​​​​​​​​ଉମରକୋଟ,୧୩।୪ :  ବାଘ ଛାଲ ଚୋରା ଚାଲାଣ ବେଳେ ବନ ବିଭାଗର ସ୍ୱତନ୍ତ୍ର ଟିମ୍ ଚଢ଼ଉ କରି ବାଘ ଛାଲ ଜବତ କରିଛି। ଏଥସହ  ୫ ଜଣଙ୍କୁ ଗିରଫ କରିଛି।  ସିକିଲି ରିଜର୍ଭ ଜଙ୍ଗଲ ଭିତରେ ଚାଲିଥିଲା  ବାଘ ଛାଲକୁ ନେଇ ମୂଲଚାଲ। କଲରାପତରିଆ ବାଘ ଛାଲ ପାଇଁ ହେଉଥିଲା ୫ ଲକ୍ଷ ଟଙ୍କାର ଡିଲ୍‌। କିନ୍ତୁ ବିଶେଷ ସୂତ୍ରରୁ ଖବର ପାଇ ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଅତର୍କିତ ଚଢ଼ଉ କରିଥିଲା। ଜିଲ୍ଲା ବନଖଣ୍ଡ ଅଧିକାରୀ ଶୁଭେନ୍ଦୁ ପ୍ରାସାଦ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଏହି ଅପରେସନ କରାଯାଇଥିଲା।

ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ନବରଙ୍ଗପୁର ଜିଲ୍ଲାର ମାଇଦଲପୁର, ପକନାଗୁଡା, ଗୋପିଗୁଡ଼ା ଏବଂ ବଣିଆ ଗ୍ରାମର । ଏଥିରେ ତିନି ଜଣ ବିକ୍ରେତା, ଜଣେ ସପ୍ଲାୟର ଏବଂ ଜଣେ କ୍ରେତା ଥିବା ବେଳେ ବନ ବିଭାଗ ସମସ୍ତଙ୍କୁ ମାଡ଼ି ବସିଛି। ଜବତ ହୋଇଥିବା ବାଘ ଛାଲଟି ଏକ ୯ ବର୍ଷୀୟ ବାଘର ବୋଲି ଅନୁମାନ କରାଯାଉଛି। ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।  ଏହା  ପଛରେ ଆଉ କାହାର ହାତ ରହିଛି, ସେ ନେଇ ଅଧିକ ତଦନ୍ତ ଜାରି ରଖିଛି ବନ ବିଭାଗ।