ନୂଆଦିଲ୍ଲୀ ୦୯/୧୨: ଆଣବିକ ବର୍ଜ୍ୟ ରଖିବାକୁ ଫିନ୍‌ଲାଣ୍ଡ ମାଟି ତଳେ ପ୍ରାୟ ୧୫୦୦ ଫୁଟ ଗଭୀର ଏକ ସୁଡ଼ଙ୍ଗ ନିର୍ମାଣ କରିଛି । ଆସନ୍ତାବର୍ଷ ଅର୍ଥାତ୍‌ ୨୦୨୫ରୁ  ଏହାକୁ ୧ ଲକ୍ଷ ବର୍ଷ ଯାଏ ମଣିଷଙ୍କ ପାଇଁ ବନ୍ଦ କରାଯିବ । ଅର୍ଥାତ୍‌ ଏହି ସୁଡ଼ଙ୍ଗରେ ମଣିଷଙ୍କର ପ୍ରାୟ ୪୦୦୦ ପିଢ଼ି ପାଦ ରଖି ପାରିବେ ନାହିଁ । ଏହା ବିଶ୍ୱର ପ୍ରଥମ ଷ୍ଟୋରେଜ୍‌ ସୁବିଧା ହେବ ଯେଉଁଠାରେ ଦେଶ ତାର ଆଣବିକ ବର୍ଜ୍ୟ ରଖିବ । ଫିନ୍‌ଲାଣ୍ଡର ଏହି  ପଦକ୍ଷେପ ଐତିହାସିକ ହୋଇଥିବାବେଳେ  ଏହାକୁ ଆଣବିକ ବର୍ଜ୍ୟ ପରିଚାଳନା କ୍ଷେତ୍ରରେ  ଏକ ମାଇଲ୍‌ଖୁଣ୍ଟ ଭାବେ ଦର୍ଶାଯାଉଛି ।  

ସୁଡ଼ଙ୍ଗଟି ଫିନ୍‌ଲାଣ୍ଡର ପଶ୍ଚିମ ତଟରେ ୟୁରାଜୋକିରେ ଏକ ଆଣବିକ ପ୍ଲାଣ୍ଟ ନିକଟରେ ନିର୍ମିତ ହୋଇଛି । ଏହାର ଗଭୀରତା ୧୪୮୦  ଫୁଟ। ଏହି ପ୍ରକଳ୍ପ ଲାଗି ୮୬୦ ନିୟୁତ ପାଉଣ୍ଡ  ଖର୍ଚ୍ଚ ହୋଇଛି । ଭାରତୀୟ ମୁଦ୍ରାରେ ତାହା  ପ୍ରାୟ ୯୦୦୦ କୋଟି ହେବ । ପ୍ରକଳ୍ପର ନାମ  ରହିଛି ‘ଓଙ୍କାଲୋ’ । ଏହା ଭୂପୃଷ୍ଠରୁ ଅତି  ଗଭୀରତାରେ ଆଣବିକ ବର୍ଜ୍ୟକୁ ରଖିବାର  ଏକ ସୁରକ୍ଷିତ ପ୍ରକ୍ରିୟା । ୧ ଲକ୍ଷ ବର୍ଷ  ଧରି ରେଡିଓଆକ୍ଟିଭ ଉପାଦାନଗୁଡ଼ିକୁ  ପରିବେଶଠାରୁ ଅଲଗା ରଖିବା ଲାଗି  ସୁଡ଼ଙ୍ଗକୁ ସ୍ୱତନ୍ତ୍ର ଭାବେ ଡିଜାଇନ୍‌  କରାଯାଇଛି । ଏହା ମାନବ ସଭ୍ୟତା ସହିତ ପରିବେଶର ସୁରକ୍ଷାକୁ ସୁନିଶ୍ଚିତ କରିବ ।  ତେଣୁ ‘ଓଙ୍କାଲୋ’ର ନିର୍ମାଣ ସମୟରେ ଉନ୍ନତ ବୈଜ୍ଞାନିକ ଜ୍ଞାନକୌଶଳ ଓ ଅତି  ଉଚ୍ଚମାନର ଇଞ୍ଜିନିୟରିଂକୁ ବ୍ୟବହାର କରାଯାଇଛି । କୌଣସି ପରିସ୍ଥିତିରେ ବି  ସୁଡ଼ଙ୍ଗରୁ ଯେପରି କୌଣସି ରେଡିଓଆକ୍ଟିଭ  ଉପାଦାନ ଲିକ୍‌ ନ କରିବ ଲାଗି ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି ।  

ପୋସିଭା ଓଇ ନାମକ ଏକ ରେଡିଓଆକ୍ଟିଭ୍‌ ୱେଷ୍ଟ ମ୍ୟାନେଜମେଣ୍ଟ କଂପାନି ଏହି ସୁଡ଼ଙ୍ଗର ନିର୍ମାଣ ଦାୟିତ୍ୱରେ ରହିଛି । ସୁଡ଼ଙ୍ଗ ମଧ୍ୟରେ ଆଣବିକ ବର୍ଜ୍ୟକୁ କାଷ୍ଟ ଆଇରନ୍‌ ଓ ତମ୍ବାର ସିଲିଣ୍ଡର ଆକୃତିର ପାତ୍ର ମଧ୍ୟରେ ରଖାଯିବ । ତା’ପରେ ଢାଙ୍କୁଣୀ ଦିଆଯାଇ  ଉପରେ ଏକ ସ୍ୱତନ୍ତ୍ର ପ୍ରକାର ମାଟି ଲେପନ କରାଯିବ । ସୁଡ଼ଙ୍ଗ ମଧ୍ୟରେ ଖାଲି ସ୍ଥାନକୁ ଫୁଲି ଯାଉଥିବା ମାଟି ଦ୍ୱାରା ପୂରଣ କରାଯିବ । ପ୍ରତି ସିଲିଣ୍ଡରକୁ ରୋବୋଟିକ୍‌ ଭେଇକିଲ୍‌ ଦ୍ୱାରା ସେଥିଲାଗି ଉର୍ଦ୍ଦିଷ୍ଟ ସ୍ଥାନକୁ ନିଆଯିବ । ଫିନ୍‌ଲାଣ୍ଡର ଏହି ପଦକ୍ଷେପ ଆମେରିକା, ବ୍ରିଟେନ୍‌, ଫ୍ରାନ୍ସ ଓ କାନାଡ଼ା ଭଳି ଦେଶକୁ ପ୍ରେରିତ କରିଥିବା କୁହାଯାଉଛି । ଫିନ୍‌ଲାଣ୍ଡର  ଏକ ବିଶ୍ୱବିଦ୍ୟାଳୟର ପ୍ରଫେସର ଗାରେଥ୍‌ ଲ ତାଙ୍କ ଦେଶ ଅନ୍ୟମାନଙ୍କଠାରୁ ଅତି କମ୍‌ରେ ଏକ ଦଶନ୍ଧି ଆଗରେ ଥିବା କହିଛନ୍ତି ।