ନୂଆପଡ଼ା,୦୬/୦୭: ନୂଆପଡ଼ା ଜିଲ୍ଲା ଲଖନା ପଟକରପାଲି ଗାଁରେ ନିର୍ମାଣାଧୀନ କୁକୁଡ଼ା ଫାର୍ମ ଭୁଷୁଡ଼ି ପଡିଥିଲା । ଫଳରେ କାନ୍ଥ ତଳେ ଚାପି ହୋଇ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇ ମହିଳା ହେଲେ ବାଳମତି ଶବର(୩୧ ବର୍ଷ) ଓ ଖୁଡ଼ି ରୂପେ ଶବର(୬୧ବର୍ଷ) । ଏଥିରେ ବାଳମତିଙ୍କ ପୁଅ ରିଧି ଶବର(୮ବର୍ଷ) ଗୁରୁତର ହୋଇଛନ୍ତି ।
ସୂଚନା ମୁତାବକ, ଲଖନା ଥାନା ପଟକରପାଳି ଗାଁର ଦିବାକର ଶବର ସବସିଡି ଋଣ କରି ନିଜ ଜମିରେ କୁକୁଡ଼ା ଫାର୍ମ ନିର୍ମାଣ କରୁଥିଲେ । ଗତକାଲି ରାତିରୁ ଜିଲ୍ଲାରେ ବର୍ଷା ଲାଗି ରହିଛି । ରବିବାର ମଧ୍ୟାହ୍ନରେ ଦିବାକରଙ୍କ ସ୍ତ୍ରୀ ବାଳମତି, ପୁଅ ରିଧି ଓ ଖୁଡି ରୂପେ ନିର୍ମାଣାଧୀନ କୁକୁଡ଼ା ଫାର୍ମ ଦେଖିବାକୁ ଯାଇଥିଲେ । ଏହି ସମୟରେ ନିର୍ମାଣାଧୀନ କୁକୁଡ଼ା ଫାର୍ମର କାନ୍ଥ ହଠାତ୍ ପଡ଼ିଯିବାରୁ ବାଳମତି ଓ ରୂପେ କାନ୍ଥ ତଳେ ଚାପି ହୋଇଥିଲେ । ଫଳରେ ଉଭୟଙ୍କ ମୃତ୍ୟ ହୋଇଥିଲା । ଶିଶୁଟି ଗୁରୁତର ଆହତ ହୋଇ ଅଳ୍ପକେ ବର୍ତ୍ତି ଯାଇଥିଲା । ଏହି ଖବର ପାଇ ଗାଁଲୋକେ ଘଟଣାସ୍ଥଳରେ ପହଞ୍ଚି ଦୁଇ ମହିଳାଙ୍କ ମୃତଦେହକୁ ଉଦ୍ଧାର କରିଥିଲେ । ଖବର ପାଇ ଅପରାହ୍ଣରେ ଲଖନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଏବେ ନାବାଳକଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣୁଛନ୍ତି ।