ଫିରିଙ୍ଗିଆ,୩୦/୦୭: କନ୍ଧମାଳ ଜିଲ୍ଲାରେ ସାପ କାମୁଡ଼ାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକମାନଙ୍କ ମଧ୍ୟ୍ୟରେ ଜଣେ ମହିଳା ଏବଂ ଜଣେ ପୁରୁଷ ରହିଛନ୍ତି । ସେମାନେ ହେଲେ ଶ୍ରୀଗୁଣି ଗାଁର ଲିମା ବିନ୍ଧାଣି ଏବଂ ଖଲିବେଣା ଗାଁର ମାନସ ହଂସ ।
ସୂଚନା ମୁତାବକ, ମଙ୍ଗଳବାର ରାତିରେ କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ପଲାବୃଡି ପଞ୍ଚାୟତ ଅଧୀନରେ ଥିବା ଶ୍ରୀଗୁଣି ଗାଁର ଲଷ୍ମଣ ବିନ୍ଧାଣି ଓ ତାଙ୍କ ସ୍ତ୍ରୀ ଲିମା ବିନ୍ଧାଣି ଏବଂ ୨ ପୁଅଙ୍କ ସହ ଘରେ ଶୋଇଥିଲେ । ଏହି ସମୟରେ କୌଣସି ଏକ ବିଷାକ୍ତ ସାପ ଲିମାଙ୍କ ମୁଣ୍ଡକୁ ଚୋଟ ମାରିଥିଲା । ପରିବାର ଲୋକେ ତାଙ୍କୁ ପ୍ରଥମେ ଗୋଛାପଡା ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ନେଇଥିଲେ । ଲିମାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ଅଣାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ସମ୍ପର୍କରେ ଖବର ପାଇ ଗୋଛାପଡା ପୁଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।
ସେହିପରି କନ୍ଧମାଳ ଜିଲ୍ଲାର ଖଜୁରୀପଡା ଥାନା ଖଲିବେଣା ଗାଁର ବାବୁଲା ହଂସଙ୍କ ପୁଅ ମାନସ ହଂସଙ୍କ ସାପ କାମୁଡ଼ାରେ ମୃତ୍ୟୁ ହୋଇଛି । ଘରେ ଶୋଇଥିବା ବେଳେ ତାଙ୍କୁ ଏକ ସାପ କାମୁଡି ଦେଇଥିଲା । ପରିବାର ଲୋକ ତାଙ୍କୁ ତୁରନ୍ତ ଫୁଲବାଣୀ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।