ନୂଆଦିଲ୍ଲୀ,୧୧/୦୪: ଫ୍ରାନ୍ସ ନିକଟରୁ ଭାରତ ନୂଆ ୧୧୪ଟି ରାଫେଲ ଯୁଦ୍ଧବିମାନ କିଣିବାକୁ ଯାଉଛି । ସେଥିରୁ ୧୮ଟି ଜେଟ୍ ଫ୍ରାନ୍ସରୁ ତିଆରି ହୋଇ ଭାରତ ଆସିବ । ଅବଶିଷ୍ଟ ୯୬ଟି ଲଢ଼ୁଆ ବିମାନ ଭାରତରେ ହିଁ ନିର୍ମାଣ କରାଯିବ । ଏଥିପାଇଁ ଫ୍ରାନ୍ସ ସମସ୍ତ ଜ୍ଞାନକୌଶଳ ଓ ପ୍ରଯୁକ୍ତି ବିଦ୍ୟାର ସହାୟତା ଯୋଗାଇଦେବ । ସବୁଠାରୁ ବଡକଥା ହେଉଛି ଏସବୁ ଜେଟ୍‌ରେ ଭାରତରେ ନିର୍ମିତ ସ୍ୱଦେଶୀ ମିସାଇଲ ଲାଗିବ ।

ରିପୋର୍ଟ ଅନୁସାରେ ବିଦେଶୀ ରାଫେଲ ଜେଟ୍ ଓ ସ୍ୱଦେଶୀ ମିସାଇଲ୍ ପରସ୍ପର କିଭଳି ଯୋଡିହେବ ତାହା ଇଣ୍ଟରଫେସ୍ କଣ୍ଟ୍ରୋଲ ଡକ୍ୟୁମେଣ୍ଟ (ଆଇସିଡି) ମାଧ୍ୟମରେ ସ୍ଥିର କରାଯିବ । ପ୍ରତିରକ୍ଷା ମନ୍ତ୍ରଣାଳୟ ଆସନ୍ତା ମାସରେ ରାଫେଲ ଜେଟ୍ ନିର୍ମାଣ କରୁଥିବା ଫ୍ରାନ୍ସ କମ୍ପାନି ଦାସଲ୍ଟ ଆଭିଏସନକୁ ରିକ୍ୱେଷ୍ଟ ଫର ପ୍ରପୋଜାଲ (ଆରଏଫପି) ଜାରି କରିବ । ଏହା ପରେ କଣ୍ଟ୍ରାକ୍ଟ ଉପରେ ଆଲୋଚନା କରାଯିବ । ଏହି ରାଫେଲ କିଣା ପ୍ରସ୍ତାବକୁ ଡିଏସି (ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ) ଗତ ଫେବ୍ରୁଆରୀ ୧୨ ତାରିଖରେ ମଞ୍ଜୁରି ଦେଇଥିଲା । ତେବେ ନୂଆ ୧୧୪ଟି ରାଫେଲ ମଧ୍ୟରୁ ଫ୍ରାନ୍ସରୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ୧୮ଟି ଭାରତ ଆସିବ । ଅବଶିଷ୍ଟ ୯୬ଟି ଭାରତରେ ନିର୍ମିତ ହେବ । ସେଥିରେ ୨୫ ପ୍ରତିଶତ ସ୍ୱଦେଶୀ ଜ୍ଞାନକୌଶଳ ବ୍ୟବହାର ହେବ । ରିପୋର୍ଟ ଅନୁସାରେ ଫ୍ରାନ୍ସ ଏହି ଯୁଦ୍ଧବିମାନର ସୋର୍ସ କୋଡ ଦେବାକୁ ଚାହୁଁନାହିଁ । କାରଣ କୌଣସି ବିଦେଶୀ ରାଷ୍ଟ୍ର ନିଜର ସୋର୍ସ କୋଡ ସେୟାର କରନ୍ତି ନାହିଁ । ଏହି କୋଡ୍ ରାଡାର, ଇଲେକ୍ଟ୍ରୋନିକ ୱାରଫେୟାର, ଟାର୍ଗେଟ ଟ୍ରାକିଂ ଓ ଅସ୍ତ୍ରଶସ୍ତ୍ର ବ୍ୟବସ୍ଥାକୁ ନିୟନ୍ତ୍ରଣ କରିଥାଏ । ସେଥିପାଇଁ ଏହାକୁ ସେୟାର କରାଯାଇନଥାଏ । ତେବେ ଭାରତ ଓ ଫ୍ରାନ୍ସ ମଧ୍ୟରେ ହେବାକୁ ଥିବା ବୁଝାମଣାରେ ଏହାର କୌଣସି ପ୍ରଭାବ ପଡିବନାହିଁ ।

ଆହୁରି ମଧ୍ୟ ଜଣାପଡିଛି ଯେ ଭାରତକୁ ପଞ୍ଚମ ପିଢ଼ିର ଏସ୍ୟୁ-୫୭ ଯୁଦ୍ଧବିମାନର ଦୁଇଟି ସ୍କ୍ୱାଡ୍ରନ ଦେବାକୁ ରୁଷ ପ୍ରସ୍ତାବ ଦେଇଛି । ରୁଷ ମଧ୍ୟ ହାଲ୍ (ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ) ସହ ମିଶି ଏସ୍ୟୁ-୩୦ ଏମ୍କେଆଇ ଜେଟ୍ ଅପଗ୍ରେଡ ମଧ୍ୟ କରୁଛି । କିନ୍ତୁ ରୁଷ କେବେ ବି ଏହି ଦୁଇ ଯୁଦ୍ଧବିମାନର ସୋର୍ସ କୋଡ୍ ଭାରତ ସହ ସେୟାର କରିନାହିଁ । ଆମେରିକା ମଧ୍ୟ ଏଭଳି ଆଭିମୁଖ୍ୟ ପୋଷଣ କରିଆସିଛି । ଭାରତ ପାଖରେ ଥିବା ଆମେରିକାର ପରିବହନ ବିମାନ ଏବଂ ଲଢ଼ୁଆ ହେଲିକପ୍ଟର ସହ ଜଡିତ ସଫ୍ଟୱେର କୋଡ ମଧ୍ୟ ଆମେରିକା ସେୟାର କରିନାହିଁ ।

ଭାରତୀୟ ବାୟୁସେନା ୨୦୨୫ ସେପ୍ଟେମ୍ବରରେ ୧୧୪ ରାଫେଲ ଯୁଦ୍ଧବିମାନ ଯୋଗାଇଦେବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଅନୁରୋଧ କରିଥିଲା । ଏସଂକ୍ରାନ୍ତ ପ୍ରସ୍ତାବ ମଧ୍ୟ ପଠାଇଥିଲା । ବାୟୁସେନା ପାଖରେ ୩୬ ରାଫେଲ ଯୁଦ୍ଧବିମାନ ରହିଛି । ଭାରତୀୟ ନୌସେନା ୨୬ଟି ମରିନ ରାଫେଲ ପାଇଁ ପ୍ରସ୍ତାବ ଦେଇଛି । ଅମ୍ବାଲା ବିମାନଘାଟିରେ ରାଫେଲ ଟ୍ରେନିଂ ଏବଂ ଏମ୍ଆରଓ (ମେଣ୍ଟନାନ୍ସ, ରିପେୟାର ଓ ଓଭରହାଲ) ସେଣ୍ଟର ପୂର୍ବରୁ ଚାଲୁ ରହିଛି । ବାୟୁସେନା ପାଖରେ ତୁରନ୍ତ ଦୁଇଟି ସ୍କ୍ୱାଡ୍ରନ (୩୬-୩୮ ବିମାନ) ସାମିଲ କରିବା ଲାଗି ଆବଶ୍ୟକ ଭିତ୍ତିଭୂମି, ସ୍ପେୟାର ପାର୍ଟସ୍ ଓ ପ୍ରଶିକ୍ଷିତ କର୍ମଚାରୀ ମହଜୁଦ ଅଛନ୍ତି ।