ନୂଆଦିଲ୍ଲୀ ୧୫/୦୧: ୧୫୦ ବର୍ଷ ପରେ ସ୍ପେନ୍‌କୁ ଫେରିବ ରାଣୀ ଶାସନ । ୧୮୦୦ ମସିହାରେ ଦେଶ ଶାସନ କରିଥିବା ରାଣୀ ଇସାବେଲାଙ୍କ ପରେ ରାଜା ଫିଲିପ୍ ୫ମ ଓ ରାଣୀ ଲେତିଜିଆଙ୍କ ଝିଅ ରାଜକୁମାରୀ ୨୦ ବର୍ଷୀୟା ଲିଓନର ଦେଶର ପ୍ରଥମ ରାଣୀ ହେବେ । ୧୭୦୦ ମସିହା ପ୍ରାରମ୍ଭରୁ ବର୍ବନ୍ ରାଜବଂଶ ପାଖରେ ସ୍ପେନ୍‌ର ରାଜ ମୁକୁଟ ରହିଛି । ସ୍ପାନିଶ୍ ଉତ୍ତରାଧିକାର ଯୁଦ୍ଧରେ ହାବ୍‌ସବର୍ଗସଙ୍କ ଉପରେ ବିଜୟ ଲାଭ ପରଠୁ ଏହା ମୁକୁଟ ଅକ୍ତିଆର କରିଛି । ଜେନେରାଲ ଫ୍ରାନ୍‌କୋଙ୍କ ଏକଛତ୍ରବାଦିତାର ଅନ୍ତ ପରେ ୧୯୭୫ରେ ରାଜା ଜୁଆନ କାର୍ଲୋସଙ୍କ ଜରିଆରେ ରାଜତନ୍ତ୍ର ପୁନଃସ୍ଥାପିତ ହେଲା । ସ୍ପେନ୍‌କୁ ଗଣତାନ୍ତ୍ରିକ ରାଷ୍ଟ୍ରରେ ରୂପାନ୍ତର କରିବାରେ କାର୍ଲୋସ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ସେ ୨୦୧୪ରେ ସିଂହାସନ ତ୍ୟାଗ କରି ପୁଅ ଫିଲିପ୍‌ଙ୍କୁ ହସ୍ତାନ୍ତର କରିଥିଲେ । ଏବେ ରାଜ ମୁକୁଟର ପରବର୍ତ୍ତୀ ଉତ୍ତରାଧିକାରୀ ହେଉଛନ୍ତି ଲିଓନର୍ ।

ଫିଲିପ୍ ୨୦୦୪ରେ ପୂର୍ବତନ ସାମ୍ବାଦିକା ଲେଟିଜିଆଙ୍କୁ ବିବାହ କରିଥିଲେ ଏବଂ ୪୨ ବର୍ଷ ବୟସରେ ରାଣୀ ହୋଇଥିଲେ । ଏହି ରାଜ-ଦମ୍ପତିଙ୍କର ଦୁଇ ଝିଅ ଅଛନ୍ତି । ଲିଓନର ୨୦୦୫ ଓ ସୋଫିଆ ୨୦୦୭ରେ ଜନ୍ମଗ୍ରହଣ କରିଥିଲେ । ସ୍ପେନ୍‌ର ଆଇନ ଅନୁସାରେ, ସିଂହାସନର ଉତ୍ତରାଧିକାରୀଙ୍କୁ ସେମାନଙ୍କ ଭବିଷ୍ୟତର ଭୂମିକା ପାଇଁ ପ୍ରସ୍ତୁତି ନିମନ୍ତେ ସ୍ଥଳସେନା, ନୌସେନା ଓ ବାୟୁସେନାର ତାଲିମ ନେବାକୁ ପଡ଼ିବ । ଲିଓନର ୱେଲ୍‌ସରେ ୟୁଡବ୍ଲ୍ୟୁସି ଆଟ୍ଲାଣ୍ଟିକ୍ କଲେଜରୁ ଇଣ୍ଟରନ୍ୟାସନାଲ ବାକାଲରେଟ୍ ଡିପ୍ଲୋମା ଜରିଆରେ ଉଚ୍ଚଶିକ୍ଷା ଆରମ୍ଭ କରିଥିଲେ । ଦେଶର ଭାବୀ କମାଣ୍ଡର-ଇନ୍-ଚିଫ୍ ଭବେ ୨୦୨୩ରୁ ସେ ସାମରିକ ତାଲିମ ନେଉଛନ୍ତି । ସେ ସ୍ପାନିଶ୍ ସମେତ କାଟାଲାନ, ଇଂରାଜୀ, ଫ୍ରେଞ୍ଚ୍ ଆରବିକ୍ ଓ ମାଣ୍ଡାରିନ୍ ଭଳି ଅନେକ ଭାଷାରେ ସେ ପାରଙ୍ଗମ ।