ପ୍ରମୂଖ ଖବର
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ଡିଜେ ଗାଡ଼ିରେ ଲାଗିଲା ୧୧କେଭି ବିଦ୍ୟୁତ ତାର; ଜଣେ ବରଯାତ୍ରୀ ମୃତ ଓ ୫ଗୁରୁତର

Published By : Bijay Swain | July 4, 2025 10:38 PM

ଢେଙ୍କାନାଳ, ୪/୭: ବରଯାତ୍ରୀ ଶୋଭାଯାତ୍ରାରେ ଘଟିଲା ଅଘଟଣ। ଡିଜେ ଗାଡ଼ିରେ ୧୧ କେଭି ବିଦ୍ୟୁତ ତାର ଲାଗି ଜଣେ ବରଯାତ୍ରୀର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି। ଢେଙ୍କାନାଳ ଜିଲ୍ଲା ତୁମୁସିଂହା ଥାନା କଦଳୀପାଳ ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଏପରି ଅଘଟଣ ଘଟିଛି । ମୃତକ ଢେଙ୍କାନାଳ ସହର ଗୁଡିଆନାଳୀର ମଣ୍ଟୁ ଦେହୁରୀ (୨୯) । ଆହତମାନେ ଢେଙ୍କାନାଳ ସହର କଣ୍ଟାନାଳୀ ବାଇପାସର ସାୟାନ ନାଏକ, ତୁମୁସିଂହା ଥାନା କଡିଓକାଟେଣି ଗାଁର ନିଶିକାନ୍ତ ପଳେଇ, ଭୁବନ ଜିରାଳର ସାହିଲ ସାହୁ, କଦଳୀପାଳ ଗ୍ରାମର ସୁନୀଲ ପଳେଇ ବୋଲି ଜଣାପଡିଛି। ଆହତ ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଢେଙ୍କାନାଳ ସହର ଗୁଡ଼ିଆନାଳୀରୁ ବର ତୁମୁସିଂହା ଥାନା କଦଳୀପାଳ କନ୍ଧସାହିକୁ ଯାଇଥିଲା। ଅପରାହ୍ନ ପ୍ରାୟ ୪ଟା ବେଳେ ବରଯାତ୍ରୀ ଶୋଭାଯାତ୍ରା ଚାଲିଥିଲା। ରାସ୍ତା ପାର୍ଶ୍ଵରେ ଝୁଲି ରହିଥ‌ିବା ୧୧କେଭି ବିଦ୍ୟୁତ ତାରରେ ଡିଜେ ଗାଡିର ଉପର ଭାଗରେ ଲାଗିଯାଇଥିଲା। ଫଳରେ ଡିଜେ ଗାଡ଼ି ହାଇଭୋଲ୍ଟେଜ ବିଦ୍ୟୁତ କରେଣ୍ଟରେ ଚାର୍ଜ ହୋଇଯାଇଥିଲା। ଡିଜେ ଗାଡିରେ ଚଢି ଓ ନିକଟରେ ନାଚୁଥିବା ବରଯାତ୍ରୀଙ୍କୁ ବିଦ୍ୟୁତ୍ ଆଘାତ ଦେଇଥିଲା। 

ସମସ୍ତଙ୍କୁ ପ୍ରଥମେ ସ୍ଥାନୀୟ ଅଁଳାବେରଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା। ହେଲେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ସେଠାରେ ମଣ୍ଟୁଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ତୁମୁସିଂହା ଥାନା ପୁଲିସ ଡିଜେ ଗାଡିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.