ଭୁବନେଶ୍ୱର ୧୫/୦୪: ଚନ୍ଦକା ଜଙ୍ଗଲକୁ ଆସିବେ ୨୦ ଗୟଳ । ସମ୍ବଲପୁର ଡେବ୍ରିଗଡ଼ରୁ ପ୍ରଥମ ପର୍ଯ୍ୟାୟରେ ୧୦ଟି ଗୟଳ ଆଣିବାକୁ ଚନ୍ଦକା ବନବିଭାଗ ଯୋଜନା କରିଛି । ଏକ ସ୍ୱତନ୍ତ୍ର ଗାଡ଼ିରେ ଡେବ୍ରିଗଡ଼ରୁ ଚନ୍ଦକା ଆଣିବା ପାଇଁ ପ୍ରସ୍ତୁତି ଚାଲିଥିବା ଚନ୍ଦକା ଡିଏଫ୍ଓ ବିନୋଦ ଆଚାର୍ଯ୍ୟ ସୂଚନା ଦେଇଛନ୍ତି । ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ତୃଣଭୋଜୀ ପ୍ରାଣୀଙ୍କ ପାଇଁ ଉପଯୁକ୍ତ ସ୍ଥାନ । ଏହି ଜଙ୍ଗଲରେ ହରିଣ, ବିଲୁଆ, କୋକିଶିଆଳି, ବାର୍ହା, ହାତୀ ଆଦି ବିଭିନ୍ନ ପ୍ରକାର ପ୍ରାଣୀ ରହୁଛନ୍ତି । ଏଠାରେ ସମ୍ବର କି ଗୟଳ ଆଦୌ ନଥିଲେ । ତେଣୁ ଏହି ଅଭୟାରଣ୍ୟରେ ସମ୍ବର ଏବଂ ଗୟଳ ବଂଶ ବୃଦ୍ଧି କରିବା ପାଇଁ ବନବିଭାଗ ଯୋଜନା କରିଥିଲା । ଏନେଇ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କୁ ରାଜ୍ୟ ଜଙ୍ଗଲ ବିଭାଗ ପକ୍ଷରୁ ଆବେଦନ କରାଯାଇଥିଲା । ଗ୍ରୀନ ସିଗ୍ନାଲ ମିଳିବା ପରେ ସମ୍ବର ସ୍ଥାନାନ୍ତର ପ୍ରକ୍ରିୟା ଚାଲିଥିଲା ।
ପ୍ରାରମ୍ଭିକ ପର୍ଯ୍ୟାୟରେ ୨୦୨୪ ଫେବ୍ରୁଆରୀରେ ନନ୍ଦନକାନନରୁ ୨ଟି ମାଈ ଓ ଗୋଟିଏ ଅଣ୍ଡିରା ସମ୍ବର ଆଣି ଭରତପୁର ଜଙ୍ଗଲରେ ଛଡ଼ା ଯାଇଥିଲା । ଏହି ସମ୍ବରଙ୍କ ମଧ୍ୟରେ ଗୋଟିଏ ସମ୍ବର ଶାବକ ଜନ୍ମ ହୋଇଥିଲା । ତେଣୁ ଏହି ଜଙ୍ଗଲରେ ସମ୍ବର ବଂଶ ବୃଦ୍ଧି ଘଟିବା ବନବିଭାଗ ନିଶ୍ଚିତ ହୋଇଥିଲ । ତେଣୁ ଗଞ୍ଜାମ ତପ୍ତପାଣି ଚିଡ଼ିଆଖାନାରୁ ପର୍ଯ୍ୟାୟକ୍ରମେ ୪୦ଟି ସମ୍ବର ଆଣି ଏହି ଜଙ୍ଗଲରେ ଛଡ଼ାଯାଇଛି । ସେମାନଙ୍କ ମଧ୍ୟରେ ୨୪ଟି ମାଈ ଓ ୧୬ଟି ଅଣ୍ଡିରା ଅଛନ୍ତି । ସମ୍ବରମାନଙ୍କୁ ପ୍ରଥମେ ଜଙ୍ଗଲ ଭିତରେ ସ୍ୱତନ୍ତ୍ର ଏନ୍କ୍ଲୋଜରରେ ରଖା ଯାଇଥିଲା । ଧୀରେଧୀରେ ସମ୍ବରଙ୍କୁ ଏନ୍କ୍ଲୋଜରରୁ ମୁକ୍ତ କରାଯାଇ ମୁକ୍ତ ବିଚରଣ ପାଇଁ ଜଙ୍ଗଲରେ ଛଡ଼ା ଯାଇଥିଲା । ଏଠାକାର ପରିବେଶ ସହ ଖାପ ଖୁଆଇ ସମ୍ବରମାନେ ବଂଶ ବିସ୍ତାର କରିବାରେ ଲାଗିଲେଣି ।
ଚନ୍ଦକା ଅଭୟାରଣ୍ୟରେ ପୂର୍ବରୁ ଗୟଳ ନଥିବା ବେଳେ ସମ୍ବରଙ୍କ ଭଳି ଏହି ଜଙ୍ଗଲରେ ଗୟଳ ବଂଶ ବୃଦ୍ଧି କରିବା ପାଇଁ ଚନ୍ଦକା ବନବିଭାଗ ଯୋଜନା କରିଛି । ଡେବ୍ରିଗଡ଼ ଜଙ୍ଗଲରେ ଗୟଳଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ସେଠାରୁ ପ୍ରଥମ ପର୍ଯ୍ୟାୟରେ ୧୦ଟି ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୧୦ଟି ଏହିପରି ୨୦ଟି ଗୟଳ ଆଣି ଚନ୍ଦକା ଜଙ୍ଗଲରେ ଛଡ଼ାଯିବ ବୋଲି ଡିଏଫ୍ଓ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।
ଆହୁରି ପଢ଼ନ୍ତୁ...ଶଙ୍କର ପିଠିରେ ଘା’, ଚିକିତ୍ସା କରୁଛନ୍ତି ଓୟୁଏଟି ଚିକିତ୍ସକ