ବୌଦ୍ଧ: ବିବାହ ଉତ୍ସବର ଖୁସି ଏବଂ ବରଯାତ୍ରୀଙ୍କ ନାଚଗୀତ ଭିତରେ ହଠାତ୍ ଖେଳିଗଲା ଆତଙ୍କର ଛାୟା । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ଅନ୍ତର୍ଗତ ବେଲପୁଞ୍ଜୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ବରଯାତ୍ରୀ ଦଳ ଉପରକୁ ଗୁଳିମାଡ଼ ହେବା ଫଳରେ ୨ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲା ଆଦର୍ଶ ଥାନା ଅନ୍ତର୍ଗତ ବଏଲବେଡ଼ା ଗ୍ରାମରୁ ଏକ ବରଯାତ୍ରୀ ଦଳ ଆଠମଲ୍ଲିକର ବେଲପୁଞ୍ଜୀ ଗ୍ରାମକୁ ଯାଇଥିଲେ । ବାଜା ବଜାଇ ବରଯାତ୍ରୀଙ୍କ ପ୍ରସେସନ୍ ଚାଲିଥିବା ବେଳେ ଏକ କାର୍‌ରେ କିଛି ଦୁର୍ବୃତ୍ତ ସେଠାରେ ପହଞ୍ଚିଥିଲେ । କୌଣସି କାରଣକୁ ନେଇ ସେମାନେ ବରଯାତ୍ରୀଙ୍କୁ ରାସ୍ତାରେ ଅଟକାଇବା ସହ ହଠାତ୍ ପିସ୍ତଲ ବାହାର କରି ଭୟଭୀତ କରିଥିଲେ ।

ଏହା ବି ପଢ଼ନ୍ତୁ... ଲେନ୍ ଡ୍ରାଇଭିଂ ନିୟମକୁ ଫୁ, ଭାରୀଯାନ କବଜାରେ ରାସ୍ତା, ଛୋଟ ଗାଡିଙ୍କୁ ଦଳିଦେଇ ଫେରାର୍

ଦୁର୍ବୃତ୍ତଙ୍କ ଏଭଳି ଗୁଣ୍ଡାଗର୍ଦ୍ଦିକୁ ବରଯାତ୍ରୀ ଦଳରେ ଥିବା କିରାସିରା ଗ୍ରାମର ଯୁବକ ସଞ୍ଜୀବ ଭୋଇ ବିରୋଧ କରିଥିଲେ ଏବଂ ସେମାନଙ୍କୁ ଅଟକାଇବାକୁ ପ୍ରୟାସ କରିଥିଲେ । ଏଥିରେ ଉତ୍କ୍ଷିପ୍ତ ହୋଇ ଦୁର୍ବୃତ୍ତମାନେ ଗୁଳି ଚଳାଇଥିଲେ । ସଞ୍ଜୀବଙ୍କ ହାତରେ ଏକ ଗୁଳି ବାଜିଥିବା ବେଳେ ନିକଟରେ ଠିଆ ହୋଇଥିବା ରାକେଶ କହଁରଙ୍କ ଗୋଡ଼ରେ ମଧ୍ୟ ଗୁଳି ବାଜିଥିଲା । ବରଯାତ୍ରୀ ଦଳ ଗୁଳିମାଡ଼ କରିଥିବା ଯୁବକମାନଙ୍କୁ ଘେରିଯାଇଥିଲେ ଏବଂ ସେମାନଙ୍କୁ କାବୁ କରିବା ସହ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଅଟକ ରଖିବା ସହ ତଦନ୍ତ ଆରମ୍ଭ କରିଛି ।

ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସଞ୍ଜୀବ ଓ ରାକେଶଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ମାଧୁପୁର ଓ ପରେ ଆଠମଲ୍ଲିକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ତେବେ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଶରୀରରୁ ଗୁଳି ବାହାର କରିବା ପାଇଁ ଡାକ୍ତରୀ ଦଳ ପ୍ରୟାସ ଜାରି ରଖିଥିବା ବେଳେ ଉଭୟଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ଥିବା ଜଣାପଡ଼ିଛି । ଏହି ଆକ୍ରମଣ ପଛର ପ୍ରକୃତ କାରଣ କ'ଣ ଏବଂ ଦୁର୍ବୃତ୍ତମାନେ କେଉଁ ଉଦ୍ଦେଶ୍ୟରେ ବରଯାତ୍ରୀଙ୍କୁ ଅଟକାଇ ଗୁଳିମାଡ଼ କଲେ, ସେନେଇ ପୁଲିସ ଖୋଳତାଡ଼ ଜାରି ରଖିଛି ।