ଭୁବନେଶ୍ବର, ୨୮/୧୨: ଜନ୍ମ ତାରିଖରୁ ଜ୍ୟୋତିଷ ଗଣନା । ଅଙ୍କ ହିସାବରେ ଆକଳନ କରି ହେବ ଭାଗ୍ୟ-ଭବିଷ୍ୟତ । ଜ୍ୟୋତିଷର ଗଣନା ଏବଂ ଆକଳନ ଅନୁସାରେ ବର୍ଷ ୨୦୨୬ ହେବାକୁ ଯାଉଛି ସୂର୍ଯ୍ୟଙ୍କ ବର୍ଷ । ୨୦୨୬ ପ୍ରତିଟି ସଂଖ୍ୟା ବା ଅଙ୍କକୁ ଯୋଗ କଲେ ହେଉଛି ୧୦ । ପୁଣି ୧ ଏବଂ ୦ କୁ ଯୋଗ କଲେ ବର୍ଷ ୨୦୨୬ର ମୂଳାଙ୍କ ହେବ ୧ । ସଂଖ୍ୟା ୧ର ଗ୍ରହସ୍ୱାମୀ ହେଉଛନ୍ତି ସୂର୍ଯ୍ୟ ଦେବତା । ତେଣୁ ଆଗାମୀ ବର୍ଷ ସମସ୍ତ ମୂଳାଙ୍କ ଉପରେ ସୂର୍ଯ୍ୟଙ୍କ ପ୍ରଭାବ ଦେଖିବାକୁ ମିଳିବ । ସୂର୍ଯ୍ୟଙ୍କୁ ସମ୍ମାନ, ପ୍ରତିଷ୍ଠା, ଆତ୍ମବିଶ୍ୱାସ, ଉର୍ଜା, ଶକ୍ତି, ନେତୃତ୍ୱ ଆଦିର କାରକ ବୋଲି ବିଶ୍ୱାସ କରାଯାଏ । ଆସନ୍ତୁ ଜାଣିବା ଜନ୍ମ ତାରିଖରୁ କିପରି କଟିବ ୨୦୨୬ ବର୍ଷ ।
ମୂଳାଙ୍କ-୭
ମଧ୍ୟମ ରହିବ:
ଅଙ୍କ ଜ୍ୟୋତିଷ ଅନୁସାରେ ୭, ୧୬ ଏବଂ ୨୫ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ମୂଳାଙ୍କ ୭ । ସଂଖ୍ୟାତତ୍ତ୍ୱବିତ୍ଙ୍କ ଗଣନା ଅନୁସାରେ, ବର୍ଷ ୨୦୨୬ରେ କ୍ୟାରିଅର୍ କ୍ଷେତ୍ରରେ ଧୀରେ ଧୀରେ ଅଗ୍ରଗତି କରିବେ ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିବିଶେଷ । ଚାକିରି କରୁଥିବା ଲୋକମାନଙ୍କ ପାଇଁ ଆୟର ନୂଆ ଉତ୍ସ ପ୍ରାପ୍ତ କରିବାର ସମ୍ଭାବନା ଉଜ୍ଜ୍ୱଳ । ବ୍ୟବସାୟ କ୍ଷେତ୍ରରେ କୌଣସି ଆଶଙ୍କାଜନକ ନିବେଶ କରିବାରୁ ନିବୃତ୍ତ ରହିବାକୁ ଚେଷ୍ଟା କରିବେ । ନହେଲେ ବଡ଼ ଧରଣର ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇପାରନ୍ତି ଏହି ତାରିଖରେ ଜନ୍ମିତ ବ୍ୟକ୍ତିବିଶେଷ । ଆପଣଙ୍କୁ ନିଜର ବୁଦ୍ଧିମତା ଏବଂ ଧୈର୍ଯ୍ୟର ସୁଫଳ ଦେବ ବର୍ଷ ୨୦୨୬ । ବୈବାହିକ ଜୀବନ କୌଣସି କାରଣବଶତଃ ଚାପପୂର୍ଣ୍ଣ ରହିବାର ଆଶଙ୍କା ଅଛି । ଏପରି ସ୍ଥିତିରେ ପୁରୁଣା ଭୁଲ ବୁଝାମଣାକୁ ସୁଧାରିବାକୁ ପଡ଼ିବ । ନହେଲେ ସ୍ଥିତି ବିଗିଡିଯିବାର ଆଶଙ୍କା ରହିଛି ।
ମୂଳାଙ୍କ-୮
ବୁଝି ବିଚାରି ନିର୍ଣ୍ଣୟ ନେବେ:
ଅଙ୍କ ଜ୍ୟୋତିଷ ଅନୁସାରେ ୮, ୧୭ ଏବଂ ୨୬ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ମୂଳାଙ୍କ ୮ । ସଂଖ୍ୟାତତ୍ତ୍ୱ ଅନୁସାରେ ବର୍ଷ ୨୦୨୬ ଏହି ମୂଳାଙ୍କର ଲୋକମାନଙ୍କ ପାଇଁ ସାଧାରଣ ରହିବ । କ୍ୟାରିଅର୍ କ୍ଷେତ୍ରରେ ଆଖିଦୃଶିଆ ପରିବର୍ତ୍ତନ ହେବ ନାହିଁ । ନେଣଦେଣ ମାମଲାରେ ସତର୍କ ରହିବାକୁ ହେବ । ଅନ୍ୟଥା ସମସ୍ୟା ଭୋଗିବେ । ଚାକିରି କ୍ଷେତ୍ରରେ ପଦୋନ୍ନତି ପାଇବାକୁ ଥିବା ବ୍ୟକ୍ତିବିଶେଷ ପରିଶ୍ରମ କଲେ ବି ବିଶେଷ ସଫଳତା ପାଇବା ଭଳି ମନେ ହେଉନି । ବ୍ୟବସାୟ କ୍ଷେତ୍ରରେ ତରବର ହୋଇ କିଛି ନିଷ୍ପତ୍ତି ନେବା ପୂର୍ବରୁ ଟିକେ ଭାବିବେ । ସ୍ୱଳ୍ପ ହେଲେ ମଧ୍ୟ ବ୍ୟବସାୟରେ ଲାଭ ମିଳିବାର ଆଶା ଅଛି । ପାରିବାରିକ ଜୀବନରେ ଦାୟିତ୍ୱଭାର ବୃଦ୍ଧି ପାଇବ ବୋଲି ମନେହେଉଛି । ସେଥିପାଇଁ ମାନସିକ ସ୍ତରରେ ଟିକେ ଦୁର୍ବଳ ଅନୁଭବ କରିପାରନ୍ତି । ତଥାପି ପ୍ରତିକୂଳ ପରିସ୍ଥିତିରୁ ବାହାରି ଆସିବାର ବାଟ ଆପଣଙ୍କୁ ମିଳିଯିବ । ଗଣ୍ଠିଜନିତ ସମସ୍ୟା ଆପଣଙ୍କ ସ୍ୱାସ୍ଥ୍ୟକୁ ଅତିମାତ୍ରାରେ ପ୍ରଭାବିତ କରିବାର ଭୟ ରହିଛି ।
ମୂଳାଙ୍କ-୯
ସାହସିକ ନିର୍ଣ୍ଣୟରୁ ମିଳିବ ଲାଭ:
ଅଙ୍କ ଜ୍ୟୋତିଷ ଅନୁସାରେ ୯, ୧୮ ଏବଂ ୨୭ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ମୂଳାଙ୍କ ୯ । ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିବିଶେଷଙ୍କ ପାଇଁ ବର୍ଷ ୨୦୨୬ ଅନୁକୂଳ ରହିବ । ଆପଣଙ୍କ ନେତୃତ୍ୱ ନେବାର କ୍ଷମତା ଏବଂ ଆତ୍ମବିଶ୍ୱାସରେ ବୃଦ୍ଧି ନିହାତି ଭାବେ ପରିଲକ୍ଷିତ ହେବ । କାର୍ଯ୍ୟକ୍ଷେତ୍ରରେ ସାହସିକ ନିର୍ଣ୍ଣୟରୁ ଭଲ ଲାଭ ମିଳିବାର ଆଶା ଉଜ୍ଜ୍ୱଳ । ଆର୍ଥିକ ମାମଲାରେ ମଧ୍ୟ ଧନ ଲାଭର ସଂଯୋଗ ଅଛି । ଆର୍ଥିକ ସ୍ଥିତି ମଜଭୁତ ହେବାର ଆଶା ଉଜ୍ଜ୍ୱଳ । ପ୍ରେମ ଜୀବନରେ ଭଲପାଇବା ଆହୁରି ପ୍ରଗାଢ଼ ହେବ ଏବଂ ସାଥୀ ସହ ସମୟ ବିତାଇବାର ଅବସର ମିଳିବ । ବୈବାହିକ ଜୀବନରେ ସନ୍ତୁଳନ ବଜାୟ ରହିବ ଏବଂ ପତି ପତ୍ନୀଙ୍କ ମଧ୍ୟରେ ପ୍ରେମ ଗଭୀର ହେବ । ସମାଜରେ ମାନ, ପ୍ରତିଷ୍ଠା ବୃଦ୍ଧି ପାଇବ ଏବଂ ଆପଣ ପ୍ରଶଂସାର ପାତ୍ର ହେବ । ସ୍ୱାସ୍ଥ୍ୟ ସାଧାରଣ ରହିବ । ତେବେ ଖାଦ୍ୟପେୟ ଉପରେ ଟିକେ ନଜର ଦେବେ ।