ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ । ପରିବାର ତାଙ୍କ ପେନସନରେ ଚଳେ । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ସେ ମାନସିକ ଚାପରେ ପୀଡିତ ଥିଲେ, ଯାହା ତାଙ୍କୁ ଏପରି କାର୍ଯ୍ୟ କରିବାକୁ ବାଧ୍ୟ କରିଥିଲା । ପୁଲିସ କହିଛି ଯେ, ସେ ଆତଙ୍କ ସୃଷ୍ଟି କରିବା ପାଇଁ ଜାଣିଶୁଣି କୋର୍ଟ, ସ୍କୁଲ ଏବଂ କଲେଜକୁ ଟାର୍ଗେଟ କରିଥିଲେ । ସମ୍ପୂର୍ଣ୍ଣ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି ।