ମାଲକାନଗିରି, ୪/୧୧(ଆପ୍ର ) : ରୋଗୀଙ୍କ କାମରେ ଲାଗୁନାହିଁ ୧୦୮ ଆମ୍ବୁଲାନ୍ସ,। ରାସ୍ତା କଡ଼ରେ ଦୀର୍ଘ ଦିନ ହେଲା ଅଚଳ ହୋଇ ପଡିଛି ୮ ଟି ଆମ୍ବୁଲାନ୍ସ ମାଲକାନଗିରି ଜୟପୁର ୩୨୬ ନମ୍ୱର ଜାତୀୟ ରାଜପଥ ବିଜାଘାଟି ଓ ମାଲକାନଗିରି କାଲିମେଳା ୩୨୬ ନମ୍ବର ଜାତୀୟ ରାଜପଥ ଏମଭି୨୩ ଗ୍ରାମ ନିକଟରେ ଆମ୍ବୁଲାନ୍ସ ପଡି ରହିଥିବା ଦେଖିବାକୁ ମିଳୁଛି। ଏହି ୧୦୮ ଆମ୍ବୁଲାନ୍ସ ଗୁଡିକ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅଧୀନରେ ନରହି ସିଧା ସଳଖ ଭୁବନେଶ୍ୱର ହେଡ୍ ଅଫିସ ଅଧୀନ ରେ ରହିଛି।  ସରକାରଙ୍କ ପକ୍ଷରୁ ଠିକ ସମୟରେ ଆମ୍ବୁଲାନ୍ସ ମରାମତି ପାଇଁ ଅର୍ଥ ଆସୁନଥିବାରୁ ଦୀର୍ଘ ଦିନ ଧରି ଅଚଳ ହୋଇ ରାସ୍ତା କଡ଼ ରେ ପଡିରହୁଛି। କିଛି ଆମ୍ବୁଲାନ୍ସ ଉପରେ ଗଛଲତା ମାଡିଗଲାଣି। ରୋଗୀଙ୍କ ନିକଟରେ ଠିକ ସମୟରେ ଆମ୍ବୁଲାନ୍ସ ପହଁଚି ପାରୁ ନଥିବାରୁ ଗରିବ ରୋଗୀ ଧାରକରଜ କରି ଗାଡ଼ି ଭଡା ନେଇ ଡାକ୍ତରଖାନାକୁ ଆସିଥାନ୍ତି।

ଏ ସମ୍ପର୍କରେ  ଜିଲ୍ଲା ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ ତଥା ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବ୍ରଜ ବନ୍ଧୁ ଦାଶଙ୍କୁ ପଚାରିବାରୁ ସେ କହିଛନ୍ତି ଜିଲ୍ଲାର ସାତଟି ବ୍ଲକ ପାଇଁ ୨୦ ଟି ୧୦୮ ଟି ଆମ୍ବୁଲାନ୍ସ, ୮ଟି ୧୦୨ ଜନନୀ ଏକ୍ସପ୍ରେସ ଆମ୍ବୁଲାନ୍ସ ଯୋଗାଯାଇଛି। ସେଥି ମଧ୍ୟ ରୁ ୩ଟି ୧୦୮ ଆମ୍ବୁଲାନ୍ସ ଅଚଳ ଅବସ୍ଥାରେ ଅଛି। ଗତ କିଛି ଦିନ ହେଲା ଆଉ ୫ଟି ୧୦୮ଆମ୍ବୁଲାନ୍ସ ଅଚଳ ହୋଇଥିଲ ହେଲେ ସେ ଅଚଳ ଆମ୍ବୁଲାନ୍ସ ଗୁଡିକର ମରାମତ କାମ ଆରମ୍ଭ ହୋଇଛି ଗତ ଦୁଇଦିନ ହେଲା ମରାମତ କାମ ସରିଥିବାରୁ ସେ ଗୁଡିକ ଆଜି ଠାରୁ ଚଲାଚଳ ଆରମ୍ଭ କରିଛି। ଅନ୍ୟ ତିନୋଟି ଆମ୍ବୁଲାନ୍ସ ନଷ୍ଟ ହୋଇଥିବାରୁ ତାହା ମରାମତି ହେବା ସମ୍ଭବ ନୁହଁ, ତେଣୁ ନୂଆ ଆମ୍ବୁଲାନ୍ସ ଯୋଗାଇ ଦେଵା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କୁ ଚିଠି ପଠା ଯାଇଛି ବୋଲି ଶ୍ରୀ ଦାଶ ସୂଚନା ଦେଇଛନ୍ତି।