ଭୁବନେଶ୍ୱର,୧୬/୧ : ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ଆଜିଠାରୁ 'ଦଶମ ସବ୍-ଜୁନିୟର ରଗ୍ବୀ ସେଭେନ୍ସ ଚାମ୍ପିୟନସିପ୍-୨୦୨୫' ଆରମ୍ଭ ହୋଇଛି । ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ, ରଗ୍ବୀ ଇଣ୍ଡିଆ ଏବଂ ଓଡ଼ିଶା ଷ୍ଟେଟ୍ ରଗ୍ବୀ ଆସୋସିଏସନ୍ର ମିଳିତ ସହଯୋଗରେ ଆରମ୍ଭ ହୋଇଛି ଏହି ଚାମ୍ପିୟନସିପ୍ । କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଜାତୀୟସ୍ତରୀୟ କ୍ରୀଡ଼ା ମହାକୁମ୍ଭର ଶୁଭାରମ୍ଭ କରିଛନ୍ତି। ଭାରତୀୟ ରଗ୍ବୀ ଦଳର ଉପ-ଅଧିନାୟିକା ତଥା ଓଡ଼ିଶାର ତାରକା ଖେଳାଳି ଡୁମୁନି ମାର୍ଣ୍ଡି ଚାମ୍ପିଅନସିପ୍ ଟ୍ରଫିକୁ ପଡ଼ିଆକୁ ନେଇ ସ୍ଥାପନା କରିବା ପରେ ସମସ୍ତ ୨୪ଟି ପ୍ରତିଯୋଗୀ ଦଳର ଅଧିନାୟିକାମାନେ ଜଣକ ପରେ ଜଣେ ପଡ଼ିଆ ମଧ୍ୟକୁ ପ୍ରବେଶ କରିଥିଲେ। ଏହି ଅବସରରେ ଭାରତୀୟ ରଗ୍ବୀ ଫୁଟବଲ୍ ୟୁନିୟନ (ଆଇଆର୍ଏଫୟୁ)ର ସମ୍ପାଦକ ଜେରାଲ୍ଡ ପ୍ରଭୁ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ଉଦ୍ଘାଟନ ଉତ୍ସବରେ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଜାଦଭ, କ୍ରୀଡ଼ା ନିର୍ଦ୍ଦେଶକ ଡା. ୟେଦୁଲା ବିଜୟ, ଅତିରିକ୍ତ ଶାସନ ସଚିବ ଅଶୋକ କୁମାର ପଣ୍ଡା ଓ ବିଜୟ କୁମାର ସ୍ବାଇଁଙ୍କ ସମେତ ଓଡ଼ିଶା ରଗ୍ବୀ ଫୁଟବଲ ସଂଘର ଉପସଭାପତି ଉପେନ୍ଦ୍ର ମହାନ୍ତି ଉପସ୍ଥିତ ଥିଲେ । ୧୫ବର୍ଷରୁ କମ୍ ବାଳିକା ବର୍ଗର ପ୍ରତିଯୋଗିତା ସହ ଏହି ଚାମ୍ପିଅନସିପ୍ ଆରମ୍ଭ ହୋଇଛି । ଉଦଘାଟନୀ ଦିବସରେ ୨୪ଟି ରାଜ୍ୟ ଦଳ ମଧ୍ୟରେ ଉଚ୍ଚକୋଟୀର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଦେଖିବାକୁ ମିଳିଥିବାବେଳେ ଓଡ଼ିଶା, ମହାରାଷ୍ଟ୍ର ଏବଂ ବିହାର ପରି ଶକ୍ତିଶାଳୀ ଦଳଗୁଡ଼ିକ ଚମତ୍କାର ପ୍ରଦର୍ଶନ କରି ପ୍ରତିଯୋଗିତାର ଆରମ୍ଭରୁ ନିଜର ଆଧିପତ୍ୟ ଜାହିର କରିଛନ୍ତି । ଆୟୋଜକ ରାଜ୍ୟ ଓଡ଼ିଶା ନିଜ ମାଟିରେ ପ୍ରଭାବଶାଳୀ ପ୍ରଦର୍ଶନ କରି 'ପୁଲ୍-ଡି'ରେ ଉତ୍ତରପ୍ରଦେଶକୁ ୩୫-୦ ଏବଂ ରାଜସ୍ଥାନକୁ ୨୮-୦ ବ୍ୟବଧାନରେ ପରାସ୍ତ କରି ଅପରାଜେୟ ରହିଛି। ପ୍ରଥମ ଦିବସରେ ଓଡ଼ିଶା ବାଳିକା ରଗ୍ବୀ ଦଳ ଏହି ଦମ୍ଦାର ବିଜୟ ଯାତ୍ରା ଆରମ୍ଭ କରିଛି ।
ସେହିପରି ଗତ ବର୍ଷର ଚାମ୍ପିଅନ ମହାରାଷ୍ଟ୍ର 'ପୁଲ୍-ଏ'ରେ ଆସାମକୁ ୩୩-୦ ଏବଂ ଜମ୍ମୁ-କଶ୍ମୀରକୁ ୪୦-୦ରେ ହରାଇଥିବା ବେଳେ ଗତବର୍ଷର ରନର୍ସ-ଅପ୍ ବିହାର 'ପୁଲ୍-ବି'ରେ ଝାଡ଼ଖଣ୍ଡକୁ ୬୭-୦ ଏବଂ ମଣିପୁରକୁ ୬୪-୦ ଭଳି ବୃହତ ବ୍ୟବଧାନରେ ପରାସ୍ତ କରିଛି। ଦିଲ୍ଲୀ 'ପୁଲ୍-ସି'ରେ ଆନ୍ଧ୍ରପ୍ରଦେଶ ଓ ଉତ୍ତରାଖଣ୍ଡକୁ ହରାଇ ଶୀର୍ଷରେ ରହିଥିବା ବେଳେ ପଶ୍ଚିମବଙ୍ଗ ଏବଂ କେରଳ 'ପୁଲ୍-ଇ'ରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ଅନ୍ୟପଟେ 'ପୁଲ୍-ଏଫ୍'ରେ ଗୁଜରାଟ ଓ ଚଣ୍ଡିଗଡ଼, 'ପୁଲ୍-ଜି'ରେ ଡି.ଏନ୍.ଏଚ୍.ଡି.ଡି (DNHDD) ଏବଂ 'ପୁଲ୍-ଏଚ୍'ରେ କର୍ଣ୍ଣାଟକ ଓ ଛତିଶଗଡ଼ ବିଜୟ ହାସଲ କରିଛନ୍ତି।
ବାଳକ ଓ ବାଳିକା ଉଭୟ ବିଭାଗରେ ଆୟୋଜିତ ହେଉଥିବା ଏହି ପ୍ରତିଯୋଗିତାରେ ଓଡ଼ିଶା ସମେତ ଦେଶର ୨୪ଟି ରାଜ୍ୟର ୫୫୦ରୁ ଅଧିକ ୧୫ ବର୍ଷରୁ କମ୍ ବୟସର ରଗ୍ବୀ ଖେଳାଳି ଅଂଶଗ୍ରହଣ କରିଛନ୍ତି। 'ବାଳିକା ସବ୍-ଜୁନିୟର ରଗ୍ବୀ ସେଭେନ୍ସ ଚାମ୍ପିୟନସିପ୍' ଆଜି ଆରମ୍ଭ ହୋଇ ଆସନ୍ତାକାଲି ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବାବେଳେ 'ବାଳକ ସବ୍-ଜୁନିୟର ରଗ୍ବୀ ସେଭେନ୍ସ ଚାମ୍ପିୟନସିପ୍' ଜାନୁଆରୀ ୨୦ ଓ ୨୧ ତାରିଖରେ ଆୟୋଜନ କରାଯିବ। ଖେଳାଳିମାନଙ୍କ ପାଇଁ ରହିବା ଠାରୁ ଆରମ୍ଭ କରି ଉଚ୍ଚକୋଟୀର ଆତିଥେୟତା ଏବଂ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।