କୋଦଳା,୨୫/୧୦ :  ଦୀର୍ଘ ୧୪ବର୍ଷ ପରେ ଏକ ସଂଘବଦ୍ଧ ହତ୍ଯା ମାମଲାର ଶୁଣାଣି କରି ୧୪ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ। କୋଦଳା ଅତିରିକ୍ତ ଜିଲ୍ଲା ଦୌରାଜଜ ବିଶ୍ବ ରଞ୍ଜନ ବେହେରା ଆଜି ଏଭଳି ଏକ ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆଡିଶନାଲ ପବ୍ଲିକ ପ୍ରଶ୍ୟୁକିଟର ରଶ୍ମି ରାଣୀ ବଳବନ୍ତରାୟ ଓ ସୁବାଷ ଚନ୍ଦ୍ର ସାହୁଙ୍କ କହିବା ପ୍ରକାରେ ମୋଟ ୧୮ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ୧୪ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସମସ୍ତ ଅଭିଯୁକ୍ତଙ୍କୁ କୋଦଳା ଉପ କାରାଗାରରେ ରଖାଯାଇଛି ।ଆସନ୍ତା ୨୭ରେ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୪ଅଭିଯୁକ୍ତଙ୍କୁ ଦଣ୍ଡାଦେଶ ହେବ।

ସୂଚନା ଅନୁଯାୟୀ, ଗତ ୨୬ ଜୁନ୍ ୨୦୧୧ରେ କୋଦଳା ବାଉରୀ ସାହିରେ ଗଣପତି ଦାସକୁଂ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିଲା । ସ୍ବର୍ଗତ ଗଣପତି ଦାସଙ୍କ ପୁଅ ରଂକନିଧି ଦାସଙ୍କ ଅଭିଯୋଗ ଆଧାରରେ କୋଦଳା ଥାନାରେ ଏ ନେଇ ହତ୍ୟା ମାମଲା ରୁଜୁ ହୋଇଥିଲା। ମୋଟ ୧୮ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିବାବେଳେ ସେଥିମଧ୍ୟରୁ ବର୍ତ୍ତମାନ ୪ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଛି। ଅନ୍ଯ ୧୪ ଅଭିଯୁକ୍ତଙ୍କୁ ଆଜି କୋଦଳା ଅତିରିକ୍ତ ଜିଲ୍ଲା ଜର୍ଜ ବିଶ୍ବ ରଞ୍ଜନ ବେହେରା ସମସ୍ତ ସାକ୍ଷୀ ପ୍ରମାଣକୁ ଆଧାର କରି ଅଭିଯୁକ୍ତମାନଙ୍କୁ ୩୦୨ରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆଗାମୀ ୨୭ତାରିଖରେ ଅଭିଯୁକ୍ତଙ୍କ ଦଣ୍ଡାଦେଶ ଘୋଷଣା କରିବେ କୋର୍ଟ। ତେବେ ହତ୍ୟା ଅଭିଯୁକ୍ତମାନଙ୍କୁ ଆଜୀବନ କାରାଦଣ୍ଡ ଦିଆଯିବ ନା ଫାଶୀ ଦଣ୍ଡାଦେଶ ହେବ ନା ଆଉ କି ଦଣ୍ଡାଦେଶ ଶୁଣାଇବେ କୋର୍ଟ ତାକୁ ଦେଖିବାକୁ ବାକି ରହିଲା।