ଭବାନୀପାଟଣା,୦୩/୦୬(ସନ୍ତୋଷ ସିଂଦେଓ): ଆଧୁନିକ କୃଷି ଜଗତରେ ଯେତେବେଳେ ଅଧିକ ଅମଳ ଆଶାରେ ରାସାୟନିକ ସାର ଓ କୀଟନାଶକର ପ୍ରୟୋଗ ବଢ଼ିଚାଲିଛି, ସେତେବେଳେ ସମଗ୍ର ଚାଷୀକୁଳ ଏକ ଅଜଣା ବିଷବଳୟ ମଧ୍ୟକୁ ଟାଣି ହୋଇଯାଉଛନ୍ତି । ପାରମ୍ପରିକ ଦେଶୀ ବିହନ କ୍ରମେ ନିଜର ଅସ୍ତିତ୍ୱ ହରାଇବାକୁ ବସିଲାଣି । ଏହି ଚିନ୍ତାଜନକ ସ୍ଥିତିକୁ ବଦଳାଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ମାନସ ରଞ୍ଜନ ସାହୁ । କୃଷି ବିଜ୍ଞାନୀ ନ ହେଲେ ବି ନିଜର ନିଷ୍ଠା ଓ ଅକ୍ଲାନ୍ତ ପରିଶ୍ରମ ବଳରେ ସେ ପାଲଟିଛନ୍ତି ବିଷମୁକ୍ତ ଚାଷର ଅଗ୍ରଣୀ ପ୍ରବର୍ତ୍ତକ । ମାନସ କେବଳ ଚାଷୀଙ୍କୁ ଉପଦେଶ ଦେଇ ବସିରହିନାହାନ୍ତି, ବରଂ ନିଜ ଉଦ୍ୟମରେ ଧର୍ମଗଡ଼ଠାରେ ଅଭିନବ "ଦେଶୀ ବିହନ ସଂଗ୍ରହାଳୟ' ପ୍ରତିଷ୍ଠା କରିଛନ୍ତି ।

 ଚାଷଜମିକୁ ପ୍ରୟୋଗଶାଳାରେ ପରିଣତ କରି ନିୟମିତ ପରୀକ୍ଷାନିରୀକ୍ଷା ଜାରି ରଖିଛନ୍ତି । ଏହି ପ୍ରୟୋଗଶାଳାରେ ବିହନ ବିକ୍ରି ହୁଏନାହିଁ । ମାନସ ଚାଷୀଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଦେଶୀ ବିହନ ବାଣ୍ଟିଥାନ୍ତି । ବଦଳରେ ଚାଷୀ ଅମଳ କରିଥିବା ସେହି କିସମର ଦୁଇଗୁଣା ବିହନ ଆଣି ସଂଗ୍ରହାଳୟରେ ସଂରକ୍ଷିତ ରଖନ୍ତି । ଏହିପରି ଭାବେ ଚାଷୀଙ୍କ ସହଯୋଗରେ ନିଜର ବିହନ ସଂଗ୍ରହକୁ ସମୃଦ୍ଧ କରିଚାଲିଛନ୍ତି । ୨୦୦୯ରୁ ମାତ୍ର ୧୨ ପ୍ରକାର ଧାନ ବିହନରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ବିରାଟ ଦ୍ରୁମରେ ପରିଣତ ହୋଇଛି । ମାନସଙ୍କ ପାଖରେ ୧୭୫୬ ପ୍ରକାର ଦେଶୀ ବିହନ ସଂଗୃହୀତ ହୋଇଛି । ତନ୍ମଧ୍ୟରେ ୮୩୩ ପ୍ରଜାତିର ଅତି ପୁରାତନ ଦେଶୀ ଧାନ ବିହନ ରହିଛି । ଏହା ସହିତ ୭୩୦ ପ୍ରକାର ପନିପରିବା ବିହନ, ୧୦୦ ପ୍ରକାର ମିଲେଟ୍‌ (ମାଣ୍ଡିଆ ଜାତୀୟ) ବିହନ, ୩୮ ପ୍ରକାର ଡାଲି ଜାତୀୟ ବିହନ ଅନ୍ତର୍ଭୁକ୍ତ । 

ମାନସ ୩୩୩ ପ୍ରକାର ବାଇଗଣ ବିହନ ସାଇତି ରଖିଛନ୍ତି। ଯାହା ଅନ୍ୟ କୌଣସିଠାରେ ମିଳିବା କଷ୍ଟକର ବୋଲି ସେ କହିଛନ୍ତି । ସେହିପରି ୨୮୨ ପ୍ରକାର ଟମାଟୋ ବିହନ ରହିଛି । ମାନସଙ୍କ ସଂଗ୍ରହାଳୟରେ ୮୧ ପ୍ରକାର ଲଙ୍କା, ୧୧ ପ୍ରକାର ଗହମ, ୧୯ ପ୍ରକାର ମକା , ୧୧୮ ପ୍ରକାର ବିନ୍ସଜାତୀୟ, ୨୪ ପ୍ରକାର ତୈଳବୀଜ, ୩୮ ପ୍ରକାର ମସଲା ଜାତୀୟ, ୫ ପ୍ରକାର ଆଳୁ, ୮୧ ପ୍ରକାର ଲଙ୍କା, ୧୧୮ ବିନ୍ସ ଜାତୀୟ, ୬୧ ପ୍ରକାର ଭେଣ୍ଡି, ୧୨ ପ୍ରକାର ଫୁଲକୋବି, ୯ ପ୍ରକାର ପତ୍ରକୋବି, ୬ ପ୍ରକାର ଗଣ୍ଠିକୋବି, ୪ ପ୍ରକାର ବ୍ରକୋଲି, ୩୦ ପ୍ରକାର ମୂଳା, ୧୭ ପ୍ରକାର ଗାଜର, ୮ ପ୍ରକାର ବିଟ୍‌, ୨୬ ପ୍ରକାର କୁମୁଡ଼ା, ୪୩ ପ୍ରକାର ଲାଉ, ୮ ପ୍ରକାର କଖାରୁ, ୩୫ ପ୍ରଜାତିର ଜହ୍ନି, ୧୨ ପ୍ରକାର ଛଚିନ୍ଦ୍ରା, ୩୨ ପ୍ରକାର କାକୁଡ଼ି, ୧୮ ପ୍ରକାର ତରଭୁଜ, ୧୭ ପ୍ରକାର କଲରା, ୯ ପ୍ରକାର ମୁନିଙ୍ଗା, ୫ ପ୍ରକାର ଅମୃତଭଣ୍ଡା, ୧୭ ପ୍ରକାର କଲରା, ୧୧୩ ପ୍ରକାର ଶାଗ ସମେତ ଆହୁରି ବିଭିନ୍ନ କିସମର ବିହନ ରହିଛି । ତାଙ୍କ ସଂଗ୍ରହାଳୟରେ ୬୦ରୁ ୧୮୦ଦିନ ମଧ୍ୟରେ ଅମଳ ହେଉଥିବା ୧୦୫ ପ୍ରକାର "ବାଜା ରାଜସ', ୭୦ ପ୍ରକାର "ଭେଜ୍‌ ରାଜସ', ମଣିଧାନ, ସୂର୍ଯ୍ୟଧାନ, ସେପଲା ଧାନ ଓ ସୁନାଖାଡ଼ି ଭଳି ଅନେକ ଦୁର୍ଲଭ ଔଷଧୀୟ ଗୁଣଯୁକ୍ତ ଧାନ ବିହନ ମଧ୍ୟ ରହିଛି ।

ଆହୁରି ପଢନ୍ତୁ-ଏଲନିନୋ ନୁହେଁ ଆସୁଛି ସୁପର ଏଲନିନୋ, ଜୁନ୍ ଓ ଅଗଷ୍ଟ ମଧ୍ୟରେ ହେବ ସୃଷ୍ଟି​​​​​​​

ଏପରିକି ଗୋଟିଏ ଧାନରୁ ଦୁଇଟି କିମ୍ବା ତିନିଟି ଚାଉଳ ବାହାରୁଥିବା ଭଳି କେତେକ ଅତି ବିରଳ ବିହନକୁ ବି ସେ ରଖିଛନ୍ତି । ମାନସ କୁହନ୍ତି, ଅଧିକ ଅମଳ ଲାଭରେ ହାଇବ୍ରିଡ୍‌ ବିହନ ଓ କୀଟନାଶକର ଅତ୍ୟଧିକ ବ୍ୟବହାର ଯୋଗୁଁ ଜମିର ଉର୍ବରତା ହ୍ରାସ ପାଉଛି । ମାଟି ମା' ବନ୍ଧ୍ୟା ହେବାକୁ ବସିଲାଣି । ଆଗାମୀ ପିଢ଼ିକୁ ଖାଦ୍ୟ ସଙ୍କଟରୁ ରକ୍ଷା କରିବା ପାଇଁ ଜୈବିକ ଚାଷ ଓ ଦେଶୀ ବିହନର ସଂରକ୍ଷଣ ଜରୁରି । ଗୁଜରାଟ, ରାଜସ୍ଥାନ, ଛତିଶଗଡ଼, ଦାନ୍ତେୱାଡ଼ା, ମହାରାଷ୍ଟ୍ରର ଗଡ଼ଚିରୋଲି ଅଞ୍ଚଳର ଚାଷୀ ଗବେଷଣା ଓ ବିରଳ ଧାନ ବିହନ ସଂଗ୍ରହ ପାଇଁ ତାଙ୍କ ପାଖକୁ ଆସୁଛନ୍ତି । ତାଙ୍କଠାରୁ ଦେଶୀ ବିହନ ନିଅନ୍ତି । ବଦଳରେ ସେମାନେ ନିଜ ଅଞ୍ଚଳର ବିହନ ଦେଇଥାନ୍ତି । ଏହି କାର୍ଯ୍ୟରେ ପରିବା ସଦସ୍ୟ ତାଙ୍କୁ ସହଯୋଗ କରୁଛନ୍ତି । ବିନା କୌଣସି ସରକାରୀ ସହାୟତା କିମ୍ବା ଆର୍ଥିକ ଲାଭ ଆଶାରେ ମାନସଙ୍କ ଏହି ନିଆରା ପ୍ରୟାସ କୃଷି ଜଗତ ପାଇଁ ବଡ଼ ପ୍ରେରଣା ପାଲଟିଛି ।