ଚାକିରିରୁ ଅବସର ନେବା ପରେ ପ୍ରତି ମାସରେ ଦରମା ଆସିବା ବନ୍ଦ ହୋଇଯାଏ, ଯାହା ଫଳରେ ଅନେକ ବରିଷ୍ଠ ନାଗରିକ ନିଜର ଦୈନନ୍ଦିନ ଖର୍ଚ୍ଚ ଏବଂ ଜମା ପୁଞ୍ଜିର ସୁରକ୍ଷାକୁ ନେଇ ଚିନ୍ତାରେ ରୁହନ୍ତି । ଯଦି ଆପଣ ମଧ୍ୟ ନିଜ ସଞ୍ଚୟରୁ ଏକ ସୁରକ୍ଷିତ ଏବଂ ନିଶ୍ଚିତ ଆୟ ଚାହୁଁଛନ୍ତି, ତେବେ 'ସିନିୟର ସିଟିଜେନ୍ସ ସେଭିଙ୍ଗସ୍ ସ୍କିମ୍' (SCSS) ଆପଣଙ୍କ ପାଇଁ ସବୁଠାରୁ ଭରସାଯୋଗ୍ୟ ବିକଳ୍ପ ସାଜିପାରେ । ପୋଷ୍ଟ ଅଫିସ୍ ଏବଂ ବ୍ୟାଙ୍କ ଜରିଆରେ ଉପଲବ୍ଧ ଏହି ସରକାରୀ ଯୋଜନାରେ ବର୍ତ୍ତମାନ ବାର୍ଷିକ ୮.୨ ପ୍ରତିଶତ ସୁଧ ମିଳୁଛି, ଯାହା ଅନ୍ୟ ସ୍ଥାୟୀ ଜମା (FD) ତୁଳନାରେ ଯଥେଷ୍ଟ ଅଧିକ ।
କିପରି ମିଳିବ ମାସିକ ୨୦,୦୦୦ ଟଙ୍କା ?
ଜଣେ ବ୍ୟକ୍ତି SCSSରେ ସର୍ବାଧିକ ୩୦ ଲକ୍ଷ ଟଙ୍କା ନିବେଶ କରିପାରିବେ ।
ସୁଧ ହାର: ୮.୨% (ବାର୍ଷିକ ସୁଧ ପ୍ରାୟ ୨.୪୬ ଲକ୍ଷ ଟଙ୍କା)
ତ୍ରୈମାସିକ ଆୟ: ପ୍ରତି ୩ ମାସରେ ଥରେ ପ୍ରାୟ ୬୧,୫୦୦ ଟଙ୍କା ସୁଧ ଆକାରରେ ମିଳିବ ।
ମାସିକ ହିସାବ: ଯଦି ଏହି ରାଶିକୁ ତିନି ମାସରେ ବିଭକ୍ତ କରାଯାଏ, ତେବେ ଆପଣଙ୍କୁ ପ୍ରତି ମାସରେ ପ୍ରାୟ ୨୦,୫୦୦ ଟଙ୍କା ମିଳିବ ।
ବିଶେଷ କଥା ହେଉଛି, ଏହା ସରକାରୀ ସ୍କିମ୍ ହୋଇଥିବାରୁ ଏଥିରେ ସେୟାର ବଜାରର କୌଣସି ପ୍ରଭାବ ପଡ଼େ ନାହିଁ ଏବଂ ଆପଣଙ୍କ ଟଙ୍କା ସମ୍ପୂର୍ଣ୍ଣ ସୁରକ୍ଷିତ ରହେ ।
ଏହା ବି ପଢ଼ନ୍ତୁ... ପୋଷ୍ଟ ଅଫିସର ଦମଦାର୍ ସ୍କିମ୍: ମାତ୍ର ୨ ଲକ୍ଷ ଜମା କଲେ ମିଳିବ ୯୦,୦୦୦ ଟଙ୍କାର ସୁଧ, ଜାଣନ୍ତୁ କେମିତି ?
କିଏ ଏବଂ କେଉଁଠି ଖାତା ଖୋଲିପାରିବେ ?
୬୦ ବର୍ଷ ବା ତା’ ଠାରୁ ଅଧିକ ବୟସ୍କ ବ୍ୟକ୍ତି ଏହି ସ୍କିମ୍ରେ ନିବେଶ କରିପାରିବେ । କିଛି କ୍ଷେତ୍ରରେ ୫୫ ବର୍ଷରୁ ଅବସର ନେଇଥିବା ବ୍ୟକ୍ତି ମଧ୍ୟ ସର୍ତ୍ତାବଳୀ ଅନୁଯାୟୀ ନିବେଶ କରିପାରିବେ । ନିବେଶ ସୀମା ସର୍ବନିମ୍ନ ୧୦୦୦ ଟଙ୍କାରୁ ଆରମ୍ଭ କରି ସର୍ବାଧିକ ୩୦ ଲକ୍ଷ ଟଙ୍କା ରହିଛି । ଆପଣ ଏହାକୁ ବ୍ୟକ୍ତିଗତ ଭାବେ କିମ୍ବା ନିଜ ଜୀବନସାଥୀଙ୍କ ସହ ମିଳିତ ଭାବେ ଖୋଲିପାରିବେ ।
ଟ୍ୟାକ୍ସ ସୁବିଧା ଓ ଅବଧି:
ଏହି ଯୋଜନାରେ ନିବେଶ କଲେ ଆୟକର ଅଧିନିୟମର ଧାରା 80C ଅନୁଯାୟୀ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ୟାକ୍ସ ଛାଡ଼ର ସୁବିଧା ମିଳିଥାଏ । ଏହାର ଅବଧି ୫ ବର୍ଷ ରହିଥାଏ, ଯାହାକୁ ପରବର୍ତ୍ତୀ ସମୟରେ ଆଉ ୩ ବର୍ଷ ପାଇଁ ବଢ଼ାଯାଇପାରିବ। ତେବେ ମନେ ରଖନ୍ତୁ, ଏଥିରୁ ମିଳୁଥିବା ସୁଧ ଆପଣଙ୍କ ଟ୍ୟାକ୍ସ ସ୍ଲାବ୍ ଅନୁଯାୟୀ ଟ୍ୟାକ୍ସଯୋଗ୍ୟ ଅଟେ । ଅବସର ପରେ ସମ୍ମାନର ସହ ଜୀବନ ଅତିବାହିତ କରିବା ପାଇଁ ଏହି ସ୍କିମ୍ ଏକ 'ବୁଢ଼ାବସ୍ଥାର ବାଡ଼ି' ସଦୃଶ । ଯଦି ଆପଣ ନିଜ ସଞ୍ଚୟକୁ ଏକ ସ୍ଥାୟୀ ପେନସନରେ ପରିଣତ କରିବାକୁ ଚାହୁଁଛନ୍ତି, ତେବେ ଆଜି ହିଁ ନିକଟସ୍ଥ ପୋଷ୍ଟ ଅଫିସ୍ କିମ୍ବା ବ୍ୟାଙ୍କ ସହ ଯୋଗାଯୋଗ କରନ୍ତୁ ।