ନୂଆଦିଲ୍ଲୀ ୦୫/୦୨: ଅଷ୍ଟ୍ରେଲିଆର ୧୩ ବର୍ଷୀୟ ବାଳକ ଅଷ୍ଟିନ୍ ଆପଲ୍ବି ସମୁଦ୍ରରେ ପ୍ରାୟ ୪ ଘଣ୍ଟା ପହଁରି ମା’ ଓ ଦୁଇ ସାନ ଭାଇ-ଭଉଣୀଙ୍କ ଜୀବନ ବଞ୍ଚାଇଛନ୍ତି । ଜୋଆନ ଆପଲ୍ବି ନିଜ ପୁଅ- ଝିଅ ଅଷ୍ଟିନ୍, ବ୍ୟୁ ଓ ଗ୍ରେସ୍ଙ୍କ ସହ ପର୍ଥରୁ ପ୍ରାୟ ୨୦୦ କିମି ଦୂର କ୍ୱିଣ୍ଡଲ୍ପରେ ଛୁଟି ବିତାଉଥିଲେ । ଗତ ଶୁକ୍ରବାର ଦ୍ୱିପ୍ରହରରେ ସେମାନେ ସମୁଦ୍ର କୂଳରେ ପ୍ୟାଡେଲବୋର୍ଡରେ ପାଣିରେ ଖେଳୁଥିଲେ । ପ୍ରଥମେ ସବୁ ଠିକ୍ ଥିଲା । କିନ୍ତୁ ପିଲାମାନେ ଟିକିଏ ଆଗକୁ ଚାଲିଗଲେ । ଏତିକିବେଳେ ପବନର ବେଗ ବଢ଼ିଗଲା । ଡଙ୍ଗା ଓଲଟିଗଲା, ଫଳରେ ସମସ୍ତେ ଧୀରେ ଧୀରେ ସମୁଦ୍ରରେ ଭାସିବାକୁ ଲାଗିଲେ ।
ଚାହୁଁ ଚାହିଁ ସ୍ଥିତି ବିଗିଡ଼ିଗଲା । କୂଳକୁ ପହଁରି ଯିବା ପାଇଁ ମା’ ଅଷ୍ଟିନ୍ଙ୍କୁ ଚୟନ କଲେ । ଅଷ୍ଟିନ୍ ତୁରନ୍ତ ସମୁଦ୍ର କୂଳ ଅଭିମୁଖେ ପହଁରା ଆରମ୍ଭ କଲେ । ସେତେବେଳେ ଜୋଆନଙ୍କ ଧାରଣା ଥିଲା, ସମୁଦ୍ର କୂଳ ବେଶି ଦୂର ନୁହେଁ । କିନ୍ତୁ ଅଷ୍ଟିନ୍ ଆଗକୁ ବଢ଼ିବା ସହିତ ମା’ ଓ ଭାଇଭଉଣୀ ଆହୁରି ଦୂରକୁ ଭାସିବାକୁ ଲାଗିଲେ । ସେମାନେ ଆଉ ଅଷ୍ଟିନ୍ଙ୍କୁ ଦେଖିପାରିଲେ ନାହିଁ । ସନ୍ଧ୍ୟା ହେବା ସହିତ ଲହଡ଼ି ବେଗ ବଢ଼ିବାକୁ ଲାଗିଲା । ମା’ ଓ ପିଲାମାନେ ଲାଇଫ୍ ଜ୍ୟାକେଟ୍ ପିନ୍ଧି ପ୍ୟାଡେଲବୋର୍ଡକୁ ଧରି କୌଣସି ପ୍ରକାର ନିଜକୁ ସମ୍ଭାଳିଥିଲେ । ଜୋଆନଙ୍କୁ ଲାଗିଲା, ଅଷ୍ଟିନ୍ ବୋଧେ ଆଉ ସମୟରେ ପହଞ୍ଚି ପାରିବେ ନାହିଁ । ସେପଟେ ଅଷ୍ଟିନ୍ ଲଗାତାର ପହଁରିଲେ । ପ୍ରାୟ ୪ କିମି ପରେ ସେ କୂଳରେ ପହଞ୍ଚିଲେ ।
ଆହୁରି ପଢ଼ନ୍ତୁ...ଏପ୍ଷ୍ଟିନଙ୍କ କୁକର୍ମର ଦ୍ୱୀପ, ରେକର୍ଡରେ ନ ଥିଲା ବଡ଼ବଡ଼ିଆଙ୍କ ଉଡ଼ାଣ
କୂଳରେ ପହଞ୍ଚିବା ପରେ ସେ ୨ କିମି ଦୌଡ଼ି ଫୋନ୍ ପାଖରେ ପହଞ୍ଚିଲେ ଏବଂ ସନ୍ଧ୍ୟା ପ୍ରାୟ ୬ଟାରେ ଆପାତକାଳ ସେବାକୁ କଲ୍ କଲେ । ଏହା ପରେ ସେ ଅଚେତ୍ ହୋଇପଡ଼ିଲେ । ତାଙ୍କୁ ହସ୍ପିଟାଲ ନିଆଗଲା । ଅନ୍ୟପଟେ ସମୁଦ୍ରରେ ପିଲାଙ୍କ ସହ ଫସିଥିବା ଜୋଆନ ଭାବିନେଲେ, ଅଷ୍ଟିନ୍ ବୋଧହୁଏ ଆଉ ଜୀବିତ ନାହାନ୍ତି । ସେମାନଙ୍କୁ ସାହାଯ୍ୟ କରିବାକୁ ଆଉ କେହି ଆସିବେ ନାହିଁ । ଅନେକ ସମୟ ପରେ ଉଦ୍ଧାରକାରୀ ଟିମ୍ ସେମାନଙ୍କୁ ସମୁଦ୍ରରେ ପ୍ରାୟ ୧୪ କିମି ଦୂରରେ ପାଇଲେ । ସେତେବେଳେ ଏକ ବଡ଼ ଲହଡ଼ିରେ ପିଲାମାନେ ପାଣିକୁ ଖସିପଡ଼ିଥିଲେ । ଉଦ୍ଧାରକାରୀ ଟିମ୍ ସମସ୍ତଙ୍କୁ ଉଦ୍ଧାର କରିବାରେ ସଫଳ ହେଲେ । ପୁଲିସ କହିଲା, ୧୩ ବର୍ଷୀୟ ଅଷ୍ଟିନ୍ଙ୍କ ସାହସ ଯୋଗୁ ତାଙ୍କ ମା’ ଓ ଭାଇ-ଭଉଣୀଙ୍କ ଜୀବନ ବଞ୍ଚିଲା । ମା’ ଜୋଆନ ଓ ଦୁଇ ସନ୍ତାନ ପ୍ରାୟ ୧୦ ଘଣ୍ଟା ସମୁଦ୍ରରେ ଫସି ରହିଥିଲେ । ଅଷ୍ଟିନ୍ କହିଛନ୍ତି, ୪ ବର୍ଷ ବୟସରେ ସେ ପହଁରା ଶିଖିଥିଲେ । ୱାଟର ସେଫ୍ଟି କ୍ଲାସ୍ ମଧ୍ୟ କରିଥିଲେ । କିନ୍ତୁ ଏହା ପୂର୍ବରୁ ଅବିରତ ୩୫୦ ମିଟର ପହଁରା ବି ତାଙ୍କୁ ମୁସ୍କିଲ ଲାଗୁଥିଲା ।