ବାସୁଦେବପୁର, ୧୭/୧୦: ଲୁଣାବନ୍ଧରୁ ଏକ ବସ୍ତାରୁ ମଣିଷ କଙ୍କାଳ ସହିତ ମୁଣ୍ଡ ଖପୁରି ଉଦ୍ଧାର ହୋଇଛି । ଏହା କୌଣସି ମହିଳାଙ୍କର ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ଏହି ୨ ଜଣଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକର ବାଲିମୁଣ୍ଡା ପଞ୍ଚାୟତର ବଡହାବେଳି ସାହି ପାଞ୍ଚଘେରିଆ ଲୁଣାବନ୍ଧରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ସେପ୍ଟେମ୍ବର ୨୭ ତାରିଖରେ ବଡହାବେଳି ସାହିର ମାଆ ଯମୁନା ସାମଲ ଓ ଝିଅ କୌଶଲ୍ୟା ଗାଇନ ସୁଭଦ୍ରା ଯୋଜନାର ଫର୍ମ ପକାଇବାକୁ ଯାଇ ଘରକୁ ଫେରିନଥିଲେ । ମା ଓ ଝିଅ ଘରକୁ ନଫେରିବାରୁ ତାଙ୍କ ପରିବାରଲୋକେ ବହୁ ଖୋଜା ଖୋଜି କରିଥିଲେ । ଶେଷରେ ଚଳିତ ମାସ ୩ ତାରିଖରେ ନାୟକାଣୀଡିହି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତେବେ ବୁଧବାର ଲୁଣାବନ୍ଧ ନିକଟରେ ଏକ ଜେସିପି ନାଳ ଖୋଲୁଥିବା ସମୟରେ ଏକ ବସ୍ତାକୁ ନାଳରୁ ବାହାର କରିଥିଲେ । ଉକ୍ତ ବସ୍ତାରୁ ଦୁର୍ଗନ୍ଧ ଆସୁଥିବାର ଦେଖିଥିଲେ ସ୍ଥାନୀୟଲୋକେ । ସନ୍ଦେହ ହେବାରୁ ଉକ୍ତ ବସ୍ତା ପାଖକୁ ଯାଇ ଦେଖିଥିଲେ । ବସ୍ତା ମଧ୍ୟରେ କଙ୍କାଳ ସହିତ ମଣିଷ ମୁଣ୍ଡ ବାହାରିବାର ଦେଖିଥିଲେ ଲୋକେ । ଏହା ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ନାୟକାଣୀଡିହି ପୋଲିସ ପହଞ୍ଚି ଖପୁରି ଦ୍ୱୟକୁ ଜବତ କରିଛି । ଏହି ଘଟଣାକୁ ନେଇ ସନ୍ଦେହରେ ହାବାଲିସାହି ଗ୍ରାମର ନିଖୋଜ ମହିଳାଙ୍କ ଦୁଇ ଜ୍ୱାଇଁଙ୍କୁ ପୋଲିସ ଥାନାକୁ ନେଇ ଅଟକ ରଖି ପଚରା ଉଚରା ଚଳାଇଛି । ତେବେ ଉକ୍ତ ଖପୁରି କାହାର ସ୍ପଷ୍ଟ ହୋଇନଥିବା ବେଳେ ଏହି ମାଆ ଓ ଝିଅଙ୍କର ଖୁପୁରି ହୋଇଥିବାର ଲୋକେ ସନ୍ଦେହ କରୁଛନ୍ତି ।