ମାଲକାନଗିରି, ୧୨/୯(ଆପ୍ର): ମାଲକାନଗିରି କିଲ୍ଲା କୋରୁକୋଣ୍ଡା ସଦର ଥାନା ଅଧିନସ୍ଥ ନୂଆଗୁଡା ଗ୍ରାମ ନିକଟ ରାସ୍ତା ପାର୍ଶ୍ୱରେ ଦୀର୍ଘ ଦୁଇଦିନ ଧରି ଏକ ଧଳା ରଙ୍ଗର କାର ପରିତ୍ୟକ୍ତ ଅବସ୍ଥାରେ ଥିବା କିଛିଲୋକ ଦେଖିବାକୁ ପାଇଥିଲେ। ତେବେ ଏନେଇ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହେବାରୁ କେହି ଅଜଣା ବ୍ୟକ୍ତି ଏ ସମ୍ପର୍କରେ କୋରୁକୋଣ୍ଡା ପୋଲିସକୁ ଶୁକ୍ରବାର ଅପାରହ୍ନରେ ଫୋନରେ ଜଣାଇଥିଲେ।
ସୂଚନା ପାଇବା ସଙ୍ଗେ ସଙ୍ଗେ ଥାନା ଅଧକାରୀ ହିମାଂଶୁ ଶେଖର ବାରିକଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ଘଟଣା ସ୍ଥଳରେ ପହଁଞ୍ଚି କାରଟିକୁ ଯାଞ୍ଚ କରିଥିଲେ। ଉକ୍ତ କାର ଭିତରେ ୫ଟି ଜରି ବସ୍ତାରେ ବିପୁଳ ପରିମାଣର ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ। ଘଟଣାସ୍ଥଳରୁ ପୋଲିସ ଉକ୍ତ କାର ସହ ଗଞ୍ଜେଇକୁ ଜବତ କରି ଥାନାକୁ ଆଣିଥିଲେ।
ପୋଲିସର ଅନୁରୋଧ କ୍ରମେ ମାଜିଷ୍ଟ୍ରେଟ ଭାବେ ମାଲକାନଗିରି ଅତିରିକ୍ତ ତହସିଲଦାର ଉମେଶ ପୂଜାରୀ ଶୁକ୍ରବାର ସନ୍ଧ୍ୟାରେ କୋରୁକୋଣ୍ଡା ଥାନାରେ ପହଁଞ୍ଚିଥିଲେ। ଜବତ ହୋଇଥିବା ଗଞ୍ଜେଇକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଓଜନ କରାଯାଇଛି। ତେବେ ଜବତ ହୋଇଥିବା ଗଞ୍ଜେଇ ମୋଟ ୧୩୫ କିଲୋ ଥିବା ଜଣା ପଡିଛି। ତେବେ ଏହି କାରର ନମ୍ବର ପ୍ଲେଟରେ ଲେଖାଯାଇଥିବା ନମ୍ବର ନକଲି ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଉକ୍ତ ଗାଡିଟି କାହାର ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ।
ଏହି ଘଟଣାରେ କେଉଁ ମାନଙ୍କର ସମ୍ପୃକ୍ତି ରହିଛି ତାହା ମଧ୍ୟ ଜଣା ପଡିପାରିନାହିଁ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ତେବେ ପୋଲିସ ପକ୍ଷରୁ ଏହି ଘଟଣାର ତଦନ୍ତ ଜାରି ରହିଥିବା କୋରୁକୋଣ୍ଡା ଥାନା ଅଧିକାରୀ ଶ୍ରୀ ବାରିକ କହିଛନ୍ତି।