ରାୟପୁର,୨୯/୧୧: ଛତିଶଗଡର ବସ୍ତର ଜିଲ୍ଲାରେ ଶୁକ୍ରବାର ୧୦ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରେ ୩ ମହିଳା ଓ ବରିଷ୍ଠ କ୍ୟାଡର ଚଇତୁ ସାମିଲ ଅଛନ୍ତି । ଏସବୁ ନକ୍ସଲଙ୍କ ମୁଣ୍ଡ ଉପରେ ୬୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା । ସେମାନେ ବସ୍ତର ଜିଲ୍ଲାର ମୁଖ୍ୟାଳୟ ଜଗଦଲପୁରଠାରେ ବରିଷ୍ଠ ପୁଲିସ ଓ ସିଆରପିଏଫ ଅଧିକାରୀଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ।
ବସ୍ତର ପୁଲିସ ଆରମ୍ଭ କରିଥିବା ପୁନା ମର୍ଗମ (ଥଇଥାନରୁ ସାମାଜିକ ସହାବସ୍ଥାନ) ଯୋଜନାରେ ଅନୁପ୍ରାଣିତ ହୋଇ ସେମାନେ ଆତ୍ମସମର୍ପଣ କରିଥିବା କହିଛନ୍ତି । ୬୩ ବର୍ଷୀୟ ଚଇତୁ ଓରଫ ଶ୍ୟାମ ଦାଦା ମାଓ ସଙ୍ଗଠନର ଦଣ୍ଡାକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ଜଣେ ସଦସ୍ୟ । ସେ ତେଲଙ୍ଗାନର ୱାରଙ୍ଗଲ ଜିଲ୍ଲା ବାସିନ୍ଦା । ତାଙ୍କର ପ୍ରକୃତ ନାମ ଗିରାଡି ପବନନ୍ଦ ରେଡ୍ଡୀ । ସେ ୧୯୮୫ରେ ମାଓ ସଙ୍ଗଠନରେ ଯୋଗ ଦେଇଥିଲେ । ୧୯୯୧-୯୨ରେ ସେ ମହାରାଷ୍ଟ୍ରର ଗନ୍ଦିଆ ଅଞ୍ଚଳ ଛାଡି ଦଣ୍ଡକାରଣ୍ୟ କମିଟିରେ ସାମିଲ ହୋଇଥିଲେ । ସେ ପ୍ରଥମେ ଦଳମ (ସଦସ୍ୟ) ଥିଲେ । ପରେ କମାଣ୍ଡର ଓ ଡିଭିଜନାଲ କମିଟି ସଦସ୍ୟ ହେଲେ । ୨୦୦୭ରେ ସେ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ସଦସ୍ୟ ହେଲେ । ଏବେ ମାଓବାଦୀ ସଙ୍ଗଠନର ଦରଭା ଡିଭିଜନର ଇନ୍ଚାର୍ଜ ଥିଲେ । ତାଙ୍କ ମୁଣ୍ଡ ଉପରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା ।
ସେହିଭଳି ଆତ୍ମସମର୍ପଣ କରିଥିବା ଅନ୍ୟ ମାଓବାଦୀଙ୍କ ମଧ୍ୟରେ ଅଛନ୍ତି ସରୋଜ ଓରଫ ମଲ୍କୁ ସୋଢ଼ି, ଭୁପେଶ ଓରଫ ସନକ ରାମ ଫୁରମି, ପ୍ରକାଶ, କମଳେଶ ଓରଫ ଝିତ୍ରୁ ଯାଦବ, ଜାନ୍ନି ଓରଫ ରାୟମତି ସଲାମ, ସନ୍ତୋଷ ଏବଂ ରାମଶୀଳା ଓରଫ ବୁକଲି ସଲମ । ଏମାନଙ୍କ ମୁଣ୍ଡ ଉପରେ ୮ରୁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା । ଏହାଛଡା ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ନବୀନ ଓରଫ ଭଜୁ ସଲାମ ଏବଂ ଜୟତି ଓରାଫ ମନାଇ କଶ୍ୟପ ମଧ୍ୟ ଆତ୍ମସମର୍ପଣ କରିଛନ୍ତି । ଗତ ୨୩ ମାସ ଭିତରେ ରାଜ୍ୟରେ ୨୨୦୦ରୁ ଅଧିକ ମାଓବାଦୀ ଆତ୍ମସମର୍ପଣ କରିସାରିଲେଣି । ଏହି ଆତ୍ମସମର୍ପଣ ଘଟଣାରୁ ସ୍ପଷ୍ଟ ହୋଇଛି କି ମାଓବାଦୀଙ୍କ ହିଂସା ଓ ଜନବିରୋଧୀ ବିଚାରଧାରାର ଧୀରେଧୀରେ ପତନ ହେବାରେ ଲାଗିଛି ବୋଲି ବସ୍ତର ପୁଲିସ ଆଇଜି ସୁନ୍ଦରରାଜ ପି କହିଛନ୍ତି।