କୋଣାର୍କ,୨୬।୧୦(ଆପ୍ର) କୋଣାର୍କ-ପୁରୀ ବେଳାମାର୍ଗ ମା’ ରାମଚଣ୍ଡୀଙ୍କ ପୀଠରେ ଜବରଦସ୍ତ ବେଆଇନ ପାର୍କିଂ ଫି ଓ ପିକିନିକ୍ ଫି ଆଦାୟକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏଥିରେ ୨ ଜଣ ଗୁରୁତର ଓ ୫ ଆହତ ହୋଇଥିବା ସୂଚନା ମିଳିଛି।
ଜଗତସିଂହପୁର ବାଲିକୁଦା ଓ ଢିଅସାହି ଅଞ୍ଚଳରୁ ଆସିଥିବା ୧୯ ଜଣ ପର୍ଯ୍ୟଟକ କୋଣାର୍କ ବୁଲାବୁଲି ସାରି ମଧ୍ୟାହ୍ନରେ ମା’ ରାମଚଣ୍ଡୀ ପୀଠରେ ବଣଭୋଜି କରିଥିଲେ। ୩ଟି ଚାରି ଚକିଆ ଗାଡ଼ି ଆଣି ଆସିଥିବା ସହ ରୋଷେଇ କରୁଥିବାରୁ ସେଠାରେ ଚାନ୍ଦା ଆଦାୟ କରୁଥିବା ଯୁବକ ମାନେ ୭ଶହ ଟଙ୍କା ମାଗିଥିଲେ। ଯାହାକୁ ଅଗ୍ରାହ୍ୟ କରିଥିଲେ ରୋଷେଇ କରୁଥିବା ଯୁବକମାନେ। ମୁଣ୍ଡ ପିଛା ୧୦ ଟଙ୍କା ଦେବା ସହ ପାର୍କିଂ ବାବଦ ମିଶାଇ ୪୦୦ ଟଙ୍କା ଦେବାକୁ ରାଜି ହୋଇଥିଲେ। କିନ୍ତୁ ୩ ଜଣ ଆଦୟକାରୀ ମାନେ ୭ଶହ ଟଙ୍କା ଜବରଦସ୍ତ ମାଗିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ପରେ ଆଦାୟକାରୀ ଯୁବକମାନେ ସ୍ଥାନୀୟ ଗ୍ରାମର ୩୦ରୁ ଉର୍ଦ୍ଧ୍ବ ଯୁବକ ଓ ବ୍ୟକ୍ତି ମାନଙ୍କୁ ଡାକି ପାଇପ୍ ଓ କାଠରେ ଗୋଡେଇ ଗୋଡେଇ ପିଟିଥିଲେ। ଜଗତସିଂହପୁର ଆସିଥିବା ଯୁବକମାନେ ଦୌଡ଼ି ପଳାଇଥିଲେ ମଧ୍ୟ ଛାଡ଼ି ନଥିଲେ। ତାଙ୍କର ରୋଷେଇ ଖାଦ୍ୟ ମଧ୍ୟ ନଷ୍ଟ ହୋଇଯାଇଥିଲା। ଆକ୍ରମଣରେ ୨ ଜଣ ଗୁରୁତର ଓ ୫ ଆହତ ହୋଇଥିଲେ। ସ୍ଥାନୀୟ ପୋଲିସ ଓ ଟୁରିଷ୍ଟ ପୋଲିସ୍ ପହଞ୍ଚି ଗୁରୁତରଙ୍କୁ ମେଡ଼ିକାଲରେ ଚିକିତ୍ସା କରାଇଥିଲେ। ଏନେଇ ଚନ୍ଦ୍ରଭାଗା ମେରାଇନ ଥାନାରେ ଉଭୟ ପକ୍ଷରୁ ପୃଥକ୍ ଅଭିଯୋଗ ହୋଇଛି। ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଥିବା ସୁଚନା ମିଳିଛି। ପର୍ଯ୍ୟଟକମାନଙ୍କୁ ସୁରକ୍ଷା ପାଇଁ ସରକାର ଓ ପ୍ରଶାସନ ଦୃଢ଼ ପଦକ୍ଷେପ ନେଉଥିବା ବେଳେ ରାମଚଣ୍ଡୀ ପୀଠରେ ବେଆଇନ ପାର୍କିଂ ଓ ପିକିନିକ୍ ଫି ଆଦାୟ ନେଇ ବାରମ୍ଵାର ପର୍ଯ୍ୟଟକଙ୍କୁ ଆକ୍ରମଣ ହେଉଥିବା ଦେଖିବାକୁ ମିଳୁଛି।