ଭୁବନେଶ୍ବର,୮/୭: ଗଞ୍ଜାମ ପୁଲିସ ଜିଲ୍ଲା ପକ୍ଷରୁ ଫେରାର ଅଭିଯୁକ୍ତଙ୍କ ଘର ଆଗରେ ଲଟକା ଲଗାଯାଇଥିଲା । ଗଞ୍ଜାମ ପୁଲିସ ଜିଲ୍ଲା ବିଭିନ୍ନ ଥାନା ପକ୍ଷରୁ ୨୧୭ ଜଣଙ୍କ ଘର ଆଗରେ ଲଟକା ଲଗାଯାଇଥିଲା ।  ଲଟକା ଲଗା ଯିବା ପରେ ୧୬ ଜଣ ଅଭିଯୁକ୍ତ ଆତ୍ମ ସମର୍ପଣ କରିଥିବା ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର ସୂଚନା ଦେଇଛନ୍ତି।

ଅଭିଯୁକ୍ତମାନେ ଫେରାର ରହୁଥିବାରୁ ବିଭିନ୍ନ କୋର୍ଟରେ ଚାଲିଥିବା ମାମଲାର ଅଗ୍ରଗତିରେ ବିଳମ୍ବ ହେଉଥିଲା । ଯାହାଫଳରେ ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଏମାନଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଥିଲା। ଏହି ଅପରାଧିମାନେ କୋର୍ଟରେ ହାଜର ହେବେ ସେ ନେଇ ପୁଲିସ ପକ୍ଷରୁ ସେମାନଙ୍କ ଘର ଆଗରେ ଲଟକା ଲଗାଯାଇଥିଲା । ଭାରତୀୟ ନାଗରିକ ସୁରକ୍ଷା ସଂହିତା(ବିଏନ୍‌ଏସ୍‌ଏସ୍‌) ୮୪ ଓ ୮୫ ଧାରାରେ ଏହି ନୋଟିସ ଲଗାଯାଇଥିଲା ।  ନୋଟିସ ଲଗାଯିବାର ୩୦ ଦିନ ମଧ୍ୟରେ କୋର୍ଟରେ ହାଜିର ହେବାକୁ କୁହାଯାଇଥିଲା ନଚେତ ସେମାନଙ୍କ ସମ୍ପତ୍ତି ବ୍ୟାଜାପ୍ତି ହେବ ବୋଲି କୁହାଯାଇଥିଲା । ଏହି ପରିପ୍ରେକ୍ଷୀରେ ୨୧୭ ଫେରାରଙ୍କ ମଧ୍ୟରେ ୧୬ ଜଣ ଆତ୍ମସମର୍ପଣ କରିଥିଲେ। ୫ଜଣକୁ ପୁଲିସ ଧରିଥିବା ବେଳେ ୩ ଜଣଙ୍କ ଦେହାନ୍ତ ହୋଇଛି ବୋଲି ଗଞ୍ଜାମ ଏସପି ସୂଚନା ଦେଇଛନ୍ତି । 

ଯେଉଁ ମାନଙ୍କ ଘର ଆଗରେ ଏହି ଲଟକା ଲଗାଯାଇଛି ସେମାନଙ୍କୁ ଏହା ଲଗାଯିବାର ୩୦ ଦିନ ସମୟ ଦିଆଯାଇଛି। ଏହି ୩୦ ଦିନ ମଧ୍ୟରେ ସେମାନେ ହାଜର ହେବାକୁ ନିର୍ଦ୍ଦେଶ ରହିଛି । ପୁଲିସ ଏହି ଲଟକା ଲଗାଇବା ପରେ ବିଭିନ୍ନ ଥାନା ପକ୍ଷରୁ ସଫଳତା ହାସଲ କରିଛନ୍ତି। ଆଗକୁ ମଧ୍ୟ ଫେରାର ଅଭିଯୁକ୍ତ ମାନେ ଆତ୍ମସମର୍ପଣ କରିବାର ଆଶଙ୍କା ରହିଛି ।

 ଗଞ୍ଜାମ ପୁଲିସ ଜିଲ୍ଲା ୨୪ ଥାନା ପକ୍ଷରୁ ୨୧୭ ଜଣଙ୍କ ଫେରାର ଅଭିଯୁକ୍ତଙ୍କ ଘର ଆଗରେ ନୋଟିସ ଲଗାଯାଇଥିଲା । ଭଞ୍ଜନଗର ପୁଲିସ ଥାନା ପକ୍ଷରୁ ୧୫ ଜଣଙ୍କ ଘର ଆଗରେ ନୋଟିସ ଲଗାଯାଇଥିବା ବେଳେ ଜଗନ୍ନାଥପ୍ରସାଦରେ ୫ଜଣ, ବେଲଗୁଣ୍ଠାରେ ୨, ତାରସିଂରେ ୧୪, ଗାଙ୍ଗପୁରରେ ୨୧, ବୁଗୁଡା ୧୭, ଆସିକା ୧୧, କୋଟିନଡା ୩, ଶେରଗଡ ୯, ଧରାକୋଟ ୧୦, ବଡଗଡ ୮, ସୋରଡା ୧୬, ପାତ୍ରପୁର ୩, ହିଞ୍ଜିଳି ୧୨, ପୁରୁଷୋତମପୁର ୭, କବିସୂର୍ଯ୍ୟନଗର ୩, ପୋଲସରା ରେ ସର୍ବାଧିକ ୨୭, କୋଦଳା୧୧, ବେଗୁନିଆପଡା ୪, ଛତ୍ରପୁର ୭, ଚମାଖଣ୍ଡି ୨, ରମ୍ଭା ୪, ଖଲ୍ଲିକୋଟ ୬ ଓ ଗଞ୍ଜାମ ଥାନା ପକ୍ଷରୁ  ଜଣଙ୍କ ଘର ଆଗରେ ଲଟକା ଲଗାଯାଇଛି।

ତାରସିଂ,ପାତ୍ରପୁର ଓ ରମ୍ଭା ପୁଲିସ ପକ୍ଷରୁ ଜଣେ ଲେଖାଏଁ ଫେରାର ଅଭିଯୁକ୍ତକୁ ଧରିଥିବା ବେଳେ ପୁରୁଷୋତ୍ତମପୁର ପୁଲିସ ୨ଜଣକୁ ଧରିଛି । ସେହିପରି  ପୋଲସରାରେ ସର୍ବାଧିକ ୭ଜଣ ଆତ୍ମସମର୍ପଣ କରିଥିବା ବେଳେ କୋଦଳାରେ ୪ଜଣ, ଛତ୍ରପୁର ୨ଜଣ ଓ ଶେରଗଡ,ବଡଗଡ,ପୁରୁଷୋତ୍ତମପୁରରୁ ଜଣେ ଲେଖାଏଁ ଆତ୍ମସମର୍ପଣ କରିଛନ୍ତି । ସେହିପରି କୋଦଳା,ରମ୍ଭା ଓ ଖଲ୍ଲିକୋଟ ଥାନା ଅଚଂଳରେ ଜଣେ ଲେଖାଏଁ ଫେରାର ଅଭିଯୁକ୍ତଙ୍କ ଦେହାନ୍ତ ହୋଇଥିବା ଜଣାପଡିଛି ।