କେନ୍ଦୁଝର,୦୯/୦୬: ମାନସ ଦେହୁରୀ ଏବେ ଉଚ୍ଚ କଲେଜରେ ପାଠ ପଢ଼ିବେ । ପଢ଼ିବା ପାଇଁ ସମସ୍ତ ଅଭାବକୁ ସରକାର ପୂରଣ କରିବେ । ମାନସ ଅନ୍ଲାଇନ୍ ପସନ୍ଦର କଲେଜରେ ପଢ଼ିବା ପାଇଁ କରିଥିବା ଆବେଦନକୁ ସରକାର ଗମ୍ଭୀରତାର ସହିତ ବିଚାର କରୁଛନ୍ତି । କେବଳ ମାନସ ନୁହେଁ ଗରିବ ତଥା ମେଧାବୀ ଛାତ୍ରଛାତ୍ରୀଙ୍କ ପଢ଼ିବା ପାଇଁ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କୁ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଏଥିନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଯୋଗାଯୋଗ ଉଦ୍ୟମ କରାଯାଇଥିଲା । ମାତ୍ର ମାନସ ରହୁଥିବା ଉପାନ୍ତ ଅଞ୍ଚଳରେ ମୋବାଇଲ ନେଟୱର୍କ ନ ଥିବାରୁ ଯୋଗାଯୋଗ ସମ୍ଭବ ହୋଇପାରିନି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପରିବାରକୁ ଆବାସ ଯୋଜନା ସହିତ ଅନ୍ତ୍ୟୋଦୟ ଯୋଜନାରେ ସାମିଲ, ବିଧବା ଭତ୍ତା ପାଇନଥିଲେ ତୁରନ୍ତ ମଞ୍ଜୁରୀ କରାଯିବା ସହିତ ଜାତୀୟ ପରିବାର ସୁରକ୍ଷା ଯୋଜନାରେ ୨୦ ହଜାର ଟଙ୍କା ସହାୟତା ମାନସଙ୍କ ପରିବାରକୁ ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତାଙ୍କୁ ଏକ ଲାପଟପ୍ ମଧ୍ୟ ଦିଆଯିବ । ଏହାସହିତ ହଷ୍ଟେଲରେ ରହି ପଢ଼ିବା ପାଇଁ ଆବଶ୍ୟକ ସମସ୍ତ ଅର୍ଥ ସରକାର ଯୋଗାଇ ଦେବେ ବୋଲି ସୂଚନା ମିଳିଛି । ସେହିପରି ରାଜ୍ୟପାଳ ମଧ୍ୟ ଉକ୍ତ ଖବରକୁ ଗୁରୁତ୍ୱ ଦେଇଛନ୍ତି । ମେଧାବୀ ଛାତ୍ରଙ୍କ ପଢ଼ିବା ପାଇଁ ସମସ୍ତ ସହାୟତା ତୁରନ୍ତ ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଅଧିକ ପଢ଼ନ୍ତୁ :- Jirang : ଜିରାଙ୍ଗ ବୌଦ୍ଧ ମଠ ପରିଦର୍ଶନ କଲେ, ମହେନ୍ଦ୍ରଗିରି ମେଳାରେ ଯୋଗ ଦେଲେ ରାଜ୍ୟପାଳ
ସୋମବାର ଗଣମାଧ୍ୟମରେ ବାଂଶପାଳ ବ୍ଲକ୍ ନୟାକୋଟ ପଞ୍ଚାୟତ ସୁଡ଼ଙ୍ଗ ଗ୍ରାମର ମାନସ ଦେହୁରୀ ଯୁକ୍ତ ୨ରେ ୮୫ ପ୍ରତିଶତ ନମ୍ବର ରଖିବା ପରେ ଉଚ୍ଚ ମହାବିଦ୍ୟାଳୟରେ ପଢ଼ିବା ପାଇଁ ଛେଳି ଚରାଉଥିବା ଖବର ପ୍ରକାଶ ପାଇଥିଲା । ଏହା ଜାଣି ମୁଖ୍ୟମନ୍ତ୍ରୀ ଉଦ୍ବେଗ ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଆମ ପ୍ରତିନିଧିଙ୍କ ଠାରୁ ମାନସ ଦେହୁରିଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ । ଏ ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକଙ୍କ ସହିତ କେନ୍ଦୁଝର ଜିଲ୍ଲାପାଳଙ୍କୁ ଅବଗତ କରି ତ୍ରାଙ୍କ ଉଚ୍ଚଶିକ୍ଷା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବାଂଶପାଳ ବ୍ଲକ୍ର ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଅନୁରାଗ ବରାଳ ଓ ପାଉଡି ଭୂୟାଁ ଉନ୍ନୟନ ସଂସ୍ଥାର ସ୍ୱତନ୍ତ୍ର ଅଧିକାରୀ ପ୍ରଦୀପ ନାଏକ ସୁଡ଼ଙ୍ଗ ଗ୍ରାମରେ ପହଞ୍ଚି ପ୍ରାଥମିକ ଅନୁସନ୍ଧାନ କରିଛନ୍ତି । ମାନସ ବାପ ଛେଉଣ୍ଡ ହୋଇଥିବାରୁ ପରିବାରର ଆର୍ôଥକ ଅବସ୍ଥା ସ୍ୱଚ୍ଛଳ ନ ଥିବାରୁ ଆଡମିଶନ ପାଇଁ ଅର୍ଥର ଅଭାବ ରହିଥିବା ସେ କହିଛନ୍ତି । ପ୍ରଶାସନ ପକ୍ଷରୁ ମଧ୍ୟ ଆଡମିଶନ ସହିତ ଉଚ୍ଚଶିକ୍ଷା ପାଇଁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି ।
ଅଧିକ ପଢ଼ନ୍ତୁ :- ମେଧାବୀ ଛାତ୍ରଙ୍କ ସଂଘର୍ଷ କାହାଣୀ, ଅଭାବ ଅନଟନ ଭିତରେ ମାନିନାହାଁନ୍ତି ହାର୍, ଉଚ୍ଚ ଶିକ୍ଷିତ ହେବାକୁ ସାଜିଛନ୍ତି ଶ୍ରମିକ
ଜିଲ୍ଲା ମଙ୍ଗଳ ଅଧିକାରୀ ବିକାଶ କୁମାର ମହାନ୍ତି କହିଛନ୍ତି, ଆଦିବାସୀ ପିଲାଙ୍କ ଉଚ୍ଚଶିକ୍ଷା ପାଇଁ ହଷ୍ଟେଲରେ ରହି ପାଠପଢ଼ିଲେ ୧୭୫୦୦ ଟଙ୍କା ଓ ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନାରେ ୨୦ ହଜାର ଟଙ୍କା ଯୋଗାଇ ଦିଆଯିବ । ଏଥିନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି । ଖୁବଶୀଘ୍ର ସହାୟତା ଯୋଗାଇ ଦେବା ସହିତ ଆଡମିଶନ ପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।