ନୂଆଦିଲ୍ଲୀ, ୦୩/୦୫ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍‌ ଯୋଗୁ ଚୀନ୍‌ ଅର୍ଥବ୍ୟବସ୍ଥା ସାଂଘାତିକ ପରିସ୍ଥିତି ଦେଇ ଗତି କରୁଛି । ଅର୍ଥନୈତିକ କାରବାର ଶିଥିଳ ପଡ଼ିଯାଇଛି । କାରଖାନଗୁଡ଼ିକ ବନ୍ଦ ହେବା ଫଳରେ ଶ୍ରମିକଙ୍କ ପ୍ରତିବାଦ ବଢୁଛି । ଚୀନ୍‌ରୁ ଆସୁଥିବା ସାମଗ୍ରୀ ଉପରେ ମୋଟା ଟିକସ ଲଦିଛି ଆମେରିକା । ଏହାଫଳରେ ଅର୍ଥବ୍ୟବସ୍ଥା ଏବେ ଧୀମା ପ୍ରାୟ । ଲକ୍ଷ ଲକ୍ଷ ଲୋକ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଚାଲିଛି । ଦେଶର କାରଖାନାଗୁଡ଼ିକରେ ହଟ୍ଟୋଗୋଳ ଦେଖିବାକୁ ମିଳୁଛି । ହୁନାନ୍‌ ପ୍ରାନ୍ତର ଦାଓ କାଉଣ୍ଟିଠାରୁ ନେଇ ସିଚୁଆନ୍‌ର ସୁଇନିଙ୍ଗ୍‌ ସହର ଏବଂ ଇନର ମଙ୍ଗୋଲିଆର ଟୋଙ୍ଗଲିୟାଓ ସହର ପର୍ଯ୍ୟନ୍ତ ଅଶାନ୍ତ ଶ୍ରମିକମାନେ ରାସ୍ତାକୁ ଓହ୍ଲାଇ ଜୋରଦାର ପ୍ରତିବାଦ କରୁଛନ୍ତି । ସେମାନେ ନିଜ ନିଜର ବକେୟା ଦରମା ମାଗୁଛନ୍ତି । ଏହାସହିତ ଉକ୍ତ ଫ୍ୟାକ୍ଟ୍ରିଗୁଡ଼ିକରେ ହେଉଥିବା ବେଆଇନ ଛଟେଇକୁ ବିରୋଧ କରୁଛନ୍ତି । 

ଶ୍ରମିକଙ୍କ କହିବାନୁସାରେ, ସିଚୁଆନ୍‌ର ଏକ କମ୍ପାନି ସେମାନଙ୍କୁ ବର୍ଷ ଆରମ୍ଭରୁ ଦରମା ଦେଇନାହିଁ । ଏହି କମ୍ପାନି ଫ୍ଲେକ୍ସିବଲ୍‌ ସର୍କିଟ୍‌ ବୋର୍ଡ ବନାଇଥାଏ । କମ୍ପାନି ଜୁନ୍‌ ୨୦୨୩ରୁ ପାଖାପାଖି ଦୁଇ ବର୍ଷ ପର୍ଯ୍ୟନ୍ତ ସାମାଜିକ ସୁରକ୍ଷାର ଲାଭ ବି ଦେଇ ନ ଥିବା ଜଣାପଡ଼ିଛି । ଆମେରିକାର ନିବେଶ ବ୍ୟାଙ୍କ ଗୋଲ୍‌ଡମ୍ୟାନ୍‌ ସାଚ୍‌ସର ବିଶେଷଜ୍ଞମାନଙ୍କ ଅନୁମାନ ଯେ, ଚୀନ୍‌ରେ ଅନ୍ୟୁନ ୧.୬ କୋଟି ଚାକିରି ସଂକଟରେ ଅଛି । ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଚୀନ୍‌ ସାମଗ୍ରୀ ଉପରେ ୧୪୫% ଟିକସ ଲାଗିବା କାରଣରୁ ଏହା ହୋଇଛି । ଅଧିକ ଟାରିଫ୍‌ ଯୋଗୁ ଚୀନ୍‌ ଅର୍ଥବ୍ୟବସ୍ଥା ଭୟଙ୍କର ଭାବେ ପ୍ରଭାବିତ ହେବ । ଆର୍ଥିକ ବିକାଶ ଧୀମା ହେବା ଦ୍ୱାରା ଶ୍ରମ ବଜାର ଉପରେ ଚାପ ପଡ଼ିବ । ବିଶେଷ କରି ରପ୍ତାନି କ୍ଷେତ୍ରଗୁଡ଼ିକ ଅଧିକ ସମସ୍ୟା ମଧ୍ୟକୁ ଆସିବେ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।

ଏହି ଖବରଟିକୁ ପଢନ୍ତୁ-ଡିଜିଟାଲ ଷ୍ଟ୍ରାଇକ; ପାକ୍ ପିଏମ୍ ଶାହବାଜ ସରିଫ୍‌ଙ୍କ ୟୁଟ୍ୟୁବ ଚ୍ୟାନେଲ ବ୍ୟାନ୍, ସୂଚନାମନ୍ତ୍ରୀଙ୍କ 'ଏକ୍ସ' ବ୍ଲକ