​​​​​​​ଜୟପୁର, ୨୪।୨: କୋରାପୁଟ ଜିଲ୍ଲା ଜୟପୁର ବ୍ଲକ କଙ୍ଗା ପଞ୍ଚାୟତ ଧଡ୍ରିଗୁଡ଼ାର ସାବିତ୍ରୀ ଗାଦବା(୩୪) । ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା । ଜୀବନର ଲକ୍ଷ୍ୟ ହେଉଛି ସମାଜସେବା ସହ ଅସହାୟ ଗରିବ ମହିଳାମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଆଣିବା, ସ୍ୱାବଲମ୍ବୀ କରିବା । ମାଷ୍ଟର ବୁକ୍ କିପର(ଏମ୍ବିକେ) ଭାବେ କାର୍ଯ୍ୟ କରୁଛନ୍ତି ସାବିତ୍ରୀ । କଙ୍ଗା ପଞ୍ଚାୟତର ୧୫୦ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସମସ୍ତ କାର୍ଯ୍ୟ ତଦାରଖ କରୁଛନ୍ତି । ବ୍ୟବସାୟ, ପରିବା, ମାଛଚାଷ କରି ମହିଳାମାନେ ସଫଳ ହୋଇଛନ୍ତି । କଙ୍ଗା ଓ ଆଖପାଖ ପଞ୍ଚାୟତରେ ତେନ୍ତୁଳି ଅଧିକ ଉତ୍ପାଦନ ହେଉଥିବାରୁ ଏକ ପ୍ରୋସେସିଂ ୟନିଟ୍ କରିବାକୁ ଲକ୍ଷ୍ୟ ରଖିଛନ୍ତି । ସାବିତ୍ରୀ କହିଛନ୍ତି, ୨୦୦୩ରେ ମାଆ ଓ ୨୦୨୨ରେ ବାପାଙ୍କୁ ହରାଇଥିଲେ । ୨ ଭଉଣୀ ଓ ୨ ଭାଇଙ୍କ ବିବାହ ସରିଛି । ସେ(ସାବିତ୍ରୀ) ଅବିବାହିତ ଅଛନ୍ତି । ଅର୍ଥାଭାବରୁ ଯୁକ୍ତ ୨ ପର୍ଯ୍ୟନ୍ତ ପଢ଼ି ପାଠ ଛାଡ଼ିଛନ୍ତି । ଗାଁ ଗହଳିରେ ମହିଳାମାନଙ୍କ ବିଭିନ୍ନ ସମସ୍ୟା ରହିଛି । ସେମାନେ କିପରି ମୁଖ୍ୟସ୍ରୋତରେ ସାମିଲ ହେବେ, ସେଥିଲାଗି ରାଜନୀତିରେ ପ୍ରବେଶ କରିଥିଲେ ।

୨୦୧୨ରେ ବିଜେଡି ଟିକଟରେ ଜୟପୁର ବ୍ଲକ ଜୋନ-୧ର ଜିଲ୍ଲା ପରିଷଦ ସଦସ୍ୟା ଭାବେ ନିର୍ବାଚିତ ହୋଇଥିଲେ । ଲୋକଙ୍କ ସେବା କରିବାକୁ ଉଦ୍ୟମ କରିଥିଲେ । ଅଥଚ ସରକାରୀ ଅଧିକାରୀମାନଙ୍କ ଅସହଯୋଗ ଓ ଅନ୍ୟାନ୍ୟ କାରଣରୁ ବିଫଳ ହେଲେ । ଲୋକଙ୍କ ଆକ୍ରୋଶର ଶିକାର ହେଲେ । ତା ପରଠୁ ରାଜନୀତିରୁ ଦୂରେଇ ଯାଇ ନିଜେ ସ୍ୱବଲମ୍ବୀ ହେବା ସହ ପଞ୍ଚାୟତର ମହିଳାମାନଙ୍କୁ ରୋଜଗାରକ୍ଷମ କରିବାକୁ ଉଦ୍ୟମ କରିଥିଲେ । ଏସ୍ଏଚ୍‌ଜି ସଦସ୍ୟମାନଙ୍କ ସଂସ୍ପର୍ଶରେ ଆସିଥିଲେ । ଅଧିକାଂଶ ସଦସ୍ୟା ପାଠ ପଢ଼ି ନ ଥିବାରୁ ଏସ୍ଏଚ୍‌ଜି କାଗଜପତ୍ର ପ୍ରସ୍ତୁତ କରିପାରୁ ନଥିଲେ । ପ୍ରଥମେ ସେମାନଙ୍କୁ କାଗଜପତ୍ର ପ୍ରସ୍ତୁତିରେ ସହଯୋଗ କରିଥିଲେ । ୨୦୧୮ରେ ବ୍ଲକର ଇ-ଶକ୍ତି ଯୋଜନାରେ ସାମିଲ ହୋଇଥିଲେ । ପ୍ରଥମ ପର୍ଯ୍ୟାୟରେ ୨୫ଟି ଏସ୍ଏଚଜି ଲାଗି କାମ ଆରମ୍ଭ କରିଥିଲେ । ଏବେ ପଞ୍ଚାୟତର ୧୫୦ ଏସ୍ଏଚ୍‌ଜି ପରିଚାଳନା କରୁଛନ୍ତି । ପ୍ରତିଦିନ ଗୋଟିଏ କିମ୍ବା ଦୁଇଟି ଏସ୍ଏଚ୍‌ଜିର ମହିଳାମାନଙ୍କ ସହ ଆଲୋଚନା କରୁଛନ୍ତି । ସେମାନଙ୍କ ଆୟବ୍ୟୟ ଓ ସଞ୍ଚୟ ସମ୍ପର୍କରେ ପଚାରି ବୁଝୁଛନ୍ତି । କିପରି ଅଧିକ ରୋଜଗାର କରିବେ, ତାହା ବାଟ ଦେଖାଉଛନ୍ତି । ପଞ୍ଚାୟତର ୭ଟି ପୋଖରୀ ଲିଜ୍ ସୂତ୍ରରେ ନେଇ ୩ଟି ଏସ୍‌ଏଚ୍‌ଜି ମାଛଚାଷ କରି ସଫଳ ହୋଇଛନ୍ତି ।

​​​​​​​ 

ପ୍ରତ୍ୟେକ ଏସ୍ଏଚ୍‌ଜି ବାର୍ଷିକ ୩ରୁ ୪ ଲକ୍ଷ ଟଙ୍କା ଲେଖାଏଁ ରୋଜଗାର କରୁଛନ୍ତି । ୩ଟି ଏସ୍ଏଚ୍‌ଜି ଛତୁଚାଷ କରିଥିଲେ । ବିକ୍ରି ସମସ୍ୟା ଓ ଅନ୍ୟାନ୍ୟ କାରଣରୁ ସଫଳ ହେଲେନି । ଅଧିକାଂଶ ମହିଳାଙ୍କ ଜମି ଥିବାରୁ ପରିବା, ଫୁଲଚାଷ ପ୍ରତି ଆଗ୍ରହ ଦେଖାଉଛନ୍ତି । ଏସବୁ ବିକ୍ରି କରିବାରେ ସମସ୍ୟା ନଥିବାରୁ ଭଲ ଦି ପଇସା ଲାଭ କରୁଛନ୍ତି । ଅନେକ ଏସ୍ଏଚ୍‌ଜି ମହିଳା ଗ୍ରୁପ ଋଣ ନେଇ ବ୍ୟକ୍ତିଗତ ବ୍ୟବସାୟରେ ବିନିଯୋଗ କରି ସଫଳ ହୋଇଛନ୍ତି । ପୂର୍ବାପେକ୍ଷା ସେମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିଛି । କଙ୍ଗା ଓ ଆଖାପାଖ ପଞ୍ଚାୟତରେ ଅଧିକ ତେନ୍ତୁଳି ମିଳୁଛି । ଆନ୍ଧ୍ର ବ୍ୟବସାୟୀଙ୍କୁ କମ୍ ଦରରେ ଲୋକେ ବିକ୍ରି କରୁଛନ୍ତି । ଏଥିଲାଗି ତେନ୍ତୁଳି ପ୍ରୋସେସିଂ ୟୁନିଟ ବସାଇବା ଲାଗି ଯୋଜନା କରିଛନ୍ତି । ୨୫ ଲକ୍ଷ ଟଙ୍କାର ଏହି ପ୍ରୋଜେକ୍ଟ ମଞ୍ଜୁର ଲାଗି ଆବେଦନ କରିଛନ୍ତି । ଏହା ମଞ୍ଜୁର ହେଲେ ଏସ୍ଏ ପକ୍ଷରୁ ତେନ୍ତୁଳି କିଣାଯିବ । ପ୍ରୋସେସିଂ କରି ବଜାରର ବିକ୍ରି କରାଯିବ । ମହିଳାମାନେ ୨ ମାସ ଏହି ବ୍ୟବସାୟରେ ନିୟୋଜିତ ହୋଇପାରିବେ । ଏଥିସହ ବାଲ୍ୟ ବିବାହ ରୋକିବା ଏବଂ ନିଶା କାରବାରରୁ ଦୂରେଇ ରହିବା ଲାଗି ଲୋକଙ୍କୁ ସଚେତନ କରିଆସୁଛନ୍ତି ।