ଫୁଲବାଣୀ, ୮/୧ : ଏକ ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣୀ କରି ଫୁଲବାଣୀ ସ୍ବତନ୍ତ୍ର ପୋକସୋ ଅଦାଲତ ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏଥି ସହ ଦୋଷୀକୁ ୨୦ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ ଭୋଗିବା ପାଇଁ ଆଦେଶ ଦେଇଛନ୍ତି ଅଦାଲତ। ଅଭିଯୁକ୍ତ ଜଣକ ହେଲେ ଫୁଲବାଣୀ ଟାଉନ ଥାନା ଅଞ୍ଚଳର ସୁରଥ ବେହେରା । ଘଟଣାରେ ସମ୍ପୃକ୍ତ ଅନ୍ୟଜଣେ ଅଭିଯୁକ୍ତ ଫେରାର ଅଛି।
ଗତ ୨୦୨୦ ମସିହା ନଭେମ୍ବର ୨୮ ତାରିଖ ଦିନ ନାବାଳିକା ଜଣକ ସ୍କୁଲର ହୋମଓ୍ବାର୍କ କରିବା ପାଇଁ ନିଜ ସାଙ୍ଗ ପାଖକୁ ଯାଉଥିବା ବେଳେ ଅଭିଯୁକ୍ତ ସୁରଥ ଏବଂ ତାଙ୍କର ଜଣେ ସହଯୋଗୀ ଗୋଟିଏ ସ୍କୁଟିରେ ଆସି ତାଙ୍କୁ ସାଙ୍ଗ ଘରେ ଛାଡି ଦେବେ ବୋଲି କହିଥିଲେ । ନାବାଳିକା ଉଭୟଙ୍କ ସହିତ ପରିଚିତ ଥିବାରୁ ତାଙ୍କ ସହ ସ୍କୁଟିରେ ଯାଇଥିଲେ। ତେବେ ନାବାଳିକାଙ୍କୁ ସାଙ୍ଗ ଘରେ ନ ଛାଡ଼ି ଭେଟଖୋଲ ଘାଟିର ଜଙ୍ଗଲକୁ ନେଇଯାଇ ସେଠାରେ ଅଭିଯୁକ୍ତ ସୁରଥ ନାବାଳିକାକୁ ଦୁଷ୍କର୍ମ କରିଥିଲା। ଅଭିଯୁକ୍ତର ସାଙ୍ଗ ଦୁଷ୍କର୍ମରେ ସହଯୋଗ କରିଥିଲା। ଏ ସମ୍ପର୍କରେ କାହାକୁ କହିଲେ ଜୀବନରେ ମାରି ଦେବ ବୋଲି ପୀଡିତାଙ୍କୁ ଧମକ ଦେଇଥିଲା ଅଭିଯୁକ୍ତ। ଭୟରେ ପିଡିତା କାହାକୁ କିଛି କହି ନ ଥିଲେ। ଘଟଣାର ୨୬ ଦିନ ପରେ ପିଡିତା ନିଜର ପିଉସୀ ନାନୀ ଘରକୁ ଯାଇଥିବା ବେଳେ ସାହାସ କରି ସବୁକଥା ପିଇସି ନାନୀଙ୍କୁ କହିଥିଲେ । ପିଉସୀ ଘଟଣା ସମ୍ପର୍କରେ ପୀଡିତାଙ୍କ ପରିବାରକୁ ଜଣାଇବା ପରେ ପୀଡିତାଙ୍କ ବାପା ୨୪. ୧୨. ୨୦୨୦ ତାରିଖ ଦିନ ଫୁଲବାଣୀ ଟାଉନ୍ ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ମୁତାବକ ଟାଉନ ଥାନା ପୁଲିସ ୧୬୬/୨୦ ରେ ଏକ ମାମଲା ରୁଜୁ କରି ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲେ। ତେବେ ଜାମିନରେ ଥିବା ଅଭିଯୁକ୍ତର ସହଯୋଗୀ ଫେରାର ହୋଇ ଯାଇଥିଲା। ଆଜି ଏହି ମାମଲାର ଶୁଣାଣୀ କରି ବିଚାରପତି ରାଜେଶ ଦାଶ ୧୧ ଜଣ ସାକ୍ଷୀଙ୍କ ବୟାନ ଓ ଡାକ୍ତରୀ ପ୍ରମାଣ ଆଧାରରେ ଉପରୋକ୍ତ ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଏହାସହ ପୀଡିତାଙ୍କୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ଡିଏଲ୍ଏସ୍ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଚାରପତି। ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଅସୀମ ପ୍ରହରାଜ ପରିଚାଳନା କରୁଥିଲେ।