ଭୁବନେଶ୍ବର,୧୬।୧୨ : ଢେଙ୍କାନାଳର କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ  ଗତ ୩ଦିନ ମଧ୍ୟରେ  ୨ ହାତୀର ମୃତ ଘଟିଛି। ଏହି ହାତୀ ଦୁଇଟି ଆହତ ଅବସ୍ଥାରେ ଏହି ହାତୀ ସୁରକ୍ଷା କେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁ ଘଟିଛି। 

ଢେଙ୍କାନାଳ ଜିଲାର ସଦର ରେଞ୍ଜ ମୋଟଙ୍ଗା ଥାନା ଚିନ୍ତାପୋଖରୀ ଅଂଚଳରେ ଗତ ନଭେମ୍ବର ୨ତାରିଖରେ   ଟ୍ରେନ ଦୁର୍ଘଟଣାରେ ଗୋଟିଏ ହାତୀର ମୃତ୍ୟୁ ଘଟିଥିଲା। ତେବେ ଏହି ଦୁର୍ଘଟଣାରେ ଅନ୍ୟ ଏକ ହାତୀ ଆହତ ହୋଇଥିବାରୁ ତାକୁ ଚିକିତ୍ସା ପାଇଁ କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହାତୀର ବାମ ଗୋଡ଼ରେ ଆଘାତ ଲାଗିଥିବାରୁ  ତାର  ଚିକିତ୍ସା ଚାଲିଥିଲା। ମାତ୍ର ହାତୀଟି ଗତ ୩ଦିନ ପୂର୍ବେ ମୃତ୍ୟୁ ଘଟିଥିଲା । ଏହି ହାତୀର ମୃତ୍ୟୁ ପରେ ମୋଟଙ୍ଗା ଅଂଚଳର ଟ୍ରେନ ଧକ୍କାରେ ହାତୀ ମୃତ୍ୟୁ ସଂଖ୍ୟା ୨ରେ ପହଁଚିଛି। 

ସେହିପରି ଗତ ୩ ଦିନ ତଳେ କଟକ ଜିଲ୍ଲା ଆଠଗଡରୁ ବୋମା ଚୋବାଇ ପାଟିରେ ଗୁରୁତର କ୍ଷତ ଯୋଗୁଁ ଏକ ଦନ୍ତା ହାତୀକୁ କପିଳାସ ହାତୀ ଉଦ୍ଧାର  କେନ୍ଦ୍ରକୁ ପଠାଯାଇଥିଲା। ତାର  ଚିକିତ୍ସା ଚାଲିଥିବା ବେଳେ ଆଜି ମଧ୍ୟ ଉକ୍ତ ହାତୀର ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ହାତୀଟି ଦନ୍ତା ଓ ବୟସ  ୮ବର୍ଷ ବୋଲି ଜଣାପଡିଛି।