• ପଞ୍ଚାୟତ ପାଇଁ ଅର୍ଥ କମିଶନଙ୍କ ଗାଇଡଲାଇନ୍
  • ବାର୍ଷିକ ଆଦାୟ ହେବ ଘର, ସମ୍ପତ୍ତି ଓ ଜୀବିକା ଟିକସ
  • ଜୁନ୍ ୩୦ ସୁଦ୍ଧା ଜିପିଡିପି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ
  • ୫ ବର୍ଷରେ କେନ୍ଦ୍ର ଦେବ ୧୮ହଜାର ୭୧୫ କୋଟି
  • ୧୦ହଜାର ୧୫୦ କୋଟି ଦେବେ ରାଜ୍ୟ ସରକାର

ଭୁବନେଶ୍ୱର,୦୯/୦୬: ପଞ୍ଚାୟତରେ ରହୁଥିବା ଲୋକଙ୍କୁ ଆଉ ଟିକସକୁ ନେଇ ତ୍ରାହି ମିଳିବନି । ବର୍ଷକୁ ୧୨୦୦ ଟଙ୍କାର ବୋଝ ମୁଣ୍ଡାଇବାକୁ ହେବ । ମହାନଗର ନିଗମ ଓ ପୌରାଞ୍ଚଳ ଢାଞ୍ଚାରେ ପଞ୍ଚାୟତରୁ ବି ଘର ଓ ସମ୍ପତ୍ତି ଟିକସ ଆଦାୟ ହେବ । ଦୋକାନୀମାନେ ଜୀବିକା ଟିକସ (ପ୍ରଫେସନ ଟ୍ୟାକ୍ସ) ଗଣିବେ । ପ୍ରତି ପରିବାରଠାରୁ ଏଭଳି ଟିକସ ଆଦାୟ କରିବାକୁ କେନ୍ଦ୍ରୀୟ ଷୋଡ଼ଶ ଅର୍ଥ କମିଶନ(ସିଏଫ୍‌ସି) ରାଜ୍ୟ ସରକାରଙ୍କୁ ସୁପାରିଶ କରିଛି । ସିଏଫ୍‌ସିର ଗାଇଡଲାଇନ୍ ମୁତାବକ ଗ୍ରାମ ପଞ୍ଚାୟତ ଉନ୍ନୟନ ଯୋଜନା (ଜିପିଡିପି) ପ୍ରସ୍ତୁତ କରିବାକୁ ପଞ୍ଚାୟତିରାଜ ବିଭାଗ ନିର୍ଦ୍ଦେଶ ଦେଇଛି । ୨୦୨୬-୨୭ରୁ ୨୦୩୦-୩୧ ଆର୍ଥିକ ବର୍ଷ (୫ ବର୍ଷ) ପାଇଁ କେନ୍ଦ୍ର ସରକାର ପ୍ରତି ପଞ୍ଚାୟତ, ବ୍ଲକ୍ ଓ ଜିଲ୍ଲା ପରିଷଦକୁ କେଉଁ ବାବଦରେ କେତେ ଅର୍ଥ ଦେବେ ତାହାର ବିସ୍ତୃତ ଗାଇଡଲାଇନ୍ ଆସିଛି । ଓଡ଼ିଶା ପାଇଁ ମଧ୍ୟ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି ହୋଇଛି ।

ପଞ୍ଚାୟତ ଗୁଡ଼ିକ କାହିଁକି ଟିକସ ଆଦାୟ କରିବେ, ତାର କାରଣ ବି ଦର୍ଶାଯାଇଛି । କେନ୍ଦ୍ରୀୟ ଷୋଡ଼ଶ ଅର୍ଥ କମିଶନଙ୍କ ନୂଆ ଫର୍ମୁଲା ଅନୁସାରେ, ୨୦୨୮-୨୯ରୁ ପ୍ରତି ପଞ୍ଚାୟତକୁ ଏକ ନିର୍ଦ୍ଦିଷ୍ଟ ପରିମାଣର ପରଫର୍ମମାନ୍ସ ଗ୍ରାଣ୍ଟ ବା ପ୍ରଦର୍ଶନ ଅନୁଦାନ ମିଳିବ । ପ୍ରତି ରୁରାଲ୍ ଲୋକାଲ ବଡ଼ିବା ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦକୁ କେନ୍ଦ୍ର ସରକାର ଯେତିକି ପାଣ୍ଠି ଦେବେ ତାର ଅତିରିକ୍ତ ୧୦% ପ୍ରଦର୍ଶନ ପାଣ୍ଠି ବାବଦରେ ମିଳିବ ।

ଯେଉଁ ପଞ୍ଚାୟତ ଯେତେ ଅଧିକ ରାଜସ୍ୱ ଆୟ କରିବେ ତାଙ୍କ ପ୍ରଦର୍ଶନ ସେତେ ଅଧିକ ବୋଲି ଧରାଯିବ । ସେହି ଆଧାରରେ ସେହି ପଞ୍ଚାୟତକୁ ଅଧିକ ଟଙ୍କାର ପାଣ୍ଠି ବା ଅନୁଦାନ ମିଳିବ । ଆସନ୍ତା ୫ ବର୍ଷରେ ପ୍ରଦର୍ଶନ ପାଣ୍ଠି ବାବଦରେ ରାଜ୍ୟକୁ କେନ୍ଦ୍ରଠାରୁ ମୋଟ ୩୭୪୨ କୋଟି ଟଙ୍କା ମିଳିବ । ପଞ୍ଚାୟତଗୁଡ଼ିକ ରାଜସ୍ୱ ଆଦାୟ ଲକ୍ଷ୍ୟ ପୂରଣରେ ଫେଲ୍ ହେଲେ ପ୍ରଦର୍ଶନ ପାଣ୍ଠି ବାବଦରେ ମିଳିବାକୁ ଥିବା ନିଜସ୍ୱ ଅଂଶ ହରାଇବେ । ରାଜସ୍ୱ ଆୟରେ ପଛୁଆ ହେଲେ ସିଧାସଳଖ ଏହି କେନ୍ଦ୍ରୀୟ ଅନୁଦାନ ହରାଇବେ । ଏଥିପାଇଁ ଚଳିତ ଆର୍ଥିକ ବର୍ଷରୁ ନିଜ ରାଜସ୍ୱ ଆୟ ପ୍ରଦର୍ଶନକୁ ଭଲ କରିବାକୁ ଗାଇଡଲାଇନ୍ରେ ନିର୍ଦ୍ଦେଶ ଦିଆଯାଇଛି । ସବୁ ପଞ୍ଚାୟତ ଘର, ସମ୍ପତ୍ତି ଓ ଜୀବିକା ଟିକସକୁ ବାଧ୍ୟତାମୂଳକ ଭାବେ ଲାଗୁ କରିବାକୁ କୁହାଯାଇଛି । ଏହାବାଦ୍ ମାର୍କେଟ୍ କମ୍ପେ୍ଲକ୍ସରୁ ଭଡ଼ା ଆଦାୟ କରିବା, ମେଳା ବା ଯାତ୍ରା ଅନୁମତି ବାବଦରେ ଟଙ୍କା ଆଦାୟ କରିବା, ଅଳିଆ ସଫେଇ ବାବଦରେ ୟୁଜର୍ସ ଫି ଲାଗୁ କରିବା ଓ ବିଭିନ୍ନ ଟୋଲ୍ ଓ ଦେୟ ଲାଗୁ କରି ରାଜସ୍ୱ ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି

ଗ୍ରାମୀଣ ଓଡ଼ିଶାର ବିକାଶର ଗତିକୁ ବଳ ଦେବାକୁ ଷୋଡ଼ଶ କେନ୍ଦ୍ରୀୟ ଅର୍ଥ କମିଶନ(ସିଏଫସି) ଓ ଷଷ୍ଠ ରାଜ୍ୟ ଅର୍ଥ କମିଶନ (ଏସଏଫସି) ଗୁରୁତ୍ୱପୂର୍ଣ୍ଣ ସୁପାରିସ କରିଛନ୍ତି । ଷୋଡ଼ଶ ଅର୍ଥ କମିଶନ ଆସନ୍ତା ୫ ବର୍ଷରେ ସୁଦ୍ଧା ତ୍ରିସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନକୁ ମୋଟ ୧୮ ହଜାର ୭୧୫ କୋଟି ଟଙ୍କା ଅନୁଦାନ ଦେବାର ପ୍ରସ୍ତାବ ରହିଛି । ଏଥିରୁ ୧୪ ହଜାର ୭୩ କୋଟି ଟଙ୍କା ବେସିକ୍ ଗ୍ରାଣ୍ଟ ବାବଦରେ ଦିଆଯିବ । ଆଉ ୩ହଜାର ୭୪୨ କୋଟି ଟଙ୍କା ପରଫର୍ମାନ୍ସ ଗ୍ରାଣ୍ଟ ଭାବେ ମିଳିବ । ବେସିକ୍ ଗ୍ରାଣ୍ଟର ୫୦% ଅର୍ଥ (ଟାଏଡ୍ ପାଣ୍ଠି) ଭାବେ ଖର୍ଚ୍ଚ କରାଯିବ । କେବଳ ଜଳ ପରିଚାଳନା, ପରିମଳ ଓ କଠିନ ବର୍ଜ୍ୟବସ୍ତୁର ପରିଚାଳନା ପାଇଁ ଟାଏଡ୍ ପାଣ୍ଠି ଖର୍ଚ୍ଚ ହେବ । ବାକି ୫୦% ପାଣ୍ଠିକୁ ଅନଟାଏଡ୍ ଗ୍ରାଣ୍ଟ ଭାବେ ବ୍ୟବହାର କରିହେବ । ଅନଟାଏଡ୍ ପାଣ୍ଠିରେ ରାସ୍ତା, କଲ୍ୟାଣ ମଣ୍ଡପ, ପାର୍କ, ଜିମ୍ ଓ ଅନ୍ୟ ସମସ୍ତ ବିକାଶମୂଳକ କାମ କରିହେବ । ପୂର୍ବରୁ ମିଳୁଥିବା ମୋଟ ପାଣ୍ଠିର ୬୦% ଟାଏଡ୍ ଓ ୪୦% ଅନ-ଟାଏଡ୍ ଭାବେ ମିଳୁଥିଲା । କିନ୍ତୁ ଏବେ ଏହାକୁ ୫୦:୫୦ ଅନୁପାତରେ ଦେବାକୁ ସୁପାରିଶ ହୋଇଛି ।

ଅଧିକ ପଢ଼ନ୍ତୁ :-  ମେଧାବୀ ମାନସଙ୍କୁ ସହାୟତାର ହାତ ବଢାଇଲେ ମୁଖ୍ୟମନ୍ତ୍ରୀ, ମା’ଙ୍କୁ ମିଳିବ ଭତ୍ତା ଓ ଆବାସ ଘର, ଆର୍ଥିକ ଅଭାବ ପାଇଁ ଚରାଉଥିଲେ ଛେଳି

ଗ୍ରାମ ପଞ୍ଚାୟତଗୁଡ଼ିକ କଂକ୍ରିଟ ରୋଡ୍ ନିର୍ମାଣ ପାଇଁ ଅନ-ଟାଇଡ୍ ପାଣ୍ଠିରୁ ସର୍ବାଧିକ ୨୦% ଅର୍ଥ ଖର୍ଚ୍ଚ କରିପାରିବେ । କିନ୍ତୁ ଅନ-ଟାଏଡ୍ ପାଣ୍ଠିରୁ କାହାକୁ ଦରମା ଦେଇପାରିବେନି ବା କୌଣସି ଅଫିସ୍ ବା ପ୍ରଶାସନିକ ଖର୍ଚ୍ଚ ହେବନି । ପୁଣି ପଞ୍ଚାୟତିରାଜ ଅନୁଷ୍ଠାନକୁ ଯେଉଁ ପାଣ୍ଠି ମିଳିବ ତାକୁ ୬୦:୩୦:୧୦ ଅନୁପାତରେ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦକୁ ବଣ୍ଟାଯିବ । ୨୦୨୬-୨୭ରେ ବେସିକ୍ ଗ୍ରାଣ୍ଟ ବାବଦରେ ରାଜ୍ୟକୁ ମୋଟ ୨୪୦୪ କୋଟି ଟଙ୍କାର ଅନୁଦାନ ଦେବେ କେନ୍ଦ୍ର ସରକାର । ୨୦୨୭-୨୮ରେ ୨୬୬୯ କୋଟି, ୨୦୨୮-୨୯ରେ ୨୯୬୨, ୨୦୨୯-୩୦ରେ ୩୨୮୮ ଓ ୨୦୩୦-୩୧ରେ ୩୬୫୦ କୋଟି ଟଙ୍କାର ପାଣ୍ଠି ମିଳିବ । ୨୦୨୭ ୨୮ରୁ ଫରଫରମାନ୍ସ ଗ୍ରାଣ୍ଟ ବା ପ୍ରଦର୍ଶନ ପାଣ୍ଠି ମିଳିବ । ସେହିବର୍ଷ ୩୯୭ କୋଟି, ୨୦୨୮-୨୯ରେ ୧୦୦୧ କୋଟି, ୨୦୨୯-୩୦ରେ ୧୧୧୧ ଓ ୨୦୩୦-୩୧ରେ ୧୨୩୩ କୋଟି ଟଙ୍କାର ପାଣ୍ଠି ଦେବ କେନ୍ଦ୍ର ।

ସେହିଭଳି ରାଜ୍ୟ ସରକାରଙ୍କ ଷଷ୍ଠ ଅର୍ଥ କମିଶନର ସଦ୍ୟ ସୁପାରିସ ଅନୁସାରେ ରାଜ୍ୟ ସରକାର ପଞ୍ଚାୟତକୁ ଯେଉଁ ପାଣ୍ଠି ଦେବେ ସେଥିରୁ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦକୁ ସମାନ ଢାଞ୍ଚା ୬୦:୩୦:୧୦ ଅନୁପାତରେ ପାଣ୍ଠି ବଣ୍ଟାଯିବ । ଆସନ୍ତା ୫ ବର୍ଷ ପାଇଁ ପଞ୍ଚାୟତିରାଜ ସଂସ୍ଥାକୁ ରାଜ୍ୟ ସରକାର ମୋଟ ୧୦ ହଜାର ୧୫୦ କୋଟି ଦେବାକୁ ସୁପାରିସ କରିଛନ୍ତି । ଏଥିରୁ ଗ୍ରାମ ପଞ୍ଚାୟତକୁ ୬ ହଜାର ୯୦ କୋଟି, ପଞ୍ଚାୟତ ସମିତିକୁ ୩୦୪୫ କୋଟି ଓ ଜିଲ୍ଲା ପରିଷଦକୁ ୧୦୧୫ କୋଟି ଟଙ୍କା ମିଳିବ ।ପ୍ରତି ପଞ୍ଚାୟତ ସ୍ୱତନ୍ତ୍ର ଥିମ୍‌କୁ ଗ୍ରାମ ପଞ୍ଚାୟତ ଉନ୍ନୟନ ଯୋଜନା(ଜିପିଡିପି) ପ୍ରସ୍ତୁତ କରିବେ । ପଞ୍ଚାୟତଗୁଡ଼ିକ କେଉଁ ବାବଦରେ କେତେ ଟଙ୍କା ଖର୍ଚ୍ଚ କରିବାକୁ ଜିପିଡିପିରେ ଯୋଜନା ରଖିପାରିବେ, ତାକ ବିସ୍ତୃତ ନିୟମାବଳୀ ଜାରି ହୋଇଛି । କିନ୍ତୁ ପଞ୍ଚାୟତକୁ ମିଳୁଥିବା ପାଣ୍ଠିର ଅନଲାଇନ୍ ଅଡିଟ୍ ନ କରାଇଲେ ଅନୁଦାନ କାଟି ଦିଆଯିବ । ଆସନ୍ତା ଜୁନ୍ ୩୦ ତାରିଖ ସୁଦ୍ଧା ଇ-ଗ୍ରାମ ସ୍ୱରାଜ ପୋର୍ଟାଲରେ ଜିପିଡିପି ପ୍ରସ୍ତୁତ କରି ଅପଲୋଡ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।