ରାୟଗଡ଼ା, ୦୧/୦୯: ରାୟଗଡା ଜିଲ୍ଲା କୋଲନରା ଅଞ୍ଚଳରୁ ୨ଟି କଲରାପତରିଆ ବାଘ ଛାଲ ଜବତ ହୋଇଛି । ଏଥିରେ ସମ୍ପୃକ୍ତ ଥିବା ଚାରି ଜଣଙ୍କୁ ରାୟଗଡା ବନ ବିଭାଗ ସହାୟତାରେ ମୁମ୍ବାଇ ସ୍ଥିତ ଡିରେକ୍ଟର ଅଫ୍ ରେଭେନ୍ୟୁ ଇଣ୍ଟେଲିଜେନ୍ସ ବିଭାଗ ଗିରଫ କରିଛି । ଗିରଫ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୨ଜଣ ରାୟଗଡା ଜିଲ୍ଲାର ଥିବା ବେଳେ ଅନ୍ୟ ୨ଜଣ ମହାରାଷ୍ଟ୍ରର ବୋଲି ଜଣାପଡିଛି ।
ରାୟଗଡା ରେଞ୍ଜର କାମେଶ୍ୱର ଅଚାରୀ ଦେଇଥିବା ସୂଚନା ମୁତାବକ, ଗୁଣୁପୁର ବ୍ଲକ୍ ପୁଟାସିଂ ଅଞ୍ଚଳର ଅଞ୍ଜରସିଂ ଗାଁର ଜିସୟ ଗମାଙ୍ଗ ଓ ମହେଶ ହୁଇକା ମାଛଖୁଣ୍ଟି ଅଞ୍ଚଳର ଅନ୍ୟ ୨ଜଣ ବ୍ୟକ୍ତି ବାଘ ଚମଡ଼ା ବିକ୍ରି କରିବାକୁ ଯୋଜନା କରିଥିଲେ । ମହାରାଷ୍ଟ୍ରର ମାତିନଗର ଅଞ୍ଚଳର ପ୍ରଭାକର ନାୟକ ଓ ରାଜ କୁମାର ଗୁପ୍ତାଙ୍କୁ ଏହି ବାଘ ଚମଡାକୁ ବିକ୍ରି କରିବା ପାଇଁ ଯୋଗାଯୋଗରେ ରହିଥିଲେ । କୌଣସି ସୂତ୍ରରୁ ଏହି ଚାଲାଣ ସମ୍ପର୍କରେ ଖବର ପାଇ ଡିରେକ୍ଟର ଅଫ୍ ରେଭେନ୍ୟୁ ବିଭାଗ ଅଭିଯୁକ୍ତମାନଙ୍କୁ ଟ୍ରାକ୍ କରିଥିଲେ । ଏନେଇ ଅଗଷ୍ଟ ୩୦ ତାରିଖ ଦିନ ରାୟଗଡା ବନ ବିଭାଗକୁ ସୂଚନା ଦେଇଥିଲେ I ଉକ୍ତ ସୂଚନା ଆଧାରରେ ଉଭୟ ବିଭାଗ ବାଘ ଚମଡା ବିକ୍ରି କରିବା ସମୟରେ ସମସ୍ତ ଅଭିଯୁକ୍ତଙ୍କୁ ଧରିଥିଲେ I ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ରେଞ୍ଜର କାମେଶ୍ୱର ଅଚାରୀ ସୂଚନା ଦେଇଛନ୍ତି । ଏହି କଲରାପତରିଆ ବାଘ ଚମଡାକୁ ଗଜପତି ଜିଲ୍ଲାରୁ ମହାରାଷ୍ଟ୍ର ଚାଲାଣ ପାଇଁ ଅଣାଯାଇଥିଲା ବୋଲି ଜଣାପଡିଛି I ଉଭୟ ବାଘର ବୟସ ୫/୭ ବର୍ଷ ମଧ୍ୟରେ ରହିଥିବା ବନ ବିଭାଗ ସୂଚନା ଦେଇଛି I ଏହି ଘଟଣାରେ ତଦନ୍ତ ଚାଲିଛି ବୋଲି ଏସିଏଫ ଅଶୋକ ପ୍ରଧାନ ପ୍ରକାଶ କରିଛନ୍ତି I