ନୂଆଦିଲ୍ଲୀ,୧୪/୦୯: ମିଜୋରାମ, ମଣିପୁର ପରେ ଆସାମ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟବାସୀଙ୍କୁ ୧୮,୫୩୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବା ସହିତ ଆସାମର ଦରଙ୍ଗରେ ଏକ ଜନସଭାକୁ ସମ୍ବୋଧନ କରିଛନ୍ତି । ଏହି ଅବସରରେ ''ଅପରେସନ ସିନ୍ଦୂର'' ବିଷୟରେ କହିଛନ୍ତି ।  ୧୪୦ କୋଟି ଭାରତୀୟ ମୋର ରିମୋଟ୍ କଣ୍ଟ୍ରୋଲ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହା ସହିତ କଂଗ୍ରେସ ଉପରେ ବର୍ଷିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମୋତେ ଯେତେ ବି ଗାଳି ଦିଅ କିଛି ଫରକ ପଡିବ ନାହିଁ । ମୁଁ ଶିବ ଭକ୍ତ, ସବୁ ବିଷ ପିଇଯାଏ । ହେଲେ ଯେବେ ଅନ୍ୟର ଅପମାନ ହୁଏ ମୁଁ ଚୁପ୍ ରହିବି ନାହିଁ । ଆସାମ ଓ ଉତ୍ତରପୂର୍ବ ରାଜ୍ୟର ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ସଚ୍ଚୋଟତାର ସହିତ କାମ କରୁଛି । ଜନତା ହିଁ ମୋ ମାଲିକ, ମୋ ଆଉ କିଛି ରିମୋର୍ଟ କଣ୍ଟ୍ରୋଲ ନାହିଁ, ୧୪୦ କୋଟି ଭାରତୀୟ ମୋର ରିମୋଟ୍ କଣ୍ଟ୍ରୋଲ ।

କଂଗ୍ରେସକୁ ଟାର୍ଗେଟକୁ ଆସାମରୁ ପ୍ରଧାନମନ୍ତ୍ରୀ କହିଛନ୍ତି, "ଦଶନ୍ଧି ଧରି କଂଗ୍ରେସ ଆସାମକୁ ଶାସନ କରିଥିଲା, ତଥାପି ସେମାନେ ୬୦ରୁ ୬୫ ବର୍ଷରେ ବ୍ରହ୍ମପୁତ୍ର ନଦୀ ଉପରେ କେବଳ ତିନୋଟି ସେତୁ ନିର୍ମାଣ କରିଥିଲେ । ଯେତେବେଳେ ଆମକୁ ସୁଯୋଗ ଦେଇଥିଲେ, ଆମେ ଗୋଟିଏ ଦଶନ୍ଧି ମଧ୍ୟରେ ୬ଟି ନୂଆ ସେତୁ ନିର୍ମାଣ କରିଛୁ। ଏହା ସ୍ୱାଭାବିକ ଯେ ଆପଣ ଆମର ପ୍ରୟାସକୁ ପ୍ରଶଂସା କରିବେ ଏବଂ ଆପଣଙ୍କ ସମର୍ଥନ ସହିତ ଆମକୁ ଆଶୀର୍ବାଦ କରିବେ । ମାତ୍ର ୯ ଦିନ ମଧ୍ୟରେ, ନବରାତ୍ରିର ପ୍ରଥମ ଦିନରେ, GST ହାର ଯଥେଷ୍ଟ ହ୍ରାସ ପାଇବାକୁ ଯାଉଛି, ଯାହା ଦେଶର ଜନସାଧାରଣଙ୍କୁ ଲାଭ ଦେବ। ଏହି ହ୍ରାସ ସିମେଣ୍ଟ, ବୀମା, ମୋଟରସାଇକେଲ ଏବଂ କାରର ମୂଲ୍ୟରେ ଯଥେଷ୍ଟ ହ୍ରାସ ଆଣିବ । "

ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି, କଂଗ୍ରେସ ରାଜନୀତି ପାଇଁ ଭାରତ ବିରୋଧୀ ବ୍ୟକ୍ତିଙ୍କ ସହିତ ଛିଡା ହୋଇଥାଏ । 'ଅପରେସନ୍ ସିନ୍ଦୂର'ରେ ଏମିତି ଦେଖିବାକୁ ମିଳିଥିଲା । କଂଗ୍ରେସ କ୍ଷମତାରେ ଥିବାବେଳେ ଦେଶ ଆତଙ୍କରେ ଲହୁଲୁହାଣ ହୋଇଥିଲା । କଂଗ୍ରେସ ଚୁପଚାପ୍ ଛିଡା ହୋଉଥିଲା । ଆଜି ଆମର ସେନା ଦେଶର କୋଣ ଅନୁକୋଣରେ ଆତଙ୍କୀଙ୍କ ମୂଳପୋଛ କରିଛି । ହେଲେ କଂଗ୍ରେସ ଆମ ସେନା ସହ ଛିଡା ନହୋଇ ପାକିସ୍ତାନ ସେନା ସହ ଛିଡା ହୋଇଛି । କଂଗ୍ରେସ ଦଳର ଲୋକମାନେ ଆତଙ୍କବାଦୀଙ୍କୁ ପ୍ରୋତ୍ସାହିତ କରୁଥିବା ଲୋକଙ୍କ ଏଜେଣ୍ଡାକୁ ପ୍ରୋତ୍ସାହିତ କରନ୍ତି । ପାକିସ୍ତାନର ମିଛ କହିବା କଂଗ୍ରେସର ଏଜେଣ୍ଡା ପାଲଟିଯାଏ । ସେଥିପାଇଁ ଆପଣଙ୍କୁ ସବୁବେଳେ କଂଗ୍ରେସ ପ୍ରତି ସତର୍କ ରହିବାକୁ ପଡିବ... ଆଜି, କଂଗ୍ରେସ ଆକ୍ରମଣକାରୀ ଏବଂ ଦେଶ ବିରୋଧୀମାନଙ୍କର ରକ୍ଷକ ପାଲଟିଛି ।"