ବାଲାଘାଟ, ୦୮/୧୨: ମଧ୍ୟପ୍ରଦେଶର ବାଲାଘାଟ ଜିଲ୍ଲାରେ ପ୍ରଥମଥର ପାଇଁ ୧୦ ଜଣ ମାଓବାଦୀ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ନିକଟରେ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି । ଏହି ସମସ୍ତ ନକ୍ସଲଙ୍କ ମୁଣ୍ଡ ଉପରେ ମହାରାଷ୍ଟ୍ର, ଛତିଶଗଡ ଓ ମଧ୍ୟପ୍ରଦେଶ ସରକାରଙ୍କ ପକ୍ଷରୁ ମୋଟ ୨ କୋଟି ୩୬ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ସେମାନଙ୍କ ମଧ୍ୟରେ ଅଛନ୍ତି ୬୨ ଲକ୍ଷର ପୁରସ୍କାର ରାଶି ଥିବା ସୁରେନ୍ଦ୍ର ଓରଫ କବିର ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବାଲାଘାଟ ଜୋନରେ ଚଳିତବର୍ଷ ଏପର୍ଯ୍ୟନ୍ତ ୧୦ ଜଣ ମାଓବାଦୀ ସୁରକ୍ଷା ବାହିନୀ ଗୁଳିରେ ପ୍ରାଣ ହରାଇଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ସରକାରୀ ନୀତି ଅନୁସାରେ ଆର୍ଥିକ ସହାୟତା ସହ ଥଇଥାନ କରାଯିବ । ସେମାନଙ୍କୁ ସମାଜର ମୁଖ୍ୟଧାରାରେ ସାମିଲ କରାଯିବ । ଆତ୍ମସମର୍ପଣ କରିଥବା ମାଓବାଦୀମାନେ ପୁଲିସକୁ ୨ଟି ଏକେ-୪୭ ରାଇଫଲ, ୨ଟି ଇନସାସ୍ ରାଇଫଲ, ଗୋଟିଏ ଏସ୍ଏଲ୍ଆର, ୨ଟି ଏସ୍ଏସ୍ଆର, ୭ଟି ବିଜିଏଲ୍ ସେଲ୍ ଓ ୪ଟି ୱାକିଟକି ହସ୍ତାନ୍ତର କରିଛନ୍ତି । ଏହି ନକ୍ସଲମାନେ ଆତ୍ମସମର୍ପଣ କରିବା ଲାଗି ବନକର୍ମୀ ଗୁଲାବ ଉଇକେ ଓ ସ୍ଥାନୀୟ ଗ୍ରାମବାସୀଙ୍କ ସହ ଯୋଗାଯୋଗ କରିଥିଲେ । ଯାହାଫଳରେ ସେମାନଙ୍କୁ ସ୍ୱତନ୍ତ୍ର ଗାଡିରେ ବାଲାଘାଟକୁ ଅଣାଯାଇଥିଲା । ଏସବୁ ମାଓବାଦୀମାନେ ସୁକମା, ବିଜାପୁର, ଦାନ୍ତେୱାଡା ଓ ଗଡଚିରୋଲି ଅଞ୍ଚଳର ବାସିନ୍ଦା ।