ୱାଶିଂଟନ,୦୩/୦୨: ରିପବ୍ଲିକାନ ନେତା ଡୋନାଲ୍ଡ ଟ୍ରମ୍ପ ଆମେରିକାରେ ରାଷ୍ଟ୍ରପତି ଭାବେ  ଦାୟିତ୍ୱ ଗ୍ରହଣ କରିବାର ଇତିମଧ୍ୟରେ ୧୧ ଦିନ ବିତିଯାଇଛି । ଅବୈଧ ପ୍ରବାସୀଙ୍କ ବିରୋଧରେ  ଟ୍ରମ୍ପ ପ୍ରଶାସନର କଠୋର କାର୍ଯ୍ୟାନୁଷ୍ଠାନ ଜାରି  ରହିଛି । ଏହି ୧୧ ଦିନ ଭିତରେ ଟ୍ରମ୍ପଙ୍କ ଆଇସ  (ଇମିଗ୍ରେସନ ଆଣ୍ଡ କଷ୍ଟମସ୍‌ ଏନଫୋର୍ସମେଣ୍ଟ)  ଟିମ୍‌ ଦେଶର ୧୨ଟି ରାଜ୍ୟରେ ଚଢ଼ାଉ କରି ୨୫  ହଜାରରୁ ଅଧିକ ଅବୈଧ ପ୍ରବାସୀଙ୍କୁ ଗିରଫ  କରିଲେଣି । ସେମାନଙ୍କ ଭିତରେ ୧୭୦୦ରୁ  ଅଧିକ ଭାରତୀୟ ଅଛନ୍ତି । ଗିରଫ ସଂଖ୍ୟା ଦୃଷ୍ଟିରୁ  ଭାରତ ଚତୁର୍ଥ ସ୍ଥାନରେ ରହିଛି । ମେକ୍ସିକୋର  ସର୍ବାଧିକ ୯୨୯୬ ଜଣ ଗିରଫ ହୋଇଥିଲା  ବେଳେ ହାଇତିର ୭୬୦୦ ଓ ନିକାରାଗୁଆର  ୪୮୦୦ ନାଗରିକ ଅଛନ୍ତି । ପୂର୍ବରୁ ମଧ୍ୟ ୧୮  ହଜାର ଅବୈଧ ଭାରତୀୟଙ୍କୁ ଚିହ୍ନଟ କରାଯାଇଛି  ଯେଉଁମାନଙ୍କୁ ସ୍ୱଦେଶ ଫଠାଇବାକୁ ଯୋଜନା କରାଯାଇଛି । 

ରିପୋର୍ଟ ଅନୁସାରେ ସର୍ବାଧିକ  କାର୍ଯ୍ୟାନୁଷ୍ଠାନ ରିପବ୍ଲିକାନ ଶାସିତ ରାଜ୍ୟରେ  କରାଯାଉଛି। ଇତିମଧ୍ୟରେ ଅବୈଧ ପ୍ରବାସୀଙ୍କ ଅନୁପ୍ରବେଶର କେନ୍ଦ୍ର ପାଲଟିଥିବା ମେକ୍ସିକୋ  ସୀମାରେ ଅଧିକ ସଂଖ୍ୟକ ସେନା ମୁତୟନ ଓ  ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଫଳରେ  ଅବୈଧ ପ୍ରବାସୀଙ୍କ ଅନୁପ୍ରବେଶ ୯୪ ପ୍ରତିଶତ  ହ୍ରାସ ପାଇଛି । ଜାନୁଆରୀ ୧ରୁ ୧୯ ପର୍ଯ୍ୟନ୍ତ  ୨୦୮୭ଟି ଅବୈଧ ଅନୁପ୍ରବେଶ ଘଟଣା ଘଟିଥିଲା ବେଳେ ଜାନୁଆରୀ ୨୦ରୁ ୩୧ ତାରିଖ ମଧ୍ୟରେ  ୧୨୬ଟି ମାମଲା ସାମ୍‌ନାକୁ ଆସିଛି ।

ରିପୋର୍ଟ  ଅନୁସାରେ ବର୍ତ୍ତମାନ ଆମେରିକାରେ ୧ କୋଟି ୧୦ ଲକ୍ଷରୁ ଅଧିକ ଅବୈଧ ପ୍ରବାସୀ ବସବାସ  କରୁଛନ୍ତି । ସେମାନଙ୍କ ମଧ୍ୟରେ ୪୦ ଲକ୍ଷରୁ  ଅଧିକ ମେକ୍ସିକୋ ନାଗରିକ ଥିଲା ବେଳେ ୭  ଲକ୍ଷ ୨୫ ହଜାରରୁ ଅଧିକ ଭାରତୀୟ ରହିଥିବା ପ୍ରକାଶିତ ରିପୋର୍ଟରୁ ଜଣାପଡିଛି ।